କମଳନାଥଙ୍କୁ ନିର୍ବାଚନ ଆୟୋଗଙ୍କ ଛାଟ: ଷ୍ଟାର ପ୍ରଚାରକ ତାଲିକାରୁ ହଟିଲା ନାଁ

ଭୋପାଳ: କମଳନାଥଙ୍କ ବିରୋଧରେ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାନୁଷ୍ଠାନ ।  ମଧ୍ୟପ୍ରଦେଶର ୨୮ ବିଧାନସଭା ଆସନ ପାଇଁ ହେବାକୁ ଥିବା ଉପ ନିର୍ବାଚନରେ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ନେଇ ରାଜ୍ୟର ପୂର୍ବ ମୁଖ୍ୟମନ୍ତ୍ରୀ ଏବଂ କଂଗ୍ରେସର ବରିଷ୍ଠ ନେତା କମଳନାଥଙ୍କ ଉପରେ ନିର୍ବାଚନ ଆୟୋଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ନିର୍ବାଚନ ଆୟୋଗ ଷ୍ଟାର ପ୍ରଚାରକ ତାଲିକାରୁ କମଳନାଥଙ୍କ ନାମ ହଟାଇ ଦେଇଛନ୍ତି । ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗରେ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।  ତେବେ ନିର୍ବାଚନ ଆୟୋଗଙ୍କ ଏଭଳି କାର୍ଯ୍ୟାନୁଷ୍ଠାନକୁ ବିରୋଧ କରିଛି କଂଗ୍ରେସ । ଏହା ବିରୋଧରେ କୋର୍ଟଙ୍କ ଦ୍ୱାରସ୍ଥ ହେବ ବୋଲି ଦଳ ପକ୍ଷରୁ କୁହାଯାଇଛି ।

ନିର୍ବାଚନ ଆୟୋଗଙ୍କ ପରାମର୍ଶର ବାରମ୍ୱାର ଉଲ୍ଲଂଘନ କରିଛନ୍ତି କମଳନାଥ

ଶୁକ୍ରବାର ନିର୍ବାଚନ ଆୟୋଗ ନିଜ ଆଦେଶ ଜାରି କରି କହିଛନ୍ତି ଯେ, କମଳନାଥଙ୍କ ବିରୋଧରେ ବାରମ୍ୱାର ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରୁଥିବା ନେଇ ବାରମ୍ୱାର ଅଭିଯୋଗ ହୋଇଆସୁଥିଲା । ଯାହାକୁ ନେଇ ଆୟୋଗଙ୍କ ପକ୍ଷରୁ କମଳନାଥଙ୍କୁ ବାରମ୍ୱାର ଚେତାବନୀ ଦିଆଯାଇଥିଲା । ଏହା ସତ୍ତ୍ୱେ ନିର୍ବାଚନ ଆୟୋଗଙ୍କ ପରାମର୍ଶର ସମ୍ପୂର୍ଣ୍ଣ ଅଣଦେଖା କରିଛନ୍ତି ଏବଂ ଆଦର୍ଶ ଆଚରଣ ବିଧିର ବାରମ୍ୱାର ଉଲ୍ଲଂଘନ କରିଛନ୍ତି ।

ନିର୍ବାଚନରେ ପ୍ରଚାର କରିପାରିବେ କମଳନାଥ

ତେବେ ଏବେ ମଧ୍ୟ ଉପ ନିର୍ବାଚନ ନେଇ ପ୍ରଚାର କରିପାରିବେ କମଳନାଥ । କିନ୍ତୁ ଏବାବଦକୁ ଖର୍ଚ୍ଚ ପାର୍ଟି ବଦଳରେ ପ୍ରାର୍ଥୀଙ୍କୁ କରିବାକୁ ପଡ଼ିବ । ଏବଂ ପ୍ରାର୍ଥୀଙ୍କ ନିର୍ବାଚନୀ ଖର୍ଚ୍ଚ ତାଲିକାରେ ଏହା ରହିବ ।

Leave a Reply