ନିୟତିର ଖେଳ : କେରଳ ବିମାନ ଦୁର୍ଘଟଣାରେ ମୃତ କୋ-ପାଇଲଟ୍ ବାପା ହେବା ଆଗରୁ ଦୁନିଆରୁ ନେଲେ ମେଲାଣି

1 min read

ମଥୁରା: ଏହାକୁ ନିୟତି ହିଁ କୁହାଯାଇପାରେ । ୧୫ ଦିନ ପରେ ପିତା ହେବାର ଖୁସୀ ମନେଇଥାନ୍ତେ । ପରିବାର ଉତ୍ସବ ପାଳିଥାନ୍ତା । କିନ୍ତୁ ଏବେ ସେମିତି କିଛି ହେବନାହିଁ । କାରଣ ବାପା ଡାକ ଶୁଣିବା ପୂର୍ବରୁ ସେ ଆରପାରିକୁ ଚାଲିଗଲେ । କେରଳ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା କୋ-ପାଇଲଟ୍ ଅଖିଳେଶ କୁମାର ଆଉ ମାତ୍ର ୧୫ ଦିନ ପରେ ପିତା ହୋଇଥାନ୍ତେ । କିନ୍ତୁ ନିୟତି ଏହି ପରିବାରର ସବୁ ଖୁସୀକୁ ଛଡାଇ ନେଲା । ଏବେ ଏହି ପାରିବାର ପାଖରେ କେବଳ ଅଛି ପୁଅର ସ୍ମୃତି ଓ ଦୁଃଖର ପାହାଡ ।

ଶୁକ୍ରବାର ରାତିରେ କେରଳର କୋଝିକୋଡର କାଲିକଟ୍ ବିମାନ ବନ୍ଦରେ ପ୍ରତିକୁଳ ପରିସ୍ଥିତିରେ ବିମାନ ଅବତରଣ କରିବା ପାଇଁ ପାଇଲଟ୍ ଦୀପକ ସାଠେ ଓ କୋ ପାଇଲଟ୍ ଅଖିଳେଶ ସବୁ ଉଦ୍ୟମ କରିଥିଲେ । ତଥାପି ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦୁର୍ଘଟଣାରେ ଦୀପକ ଓ ଅଖିଳେଶ ପ୍ରାଣ ହରାଇଥିଲେ । ଟେବଲଟପ୍ ରନୱେ ଭାବେ ପରିଚିତ ବିପଜ୍ଜନକ ରନୱେର ଲ୍ୟାଣ୍ଡିଂ ପାଇଁ ଦୀପକ ଓ ଅଖିଳେଶ ଦୁଇ ଦୁଇ ଥର ଚେଷ୍ଟା କରିଥିଲେ । କିନ୍ତୁ ସଫଳ ଲ୍ୟାଣ୍ଡିଂ କରିପାରିନଥିଲେ ।  ବିମାନ କ୍ରାସ ଲ୍ୟାଣ୍ଡିଂ କରିଥିଲା । ଯେଉଁଥିରେ ଦୁଇ ପାଇଲଟଙ୍କ ସମେତ ୧୮ ଜଣ ପ୍ରାଣ ହରାଇଥିଲେ ।

୧୫ ଦିନରେ ହୋଇଥାନ୍ତେ ବାପା

ଅଖିଳେଶ ଉତ୍ତର ପ୍ରଦେଶର ମଥୁରାର ବାସିନ୍ଦା । ତାଙ୍କ ପତ୍ନୀ ଗର୍ଭବତୀ ଅଛନ୍ତି । ମାତ୍ର ୧୫ରୁ ୧୭ ଦିନ ଭିତରେ ସେମାନଙ୍କ ଘରକୁ ନୂଆ ଅତିଥି ଆସିଥାନ୍ତେ । ଦୁର୍ଘଟଣା ଖବର ଆସିବା ପରେ ଅଖିଳେଶଙ୍କ ପୈତୃକ ଗ୍ରାମ ଶୋକର ପରିବେଶ । ପରିବାର ଗୁମୁରି ଗୁମୁରି କାନ୍ଦୁଛି ।  ଅଖିଳେଶ ବାପା ଡାକ ଶୁଣିବା ପୂର୍ବରୁ ଦୁନିଆକୁ କହିଲେ ଅଲବିଦା । ଆଉ ତାଙ୍କ ସନ୍ତାନ ଜନ୍ମରୁ ହୋଇଗଲା ପିତୃହରା ।

୨୦୧୭ରେ ଅଖିଳେଶ ଏୟାର ଇଣ୍ଡିଆରେ ଯୋଗ ଦେଇଥିଲେ । ଲକଡାଉନ୍ ପୂର୍ବରୁ ସେ ଘରକୁ ଆସିଥିଲେ । ତା’ପରଠାରୁ ସେ ଘରକୁ ଯାଇନଥିଲେ । ବନ୍ଦେ ଭାରତ ମିଶନରେ ସେ ପ୍ରବାସୀ ଭାରତୀୟଙ୍କୁ ନିଜ ଦେଶକୁ ଫେରାଇ ଆଣିବାକୁ ନିୟମିତ ଉଡାଣ ଭରୁଥିଲେ । କିନ୍ତୁ ଏବେ ସେ ଏମିତି ଗୋଟିଏ ଉଡାଣରେ ଯାଇଛନ୍ତି,ଯେଉଁଠୁ ଆଉ କେବେ ଫେରିବେ ନାହିଁ ।

Leave a Reply