ମୃତ୍ୟୁ ମୁହଁରେ ବି କର୍ତ୍ତବ୍ୟକୁ ଭୁଲିନଥିଲେ ୱିଙ୍ଗ୍ କମାଣ୍ଡର ଦୀପକ ସାଠେ, ଅଭିଜ୍ଞତା ପାଇଁ ବଂଚିଗଲା ଅନେକ ଜୀବନ

କେରଳ: କରୋନା କବଳରୁ ବଂଚିବା ପାଇଁ ଘରକୁ ଫେରୁଥିଲେ । କିନ୍ତୁ ଘର ଅପହଂଚ ହୋଇଗଲା । ସେମାନେ ଆଉ କେବେ ମଧ୍ୟ ଘରକୁ ଫେରିବେ ନାହିଁ । କାରଣ ଯେଉଁ ମାଟିକୁ ଫେରିବାର ଖୁସୀ ନେଇ ସେମାନେ ଆସୁଥିଲେ ସେହି ମାଟିକୁ ଛୁଇଁ ସେମାନଙ୍କ ବିମାନ ଖଣ୍ଡବିଖଣ୍ଡିତ ହୋଇଗଲା । ଏହା ସହ ଚାଲିଗଲା ୧୮ ଜୀବନ । କିନ୍ତୁ ଏହି ଦୁର୍ଘଟଣା ଭିତରେ ବି ଜନ୍ମ ନେଇଛନ୍ତି ଜଣେ ପ୍ରକୃତ ହିରୋ । ଯିଏ ନିଜେ ମରି ମଧ୍ୟ ଅନ୍ୟମାନଙ୍କୁ ଦେଲେ ଜୀବଦାନ ।

ରାତି ପ୍ରାୟ ୭ଟା ୪୧… ଦୁବାଇରୁ କେରଳର କୋଝିକୋଡ ଫେରୁଥିଲା ଏୟାର ଇଣ୍ଡିଆ ବିମାନ । ବିମାନରେ ଥିଲେ ୧୯୧ ପ୍ରବାସୀ ଭାରତୀୟ । କେଇ ମୁହୂର୍ତ୍ତରେ ଟଚ୍ ଡାଉନ୍ କରିଥାନ୍ତା ବିମାନ । ହୋଇଥାନ୍ତା ହାପି ଲ୍ୟାଣ୍ଡିଂ । ତେବେ ଭାଗ୍ୟ କରୁଥିଲା ଷଡ଼ଯନ୍ତ୍ର । ବିମାନ ଲ୍ୟାଣ୍ଡ୍ କଲା କିନ୍ତୁ କ୍ରାସ୍ ଲ୍ୟାଣ୍ଡିଂ । ରନୱେରୁ ବାହାରି ଯାଇଁ କାନ୍ଥରେ ମାଡ ହୋଇଥିଲା ଫ୍ଲାଇଟ୍ । ଯେଉଁ ବିମାନରେ ଘରକୁ ଫେରିବାର ଖୁସୀ ଥିଲା ତ’ ଭିତରେ ଛାଇଯାଇଥିଲା ଆତଙ୍କ । କେହି କିଛି ବୁଝିବା ପୂର୍ବରୁ ଆଖି ପିଛୁଳାକେ ଖଣ୍ଡବିଖଣ୍ଡିତ ହୋଇଗଲା ବିମାନ । ଦୁର୍ଘଟଣାରେ ଦୁଇ ପାଇଲଟଙ୍କ ସମେତ  ୧୮ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଛି । ସେହି ଦୁଇ ପାଇଲଟଙ୍କ ମଧ୍ୟରୁ ଜଣେ ହେଉଛନ୍ତି ୱିଙ୍ଗ୍ କମାଣ୍ଡର ଦୀପକ ବସନ୍ତ ସାଠେ ।

ବିମାନ ଦୁର୍ଘଟଣାଗସ୍ତ ହେବାକୁ ଯାଉଛି ଏହା ଜାଣିଥିଲେ ଦୀପକ ସାଠେ । ମୃତ୍ୟୁ ସହ ମୁହାଁମୁହିଁ ହୋଇ ମଧ୍ୟ ସେ ହାରିନଥିଲେ । ବିମାନରେ କେମିତି ନିଆଁ ଲାଗିବ ନାହିଁ, ଯାତ୍ରୀ ସୁରକ୍ଷିତ ରହିବେ, ସେଥିପାଇଁ ସେ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ କରିଥିଲେ ଉଦ୍ୟମ । ବିମାନରେ ଯେମିତି ନିଆଁ ନଲାଗିବ ସେଥିପାଇଁ ନିଜର ପୁରା ଅଭିଜ୍ଞତାକୁ କାମରେ ଲଗାଇଥିଲେ । ଦୀପକ କିପରି ପ୍ଲେନରେ ନିଆଁ ଲାଗିବାକୁ ଦେଇନଥିଲେ ସେ ସଂପର୍କରେ ତାଙ୍କ ସଂପର୍କୀୟ ଭାଇ ନିଲେଶ ସାଠେ ଫେସବୁକରେ ବର୍ଣ୍ଣନା କରିଛନ୍ତି ।

ନିଲେଶ କହିଛନ୍ତି ଯେ, ବିମାନଟି ରନୱେରେ ଲ୍ୟାଣ୍ଡ କରିବା ପୂର୍ବରୁ ଲାଣ୍ଡିଂ ଗିଅର ଅକାମି ହୋଇଯାଇଥିଲା । ବିମାନର ଇନ୍ଧନ ସାରିବା ପାଇଁ ଦୀପକ ଏୟାରପୋର୍ଟରେ ତିନି ରାଉଣ୍ଡ ଲଗାଇଥିଲେ । ତିନି ରାଉଣ୍ଡ ପରେ ଦୀପକ ବିମାନ ଲ୍ୟାଣ୍ଡ କରାଇଥିଲେ । ବିମାନର ଡାହାଣ ଡେଣା ଭାଙ୍ଗି ଯାଇଥିଲା ତେଣୁ ପ୍ଲେନ କ୍ରାସ ହେବାର ଠିକ କିଛି ସମୟ ପୂର୍ବରୁ ସେ ଇଞ୍ଜିନକୁ ବନ୍ଦ କରିଦେଇଥିଲେ । ସେଥିପାଇଁ ବିମାନରେ ନିଆଁ ଲାଗିନଥିଲା ।

ଦୀପକଙ୍କ ୩୬ ବର୍ଷର ଅନୁଭବ ଥିଲା । ସେ ଏନଡିଏ ପାସଆଉଟ ଏବଂ ସୋର୍ଡ ଅଫ୍ ଅନର ଆୱାର୍ଡରେ ସମ୍ମାନିତ ହୋଇଥିଲେ । ୨୦୦୫ରେ ଏୟାର ଇଣ୍ଡିଆ ଏୟାର ଇଣ୍ଡିଆରେ ଯୋଗ ଦେବା ପୂର୍ବରୁ ସେ ୨୧ ବର୍ଷ ଏୟାରଫୋର୍ସରେ ମଧ୍ୟ କାମ କରିଥିଲେ । ଏହିପରି ଭାବରେ ଦୀପକ ନିଜେ ସହିଦ ହୋଇ ମଧ୍ୟ ୧୮୦ ବିମାନ ଯାତ୍ରୀଙ୍କ ଜୀବନ ବଞ୍ଚାଇଥିଲେ ।

Leave a Reply