ଲଘୁଚାପ ପ୍ରଭାବରେ ୫ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି, ବେହାଲ ମାଲକାନଗିରି, ବିପଦ ସଂକେତ ଛୁଇଁଲା ବୈତରଣୀ

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଜାରି ରହିଛି ବର୍ଷା । କୋରାପୁଟ, ନବରଙ୍ଗପୁର, ମାଲକାନଗିରି, ସୁନ୍ଦରଗଡ ଓ ଦେବଗଡରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏସବୁ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହିପରି ପଶ୍ଚିମ ଓଡ଼ିଶାର ନୂଆପଡ଼ା, କଳାହାଣ୍ଡି, ବଲାଙ୍ଗୀର, ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଏବଂ ଉତ୍ତର ଓଡ଼ିଶାର କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି । ୨୩ ତାରିଖରେ ଆସୁଥିବା ଆଉ ଏକ ଲଘୁଚାପ ପ୍ରଭାବରେ ବର୍ଷାର ପରିମାଣ ବଢିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ସେପଟେ ଲଘୁଚାପ ବର୍ଷାରେ ବେହାଲ୍ ମାଲକାନଗିରି ସ୍ଥିତି । ଲଗାଣ ବର୍ଷାରେ କାଲିମେଳା ଓ ପଡିଆ ବ୍ଲକର ପ୍ରାୟ ସମସ୍ତ ନଦୀର ଜଳସ୍ତର ବଢିବାରେ ଲାଗିଛି । ପୋଲ ଉପରେ ଚାଲିଛି ବନ୍ୟା ଜଳ । କଙ୍ଗାରୁକୋଣ୍ଡା, ଏମଭି ୯୬,  ମହାରାଜପଲ୍ଲୀ, କାଲିମେଳା କନ୍ୟାଶ୍ରମ ପୋଲ ଉପରେ ବନ୍ୟା ଜଳ ଚାଲିଛି । ଯାତାୟତ ସମ୍ପୂର୍ଣ୍ଣ ରୂପେ ଠପ୍ ହୋଇଯାଇଛି । ଗତକାଲି ଜିଲ୍ଲାପ୍ରଶାସନ ପକ୍ଷରୁ ଡାକ ବାଜି ସାହାଯ୍ୟରେ ତଳିଆ ଅଞ୍ଚଳର ଲୋକ ମାନଙ୍କୁ ବନ୍ୟା ଆଶ୍ରୟସ୍ଥଳୀକୁ ଯିବା ପାଇଁ କୁହାଯାଇଛି । କାଲିମେଳାରୁ ମୋଟୁ ଓ ମାଲକାନଗିରିରୁ କାଲିମେଳା ମଧ୍ୟରେ ଯୋଗାଯୋଗ ବିଛିନ୍ନ ହୋଇଛି। ଗତ ୨୪ ଘଣ୍ଟାରେ ଜିଲ୍ଲାର ପଡିଆ ବ୍ଲକରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି।

ଭଦ୍ରକରେ ଆଖୁଆପଦାରେ ଫୁଲୁଛି ବୈତରଣୀ ନଦୀ । ଆଖୁଆପଦା ଠାରେ ବିପଦ ସଙ୍କେତ ୧୭ ଦଶମିକ ୮୩ ମିଟର ଥିବା ବେଳେ, ବିପଦସଙ୍କେତ ଛୁଇଁଛି ନଦୀର ଜଳସ୍ତର । ଉପରମୁଣ୍ଡ ଅର୍ଥାତ କେନ୍ଦୁଝରରେ ପ୍ରବଳ ବର୍ଷା ଯୋଗୁଁ, କ୍ରମାଗତ ଭାବେ ବୈତରଣୀର ଜଳସ୍ତର ବୃଦ୍ଧି ପାଉଛି । ସେପଟେ ବିପଦ ସଙ୍କେତ ଛୁଇଁବା ପରେ ତଳମୁଣ୍ଡରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି । ସାମ୍ଭାବ୍ୟ ବନ୍ୟାସ୍ଥିତିକୁ ଦେଖି ପ୍ରଶାସନ ସଜାଗ ରହିଛି ।

Leave a Reply