କରୋନାର ନୂଆ ଷ୍ଟ୍ରେନ୍‌କୁ ମାତ ଦେଇପାରିବ ଟିକା

ନୂଆଦିଲ୍ଲୀ: ଭାରତରେ ପଶିଲା କରୋନାର ନୂଆ ଷ୍ଟ୍ରେନ୍ । ୬ ବ୍ରିଟେନ୍ ଫେରନ୍ତା ଏଥିରେ ସଂକ୍ରମିତ । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ବେଙ୍ଗାଲୁରୁ ଲ୍ୟାବ୍‌ରୁ ୩ଜଣଙ୍କ ନମୁନା ପଜିଟିଭ୍ ଆସିଥିବା ବେଳେ ହାଇଦ୍ରାବାଦରୁ ୨ ଓ ପୁନେସ୍ଥିତ ଲ୍ୟାବ୍‌ରୁ ଜଣେ ଚିହ୍ନଟ ହୋଇଛନ୍ତି । ସମସ୍ତ ସଂକ୍ରମିତଙ୍କୁ ଆଇସୋଲେସନ୍‌ରେ ରଖାଯାଇଛି । ସେମାନଙ୍କ ପରିବାର ଓ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରି କ୍ୱାରେଣ୍ଟାଇନରେ ରଖାଯାଇଛି । ନଭେମ୍ବର୨୫ରୁ ଡିସେମ୍ବର ୨୩ ମଧ୍ୟରେ ବ୍ରିଟେନ୍‌ରୁ ୩୩ ହଜାର ଯାତ୍ରୀ ଭାରତ ଆସିଛନ୍ତି । ସେମାନଙ୍କ ମଧ୍ୟରୁ ୧୧୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ପଜିଟିଭ୍ ଚିହ୍ନଟ ପରେ ଆଡ୍‌ଭାନ୍ସ ଟେଷ୍ଟିଂ ପାଇଁ ସେମାନଙ୍କ ସ୍ବାବ୍ ନମୁନା ଦେଶର ୧୦ଟି ଲ୍ୟାବ୍‌କୁ ପଠାଯାଇଥିଲା । ସେଥିରୁ ୬ ନମୂନା ପଜିଟିଭ୍ ଆସିଛି । ନୂଆ ଷ୍ଟ୍ରେନ୍‌କୁ ଆଖିରେ ରଖି କେନ୍ଦ୍ର ସରକାର ଜାନୁଆରୀ ୩୧ ପର୍ଯ୍ୟନ୍ତ କୋଭିଡ୍ କଟକଣା ବଢାଇଛନ୍ତି । ଏଥିସହ ୟୁକେ ଷ୍ଟ୍ରେନ୍‌ଠାରୁ ସତର୍କ ରହିବାକୁ କୁହାଯାଇଛି ।

ସେହିଭଳି ନୂଆ ଷ୍ଟ୍ରେନରେ ଆକ୍ରାନ୍ତ ହେବା ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ଦେଶରେ ପ୍ରସ୍ତୁତ ହେଉଥିବା କରୋନା ଟିକା ନୂଆ ଷ୍ଟ୍ରେନକୁ ମାତ ଦେଇପାରିବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ବ୍ରିଟେନରୁ ଆସୁଥିବା ସମସ୍ତଙ୍କ କରୋନା ଟେଷ୍ଟ କରାଯାଉଛି । ଯେଉଁ ଯାତ୍ରୀଙ୍କ କରୋନା ରିପୋର୍ଟ ପଜିଟିଭ ଆସୁଛି ସେମାନଙ୍କ ଜେନମ ସିକ୍ୟୁଏନସିଂ କରାଯାଉଛି ।

ଏନେଇ ଦେଶର ୧୦ ଲ୍ୟାବରେ ବ୍ୟବସ୍ଥା କରାଯାଇଛି । ଯାତ୍ରୀମାନେ ଯେଉଁ ଲୋକଙ୍କ ସମ୍ପର୍କରେ ଆସୁଛନ୍ତି ସେମାନଙ୍କୁ ଆଇସୋଲେସନରେ ରଖାଯାଉଛି । ନୂଆ ଷ୍ଟ୍ରେନ ଯେଭଳି ବିସ୍ତାର ନକରେ ସେଥିପାଇଁ ସତର୍କ ରହିବାକୁ ପଡ଼ିବ । ମାସ୍କ ବ୍ୟବହାର କରିବା ସହ ସାମାଜିକ ଦୂରତା ରକ୍ଷା ଓ ହାତ ସାନିଟାଇଜ୍ କରିବାକୁ ଗୁରୁତ୍ୱ ଦେଇଛି ସ୍ୱାସ୍ଥ୍ୟମନ୍ତ୍ରାଳୟ । ସେପଟେ ୬ ମାସ ପରେ ଦୈନିକ କରୋନା ସଂକ୍ରମଣ ୧୭ ହଜାର ତଳକୁ ଖସିଥିବା ବେଳେ ମୃତ୍ୟୁ ସଂଖ୍ୟା ୩ ଶହ ତଳକୁ ଖସିଛି । ଆଗକୁ ଏହି ସଂଖ୍ୟା ଆହୁରି ଖସିବା ନେଇ ଆକଳନ କରାଯାଉଛି ।

Leave a Reply