ଡ୍ରଗ୍ସ ମାମଲାରେ ସାରା ଅଲ୍ଲୀ ଖାନ, ଶ୍ରଦ୍ଧା କପୁର, ରକୁଲ ପ୍ରୀତଙ୍କୁ ସମନ ପଠାଇବ NCB !

1 min read

ନୂଆଦିଲ୍ଲୀ: ଡ୍ରଗ୍ସ ମାମଲାରେ ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (NCB) ନିଜ ତଦନ୍ତକୁ ଆହୁରୀ ତୀବ୍ର କରିଛି । ଡ୍ରଗ୍ସ ସପ୍ଲାୟର୍ସଙ୍କ ସହ ପଚରାଉଚରା ପରେ NCB ବର୍ତ୍ତମାନ ଆଉ କିଛି ଲୋକଙ୍କ ସହ ପଚରାଉଚରା କରିବା ଆରମ୍ଭ କରିବ ।  ସୂଚନା ଅନୁଯାୟୀ, ଯାଞ୍ଚକୁ ଆଗକୁ ବଢ଼ାଇବା ପାଇଁ ସାରା ଅଲ୍ଲୀ ଖାନ, ରକୁଲ ପ୍ରୀତ, ଶ୍ରଦ୍ଧା କପୁର ଏବଂ ସିମୋନଙ୍କୁ ଏଇ ସପ୍ତାହରେ ନୋଟିସ ପଠାଯିବ ।  ଡ୍ରଗ୍ସ ପେଡେଲାର ମାନଙ୍କ ସହ ପଚରାଉଚରା ବେଳେ ଏମାନଙ୍କ ନାମ ସାମ୍ନାକୁ ଆସିଥିଲା ।

ସୂଚନା ଅନୁଯାୟୀ , ରିୟା ଚକ୍ରବର୍ତ୍ତୀ ସିମୋନ ଖମ୍ବାଟା, ରକୁଲ ପ୍ରୀତ ଏବଂ ସାରା ଅଲ୍ଲୀ ଖାନଙ୍କ ନାଆ ଉଲ୍ଲେଖ କରିଥିଲେ । କୁହାଯାଉଛି ଯେ, ମୁମ୍ବାଇର ଏକ ଜିମକୁ ରକୁଲ, ସାରା ଏବଂ ରିୟା ଯାଉଥିଲେ ଏବଂ ସେଠାରେ ତାଙ୍କ ବନ୍ଧୁତ୍ୱ ଆଗକୁ ବଢ଼ିଥିଲା । ଏଠାରୁ NCBକୁ ଯାଞ୍ଚରେ ବଡ଼ ଲିଙ୍କ ମିଳିଥିଲା ଏବଂ ଏହାକୁ ନେଇ ଠୋସ୍ ପ୍ରମାଣ ମଧ୍ୟ ରହିଥିବା ସୂଚନା ମିଳିଛି । ଏହା ସହିତ ରିୟା ଶ୍ରଦ୍ଧା କପୁରଙ୍କ ନାମ ମଧ୍ୟ ନେଇଛନ୍ତି । ଏମିତିରେ କୁହାଯାଉଛି ଯେ NCB ଶ୍ରଦ୍ଧା କପୁରଙ୍କୁ ମଧ୍ୟ ସମନ ପଠାଇପାରେ ।

ନାର୍କୋଟିକସ କଣ୍ଟ୍ରୋଲ ବ୍ୟୁରୋ ସ୍ମୃତି ମୋଦି ଏବଂ ଜୟା ସାହାଙ୍କୁ ଆଜି ନୋଟିସ ପଠାଇ ପଚରାଉଚରା ପାଇଁ ଡକାଇଛି । ସୂଚନା ଅନୁଯାୟୀ, ତଦନ୍ତ ପରେ ସନ୍ଧ୍ୟାରେ ନୂଆ ସମନ ଜାରି କରାଯିବ ।

ନିକଟରେ ରାହୁଲ ବିଶ୍ରାମ ନାମକ ମୁମ୍ବାଇର ଜଣେ ଡ୍ରଗ୍ସ ମାଫିଆ ଧରାପଡିଥିଲେ ଏବଂ ବର୍ତ୍ତମାନ ତାଙ୍କ ପୁରା ଗ୍ୟାଙ୍ଗର ପର୍ଦାଫାସ କରିବାକୁ NCB ଅଣ୍ଟା ଭିଡିଛି । ସୂଚନା ଅନୁଯାୟୀ, ରିୟା କହିଥିଲେ ଯେ ସୁଶାନ୍ତଙ୍କ ସହ ସେ ପରିଚିତ ହେବା ପୂର୍ବରୁ ସେ ଗଞ୍ଜେଇ ସେବନ କରୁଥିଲେ ।  ସେ କହିଥିଲେ ଯେ, କେଦାରନାଥ ଫିଲ୍ମର ସୁଟିଂରେ ସେ ଅଧିକ ଡ୍ରଗ୍ସ ନେବା ଆରମ୍ଭ କରିଥିଲେ । ଏହା ମଧ୍ୟ କୁହାଯାଉଛି ଯେ ଗଞ୍ଜେଇ ସେବନ କଲେ ଅଧିକ ଭୋକ ଲାଗିଥାଏ ଏବଂ କେଦାରନାଥର ସୁଟିଂ ପରେ ସୁଶାନ୍ତ ଏବଂ ସାରାଙ୍କ ଓଜନ ବଢ଼ିଯାଇଥିଲା ।

ବର୍ତ୍ତମାନ ଏନସିବି ନାମୀ ଲୋକମାନଙ୍କୁ ସମନ ପଠାଇ ତାଙ୍କ ସହ ପଚରାଉଚରା କରୁଛି ଏବଂ ବଲିଉଡ ସହ ଡ୍ରଗ୍ସର କନେକସନର ପର୍ଦାଫାସ କରୁଛି । ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ଡ୍ରଗ୍ସ କନେକସନ ସାମ୍ନାକୁ ଆସିଥିଲା । ଏନସିବି ଏହି ଘଟଣାର ଅନୁସନ୍ଧାନ କରୁଛି। ଏବେ ଅପେକ୍ଷା ରହିଲା ପରବର୍ତ୍ତୀ ସମୟରେ NCBର ତଦନ୍ତ କେଉଁ ମୋଡ଼ ନେଉଛି ।

Leave a Reply