ଓଟିଭିକୁ ତାଗିଦ କଲା ଅଗ୍ନିଶମ ବିଭାଗ; ବିନା ଅନୁମତିରେ ନିର୍ମାଣ ହୋଇଛି ଷ୍ଟୁଡିଓ ଓ ମେକଅପ୍ ରୁମ୍…..

ଭୁବନେଶ୍ୱର: ଓଟିଭି ଅଫିସରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଠିକ୍ ନଥିବା ନେଇ ପରିଚାଳନା ନିର୍ଦ୍ଦେଶିକା ଜଗି ମଙ୍ଗତ ପଣ୍ଡାଙ୍କୁ ଅଗ୍ନିଶମ ବିଭାଗ ଚିଠି ଲେଖିଛି । ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷଙ୍କ ବିନା ଅନୁମତିରେ କୋଠାର ବେସ୍‌ମେଣ୍ଟରେ ଡାଇନିଙ୍ଗ ହଲ, ଷ୍ଟୁଡିଓ ଓ ମେକପ୍ ରୁମ୍ ନିର୍ମାଣ କରାଯାଇଥିବା ଚିଠିରେ ଉଲ୍ଲେଖ କରାଯାଇଛି ।  ତେବେ ଅଗ୍ନିଶମ ବିଭାଗ ପକ୍ଷରୁ କୁହାଯାଇଛି ଯେ, ବିଡିଏଠାରୁ ଅନୁମତି ନେବା ବେଳେ ବିଲ୍ଡିଂରେ କେବଳ ଅଫିସ୍ କରିବା କଥା କୁହାଯାଇଥିଲା । ମାତ୍ର ଏବେ ବେସମେଣ୍ଟରେ ଡାଇନିଙ୍ଗ ହଲ୍, ଷ୍ଟୁଡିଓ ଓ ମେକପ୍ ରୁମ୍ ଦେଖିବାକୁ ମିଳିଛି ।

ତେବେ ଏସବୁ ପାଇଁ ଓଟିଭି କର୍ତ୍ତୃପକ୍ଷଙ୍କ ପାଖରେ ଅନୁମତି ନଥିଲା । ସେହିଭଳି, ଯେଉଁ ସ୍ଥାନକୁ ଓଟିଭି କେବଳ ପାର୍କିଂ ପାଇଁ ଖାଲି ଛାଡିବା କଥା ତାହାକୁ ମଧ୍ୟ ଭିନ୍ନ କାର୍ଯ୍ୟରେ ବ୍ୟବହାର କରାଯାଇଛି । ଏସବୁ ବିଡିଏର ବିନା ଅନୁମତି ହୋଇଥିବାରୁ, ଖୋଲାଖୋଲି ଭାବେ ଆଇନର ଉଲଂଘନ ବୋଲି ଗ୍ରହଣ କରାଯାଇଛି । ସେହିଭଳି ନିର୍ମାଣ ହୋଇଥିବା ଷ୍ଟୁଡିଓରେ  ମଧ୍ୟ ସହଜରେ ଅଗ୍ନି ସଂଯୋଗ ହୋଇପାରିଲା ଭଳି ଅନେକ ବସ୍ତୁ ରହିଛି । ତେଣୁ କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି ।

ଦୁର୍ଭାଗ୍ୟବଶତଃ ଯଦି ଅଗ୍ନି ସଂଯୋଗ ହୁଏ ତେବେ ସେଠାରେ ଅଗ୍ନିରୁ ସୁରକ୍ଷା ନେଇ କୌଣସି ବ୍ୟବସ୍ଥା ହୋଇନାହିଁ । ତେବେ କର୍ମଚାରୀଙ୍କ ସୁରକ୍ଷା ଦୃଷ୍ଟିରୁ ଯଥାଶୀଘ୍ର ଆବଶ୍ୟକୀୟ ପଦକ୍ଷେପ ନେବାକୁ  ଓଟିଭିକୁ ପରାମର୍ଶ ଦିଆଯାଇଥିବା ବେଳେ, ଭବିଷ୍ୟତରେ ଅଘଟଣ ଘଟିଲେ ଏଥିପାଇଁ ସଂସ୍ଥାର କର୍ତ୍ତୃପକ୍ଷ ଦାୟୀ ରହିବେ ବୋଲି ଅଗ୍ନିଶମ ବିଭାଗ ଚିଠିରେ ଉଲ୍ଲେଖ କରିଛି ।

Leave a Reply