ଆତଙ୍କବାଦୀଙ୍କ ଗୁଳି ନେଲା ଜେଜେଙ୍କ ଜୀବନ,ଯବାନଙ୍କ କୋଳରେ ଶିଶୁର ଫଟୋ ହେଲା ଭାଇରାଲ

1 min read

ଶ୍ରୀନଗର: ହୃଦୟକୁ ଥରାଇ ଦେବା ଭଳି ଆତଙ୍କବାଦର ଏକ ଚିତ୍ର ପୁଣିଥରେ ସାମ୍ନାକୁ ଆସିଛି । ଏହି ଚିତ୍ର ଆସିଛି କାଶ୍ମୀରରୁ । ଜାମ୍ମୁ-କାଶ୍ମୀରର ସୋପୋରରେ ସିଆରପିଏଫ୍ ଉପରେ ଆତଙ୍କବାଦୀ ହମଲା କରିଥିଲେ । ଯେଉଁଥିରେ ଜଣେ କନେଷ୍ଟବଲ ସହିଦ ହୋଇଥିବା ବେଳେ ଅନ୍ୟଜଣେ ବେସାମରିକ ବରିଷ୍ଠ ନାଗରିକ ଆତଙ୍କବାଦୀଙ୍କ ଗୁଳିରେ ପ୍ରାଣ ହରାଇଛନ୍ତି ।

kasmir kid with crpf

(ଶିଶୁକୁ ସୁରକ୍ଷିତ ସ୍ଥାନରେ ରହିବାକୁ ଇସାରାରେ କହୁଛନ୍ତି ଯବାନ)

ଏହା ମଧ୍ୟରେ ସୋସିଆଲ ମିଡିଆରେ ଗୋଟିଏ ମାର୍ମିକ ଚିତ୍ର ଭାଇରାଲ ହେବାରେ ଲାଗିଛି । ଗୁଳିମାଡ ଭିତରେ ସିଆରପିଏଫର ଜଣେ ଯବାନ ନିଜ ଜୀବନକୁ ବାଜିରେ ଲଗାଇ ବୃଦ୍ଧଙ୍କ ସହ ଥିବା ତାଙ୍କର ତିନି ବର୍ଷର ନାତିକୁ ଉଦ୍ଧାର କରିଥିଲେ । ଯବାନ ଜଣକ ସେହି ଶିଶୁକୁ କାଖକରି ସୁରକ୍ଷିତ ସ୍ଥାନକୁ ନେଇଯାଇଥିଲେ । ସେହି ସମୟର ଫଟୋ ଓ ଭିଡିଓ ଭାଇରାଲ ହେବାରେ ଲାଗିଛି ।

kashmir kid terror attack

(ଯବାନଙ୍କ କୋଳରେ ଶିଶୁ)

ମିଡିଆ ରିପୋର୍ଟ ଅନୁସାରେ ଶିଶୁଟି ତା’ ଜେଜେବାପାଙ୍କ ସହ ପ୍ରାତଃ ଭ୍ରମଣରେ ଯାଉଥିବା ବେଳେ ଗୁଳିମାଡ ଭିତରେ ସେମାନେ ଫସିଥିଲେ । ଗୁଳି ତା’ ଜେଜେଙ୍କୁ ଲାଗିଥିଲା । ଘଟଣାସ୍ଥଳରେ ଜେଜେଙ୍କର ମୃତ୍ୟୁ ହୋଇଥିଲା ।

https://twitter.com/JournoDanish/status/1278198103661674497

(ଆତଙ୍କବାଦର ଛାତି ଥରାଇଲା ଭଳି ଚିତ୍ର,ଏହି ପିଲାର ନୀରିହ ପ୍ରଶ୍ନର କିଛି ଉତ୍ତର ତଥାକଥିତ ଜିହାଦୀଙ୍କ ପାଖରେ ଅଛି କି ?)

ଗୋଟିଏ ଫଟୋରେ ପିଲାଟିକୁ ରକ୍ତାକ୍ତ ଜେଜେଙ୍କ ପାଖରେ ବସିଥିବା ଦେଖିବାକୁ ମିଳିଥିଲା । ଗୁଳି ଶବ୍ଦ ଭିତରେ ସେ ଭୟରେ କାନ୍ଦୁଥିଲା । ଏହି ସମୟରେ ଜଣେ ଯବାନ ସେଠାକୁ ଆସି ତାକୁ କୋଳେଇ ନେଇଥିଲେ । ପିଲାଟିକୁ ସେ ଆଉଁଷିବା ସହ ତା’ ସହିତ କଥା ହେଉଥିବା ଚିତ୍ର ଭାଇରାଲ ହେଉଛି ।ଅନ୍ୟଏକ ଫଟୋରେ ଶିଶୁଟି ସିଆରପିଏଫ୍ ଭ୍ୟାନରେ ବସି କାନ୍ଦୁଥିବା ଦେଖାଯାଇଛି । ହାତରେ ତା’ର ଗୋଟିଏ ବିସ୍କୁଟ୍ ପ୍ୟାକେଟ୍ ସେହି ସମୟରେ ଥିଲା ।

କିଛି ଦିନ ତଳେ ପାକ୍ ସମର୍ଥିତ ଜିହାଦୀ ବିଜବେହେରାରେ ଜଣେ ପାଂଚ ବର୍ଷର ଶିଶୁର ହତ୍ୟା କରିଥିଲେ । ତେବେ ଶିଶୁ ହତ୍ୟାକାରୀଙ୍କୁ ସେନା ମାତ୍ର କେଇ ଦିନ ଭିତରେ ସଫା କରିବାରେ ସଫଳ ହୋଇଥିଲା । ପାକିସ୍ତାନୀ ଆତଙ୍କବାଦୀ ଗତ କେଇ ମାସ ଧରି ସାଧାରଣ ନାଗରିକଙ୍କୁ ଟାର୍ଗେ୍ଟ କରି ଆସୁଛନ୍ତି ।

 

Leave a Reply