ନୂଆ MV ଆଇନ୍ ଲାଗୁ ପରେ କେତେ ଜଣଙ୍କୁ ମିଳିଛି ଡ୍ରାଇଭିଂ ଲାଇସେନ୍ସ ? ରାଜ୍ୟରେ ୧୫ ବର୍ଷରୁ ଅଧିକ କେତେ ଗାଡ଼ି ରହିଛି ? ପଢ଼ନ୍ତୁ ପରିବହନ ବିଭାଗର ପୂରା ଉତ୍ତର ।

1 min read

ଭୁବନେଶ୍ୱର : ରାଜ୍ୟରେ ୧୫ ବର୍ଷରୁ ଅଧିକ ସମୟ ଧରି ମୋଟ୍ ୨୨ ଲକ୍ଷ ୯ ହଜାର ୫୭୩ଟି ମୋଟର ଯାନ ରହିଛି । ଏହାମଧ୍ୟରୁ ୧୧ ଲକ୍ଷ ୪୩ ହଜାର ୨୬ଟି ମୋଟର ଯାନ ଚଳାଚଳ କରୁଛି । ବିଧାନସଭାରେ ବିଧାୟକ ମୋହନ ମାଝିଙ୍କ ପ୍ରଶ୍ନରେ ଏହି ଉତ୍ତର ରଖିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ସେହିପରି ବେପରୁଆ ଗାଡ଼ିଚାଳକଙ୍କ ଉପରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ କଣ ହୋଇଛି, ସେ ନେଇ ପ୍ରଶ୍ନ କରିଥିଲେ ବିଧାୟକ ମୌଷଧି ବାଗ୍ । ଏହାର ଉତ୍ତରରେ ମନ୍ତ୍ରୀ କହିଛନ୍ତି ଯେ, ୨୦୧୮ରେ ବେପରୁଆ ଗାଡ଼ି ଚାଳନା କରି ଦୁର୍ଘଟଣା ଘଟାଇଥିବା ୫,୧୨୧ ଜଣଙ୍କର ଏବଂ ୨୦୧୯ ଅକ୍ଚୋବର ମାସ ସୁଦ୍ଧା ୩,୮୮୯ ଜଣଙ୍କର ଡ୍ରାଇଭିଂ ଲାଇସେନ୍ସ ସସପେଣ୍ଡ କରାଯାଇଛି । ଆବଶ୍ୟକସ୍ଥଳରେ ଡ୍ରାଇଭିଂ ଲାଇସେନ୍ସ ବାତିଲ୍ କରିବା ପାଇଁ ପଦକ୍ଷେପ ନିଆଯାଇପାରେ ।

ସେହିପରି ୨୦୧୯ ନୂଆ ପରିବହନ ଆଇନ୍ ଲାଗୁ ହେବା ପରେ ସେପ୍ଟେମ୍ୱର-ଅକ୍ଟୋବର ମାସରେ ଜୋରିମାନା ବାବଦକୁ ୧୩ କୋଟି ୮୫ ଲକ୍ଷ ଟଙ୍କା ଆଦାୟ କରାଯାଇଛି । ଯାହା ପୂର୍ବବର୍ଷ ଏହି ୨ ମାସରେ ୨୦ କୋଟି ୬ ଲକ୍ଷ ହୋଇଥିଲା । ଏହି ୨ ମାସରେ ଟିକସ ବାବଦକୁ ୨୪୪ କୋଟି ୬୪ ଲକ୍ଷ ଟଙ୍କା ଆଦାୟ ହୋଇଛି । ପୂର୍ବବର୍ଷ ଏହି ୨ ମାସରେ ଟିକସ ଆଦାୟର ପରିମାଣ ଥିଲା ୨୦୨ କୋଟି ଟଙ୍କା । ଫିଟନେସ୍ ପ୍ରମାଣପତ୍ର ନଥାଇ ଗାଡ଼ି ଚାଳନା ବାବଦକୁ ୨୬ ଲକ୍ଷ ୪୦ ହଜାର ଟଙ୍କା ଏବଂ ପ୍ରଦୂଷଣ ପ୍ରମାଣପତ୍ର ନଥାଇ ଗାଡ଼ି ଚାଳନା ବାବଦକୁ ୫୧ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି । ନୂଆ ଲାଇସେନ୍ସ ପ୍ରଦାନ ବାବଦକୁ ୩୦ କୋଟି ୮୪ ଲକ୍ଷ ଟଙ୍କା ଫି ଆଦାୟ କରାଯାଇଛି । ଟିକସ ଦାଖଲ ନକରି ଚାଲୁଥିବା ୬,୮୯୨ଟି ଗାଡ଼ି, ଫିଟନେସ୍ ପ୍ରମାଣପତ୍ର ନଥାଇ ୧୩୪୦ ଗାଡ଼ି ଓ ପ୍ରଦୂଷଣ ପ୍ରମାଣପତ୍ର ନଥାଇ ଚାଲୁଥିବା ୯୦ଟି ଗାଡ଼ିକୁ ଯାଞ୍ଚ କରାଯାଇ ଚାଲାଣ କଟାଯାଇଛି । ନୂଆ ପରିବହନ ଆଇନ୍ ଲାଗୁ ହେବା ପରେ ସେପ୍ଟେମ୍ବର ଓ ଅକ୍ଟୋବର ମାସ ମଧ୍ୟରେ ୯ ଲକ୍ଷ ୮୧ ହଜାର ୩୨୫ ଅନଲାଇନ୍ ପ୍ରଦୂଷଣ ପ୍ରମାଣପତ୍ର, ୩ ଲକ୍ଷ ୫୧ ହଜାର ୭୫ ଲାର୍ଣ୍ଣିଂ ଲାଇସେନ୍ସ, ୫୦ ହଜାର ୪୧୪ ଡ୍ରାଇଭିଂ ଲାଇସେନ୍ସ ଓ ୪୯,୩୮୯ ଫିଟନେସ୍ ପ୍ରମାଣପତ୍ର ଦିଆଯାଇଛି ।

ରାଜ୍ୟରେ ନୂଆ ଆଇନ୍ ଲାଗୁ ହେବା ପରେ ଧରପଗଡ଼ ବେଳେ ଆରଟିଓ ଅଫିସରେ ଦଲାଲି କରୁଥିବା ମୋଟ୍ ୧୨୧ ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । ସଡ଼କ ସୁରକ୍ଷା ସପ୍ତାହ ମାଧ୍ୟମରେ ଲୋକଙ୍କୁ ସଚେତନ କରାଯାଉଛି ବୋଲି ମନ୍ତ୍ରୀ ବିଧାନସଭାରେ କହିଛନ୍ତି ।

 

Leave a Reply