ଗୋଟିଏ ଟେବୁଲରେ ବନ୍ଧୁ ଓ ଶତ୍ରୁ, ନବୀନଙ୍କ ଘରେ ଏକାଠି କଲେ ମଧ୍ୟାହ୍ନ ଭୋଜନ

ଭୁବନେଶ୍ୱର: ଏକଦା ପରସ୍ପରର କଟ୍ଟର ବିରୋଧୀ ଥିବା ଗୃହମନ୍ତ୍ରୀ ଅମିତ ଶାହ ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଭିନ୍ନ ଅବତାର ଦେଖିବାକୁ ମିଳିଛି । ଦିନଥିଲା କେହି କାହାକୁ ସାମ୍ନାସାମ୍ନି ଦେଖିପାରୁନଥିଲେ । ଦିନେ ପଶ୍ଚିମବଙ୍ଗରେ ଅମିତ ଶାହଙ୍କୁ ପୁରେଇ ନଦେବାକୁ ଦିଦି ଚେତାବନୀ ଦେଇଥିଲେ ତ ଅମିତ ଶାହା ବି କହିଥିଲେ ବଙ୍ଗରେ ବିଜୟକୁ ସୁନିଶ୍ଚିତ କରିବୁ । ବଙ୍ଗ ଅସ୍ମିତାର କଥା କହି ରାଜନୀତିର ବଡ଼ ମଇଦାନରେ ମମତା, ଶାହଙ୍କୁ ଦେଇଥିଲେ ଚେକ୍ । ଦିଲ୍ଲୀରେ ବି ଗର୍ଜନ କରିଥିଲେ ଦିଦି । ତେବେ ପଶ୍ଚିମବଙ୍ଗ ନିର୍ବାଚନ ପାଖେଇ ଆସୁଥିବା ବେଳେ ମମତା ନିଜର ରାଜନୀତିକ ବାଜି ପରିବର୍ତ୍ତନ କଲା ଭଳି ମନେହେଉଛି ।

କାରଣ ମମତା ଆଜି ଅମିତ ଶାହାଙ୍କ ସହ ଏକାଠି ବସି ଗୋଟିଏ ଟେବୁଲରେ ଭୋଜନ କରିଛନ୍ତି । ଅବସର ଥିଲା ଭୁବନେଶ୍ୱରରେ ଆୟୋଜିତ ପୂର୍ବାଞ୍ଚଳ ପରିଷଦର ବୈଠକ । ଏଥିରେ ଯୋଗଦେବାକୁ ଉଭୟ ଓଡ଼ିଶା ଆସିଥିଲେ । ବୈଠକ ସରିବା ପରେ ଦୁହେଁ ନବୀନ ନିବାସ ଯାଇଥିଲେ । ସେଠାରେ ପୂର୍ବ ପ୍ରସ୍ତୁତି ଆନୁସାରେ ଗୋଟିଏ ଡାଇନିଂ ଟେବଲରେ ବସି ଦୁଇ ହେଭିୱେଟ୍ ଏକାଠି ଖାଇଥିଲେ । ଡାଇନିଂରେ ସାମ୍ନାସାମ୍ନି ବସିଥିଲେ ଅମିତ ଶାହ ଓ ମମତା ବାନାର୍ଜୀ । ଗୋଟିଏ ପଟରେ ନୀତିଶ କୁମାର ଓ ଅମିତ ଶାହ ବସିଥିବା ବେଳେ ସାମ୍ନାରେ ବସିଥିଲେ ଧର୍ମେନ୍ଦ୍ର ପ୍ରଧାନ ଓ ମମତା ବାନାର୍ଜୀ ।

ଡାଇନିଂର ଅନ୍ୟ ଏକ ପାର୍ଶ୍ୱରେ ବସିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ଭୁବନେଶ୍ୱରରେ ପୂର୍ବାଞ୍ଚଳ ପରିଷଦର ବୈଠକ ପରେ ୩ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ଗୃହମନ୍ତ୍ରୀ ଶାହ ପହଞ୍ଚିଥିଲେ ନବୀନ ନିବାସରେ । ସେଠାରେ ପାରଂପରିକ ଓଡ଼ିଆ ବ୍ୟଞ୍ଜନ ସମସ୍ତଙ୍କୁ ପରଷା ଯାଇଥିଲା । ଚର୍ଚ୍ଚା ଚାଲିଛି, ମମତା ଅଧିକ କେନ୍ଦ୍ର ବିରୋଧୀ ନହେଇ ଏବେ ନିଜ କାମ ଉପରେ ଫୋକସ୍ କରିବା ସହ ନିର୍ବାଚନୀ ରଣନୀତି ପ୍ରସ୍ତୁତ କରୁଛନ୍ତି । ତା ନହୋଇଥିଲେ ଯେଉଁ ମମତା ଦିନେ କେନ୍ଦ୍ରର ଅଧିକାଂଶ ବୈଠକକୁ ବର୍ଜନ କରୁଥିଲେ ଆଜି ଶାହାଙ୍କ ସହ ମଧ୍ୟାହ୍ନ ଭୋଜନ କରିବାକୁ ରାଜି ହୋଇନଥାନ୍ତେ ।

Leave a Reply