ଲଘୁଚାପ ଆସିଲା : ଦୁଇ ଦିନର ରାଜ୍ୟବ୍ୟାପୀ ଲଗାଣ ବର୍ଷା ପରେ ଖୁସିରେ ଚାଷୀ, ଟଳିଲା ମରୁଡ଼ି ଆଶଙ୍କା

ଚାଷୀଙ୍କ ପାଇଁ ଖୁସି ଖବର । ରାଜ୍ୟରୁ ଟଳିଲା ମରୁଡ଼ି ଆଶଙ୍କା । ଲଘୁଚାପ ବର୍ଷାରେ ଭିଜିଲା ଧରା । ଦୁଇ ଦିନରୁ ବଢିଛି ବର୍ଷାର ପରିମାଣ । ରାଜ୍ୟର ୧୯୬ ବ୍ଲକରେ ୫୦ ମିଲିମିଟରରୁ ଅଧିକ ବର୍ଷା ହୋଇଛି । ଯାହା ଚାଷ ପାଇଁ ସହାୟକ ହେବ । କେବଳ ଗଜପତି, ରାୟଗଡ଼ା ଓ ନୂଆପଡ଼ାରେ ବର୍ଷାର ପରିମାଣ କମ୍ ହୋଇଛି । ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯିବା ସହ ଚାଷ ପାଇଁ ସମସ୍ତ ସରଞ୍ଜାମ ଚାଷୀଙ୍କ ପାଖକୁ ପହଞ୍ଚାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଯଦି କେଉଁଠି ବର୍ଷାଜନିତ ସମସ୍ୟା, ଉପୁଜେ,  ତ୍ୱରିତ ପଦକ୍ଷେପ ନେବା ପାଇଁ ଜିଲ୍ଲାପାଳମାନଙ୍କୁ ଦୁଇ ଦୁଇ ଥର ଚିଠି ଲେଖିଛନ୍ତି ସ୍ବତନ୍ତ୍ର ରିଲିଫ୍ କମିସନର । ଦୁଇ ଦିନ ଭିତରେ ଆଉ ଏକ ଲଘୁଚାପର ସମ୍ଭାବନା ରହିଛି । ଯାହା ଚାଷ ପାଇଁ ଅଧିକ ଅନୁକୂଳ ପାଣିପାଗ କରିବ । ଏହି ସମୟରେ ବେଉଷଣ କରିବା, ତଳି ପକାଇବା ଓ ଅନ୍ୟାନ୍ୟ ଚାଷ କାମ ପାଇଁ ମାର୍ଗଦର୍ଶିକା ଜାରି କରିଛି ଓୟୁଏଟି ।

ବର୍ଷା ଜଳକୁ ମୁଖ୍ୟ କିଆରୀରେ ବାନ୍ଧି ରଖି କାଦୁଅ କରିବାକୁ ପରାମର୍ଶ ଦିଆଯାଇଛି । ତେବେ ଅଧିକ ବର୍ଷା ଯୋଗୁ ଯେପରି ଜମି ନଷ୍ଟ ନ ହୁଏ, ଜଳ ନିଷ୍କାସନ ପାଇଁ ଆଗୁଆ ପଦକ୍ଷେପ ନେବାକୁ ଦିଆଯାଇଛି ପରାମର୍ଶ  । ବର୍ଷା ପରେ ବାଇଗଣ, ଲଙ୍କା ଆଦି ଫସଲରେ ଝାଉଁଳା ଓ ମୂଳସଢା ରୋଗର ସମସ୍ୟା ବୃଦ୍ଧି ପାଇପାରେ । ଏଥିପାଇଁ ଆକ୍ରାନ୍ତ ଗଛ ଉପାଡ଼ି ନଷ୍ଟ କରିବାକୁ ପଡ଼ିବ । ଏକର ପ୍ରତି ୨୦୦ ମିଲିଲିଟର ଟେବୁକୋନାଜୋଲ ସହ ୨୦ ଗ୍ରାମ ଷ୍ଟ୍ରେପ୍ଟୋସାଇକ୍ଲିନ୍ ମିଶାଇ ପ୍ରୟୋଗ କରିବାକୁ ହେବ । ହେଲେ ଅଧିକ ପରିମାଣର ଯବକ୍ଷାରଜାନ ଜାତୀୟ ରାସାୟନିକ ସାର ପ୍ରୟୋଗକୁ ବାରଣ କରାଯାଇଛି ।

Leave a Reply