‘ପରମାଣୁ ବୋମା କାର୍ଯ୍ୟକ୍ରମ’ର ଜନକ ମୋହସିନ୍‌ଙ୍କୁ ଦିନ ଦ୍ୱିପହରେ ଗୁଳି କରି ହତ୍ୟା..

ଇରାନ: ‘ପରମାଣୁ ବୋମା କାର୍ଯ୍ୟକ୍ରମ’ର ଜନକ କୁହାଯାଉଥିବା ବିଶିଷ୍ଟ ବୈଜ୍ଞାନିକ ମୋହସିନ୍ ଫକ୍ରିଜାଦେହଙ୍କୁ ଶୁକ୍ରବାର ଦେଶର ରାଜଧାନୀ ତେହେରାନରେ ଦିନ ଦ୍ୱିପହରେ ଗୁଳି କରି ହତ୍ୟା କରାଯାଇଛି । ଏହି ହତ୍ୟା ପାଇଁ ଇସ୍ରାଏଲର ଗୁଇନ୍ଦା ସଂସ୍ଥା ମୋସାଦଙ୍କୁ ଦାୟୀ କରାଯାଇଛି । ଆକ୍ରମଣକାରୀମାନେ ମୋହସିନ୍‌ଙ୍କ କାର ଉପରକୁ ଗୁଳି ବର୍ଷା କରିଥିଲେ ଯେଉଁଥିରେ ତାଙ୍କର ମୃତ୍ୟୁ ହୋଇଥିଲା । ଇରାନ୍‌ର ବରିଷ୍ଟ ବୈଜ୍ଞାନିକଙ୍କ ହତ୍ୟା ପରେ ଏବେ ପଶ୍ଚିମ ଏସିଆରେ ଯୁଦ୍ଧର ମାହୋଲ ଦେଖିବାକୁ ମିଳିଛି ।

ଇରାନର ବୈଦେଶିକ ମନ୍ତ୍ରୀ ଏହାକୁ ଆତଙ୍କବାଦୀ କାର୍ଯ୍ୟକଳାପର ଆଖ୍ୟା ଦେଇଥିବା ବେଳେ ଇସ୍ରାଏଲକୁ କଡ଼ା ସମାଲୋଚନା କରିଛନ୍ତି । ଶୁକ୍ରବାର ଟ୍ୱିଟ୍‌ କରି ସେ ଏହି ଘଟଣାକୁ ନିନ୍ଦା କରିବା ସହ କହିଛନ୍ତି, ଏହା କାପୁରୁଷତାର ଲକ୍ଷଣ । ଅନ୍ୟପଟେ ଇରାନ ପକ୍ଷରୁ ଇସ୍ରାଏଲ୍‌କୁ ଏଭଳି କଡ଼ା ସମାଲୋଚନା କରାଯାଇଥିବା ବେଳେ ଇସ୍ରାଏଲ କିନ୍ତୁ ଏଭଳି କୌଣସି ଟିପ୍ପଣି ଦେବାକୁ ମନା କରିଦେଇଛି ।

ଏହି ହତ୍ୟା ଘଟଣା ସେତେବେଳେ ସାମ୍ନାକୁ ଆସିଛି, ଯେତେବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍‌ର ପରମାଣୁ କେନ୍ଦ୍ର ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରୁଥିବା କଥା ଚର୍ଚ୍ଚାକୁ ଆସିଛି । ଡୋନାଲ୍ଡ ଟ୍ରମ୍ପ ନବ ନିର୍ବାଚିତ ରାଷ୍ଟ୍ରପତି ବାଇଡେନ୍‌ଙ୍କୁ ଦାୟିତ୍ୱ ଦେବା ପୂର୍ବରୁ ଇରାନ୍‌ରେ ଆକ୍ରମଣ କରିବାର ଯୋଜନା କରୁଛନ୍ତି ବୋଲି ଜୋର୍‌ଦାର ଆଲୋଚନା ହେଉଛି ।

Leave a Reply