ମହିଳାଙ୍କୁ ସହାୟ ହେଲେ ମୁଖ୍ୟମନ୍ତ୍ରୀ: ଆର୍ଥିକ ସହାୟତା ପ୍ରଦାନ ସହ ପିଲାଙ୍କ ପାଠ ପଢ଼ା ନେଇ କଲେ ବନ୍ଦୋବସ୍ତ

ଭୁବନେଶ୍ୱର: ଅସହାୟ ପରିବାରକୁ ସହାୟତାର ହାତ ବଢାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କଟକ ଜିଲ୍ଲା କାକୁଡ଼ିଆପଡା ଗ୍ରାମର ରମେଶ ବୈଶାଖ ଜଣେ ଡ୍ରାଇଭର। ଦୁଇ ମାସ ପୂର୍ବେ ହୃଦଘାତରେ ମୃତ୍ୟୁ ବରଣ କରିଥିଲେ। ରମେଶଙ୍କ ଦେହାନ୍ତ ପରେ ତାଙ୍କ ବିଧବା ପତ୍ନୀ ନିରୂପମା ତିନି ଝିଅଙ୍କ ଭବିଷ୍ୟତକୁ ନେଇ ଚିନ୍ତାରେ ଥିଲେ। ପରିବାର ଚଳାଇବା ପାଇଁ ଘର ଘର ବୁଲି କାମ କରୁଥିଲେ। କିିନ୍ତୁ ବିଭିନ୍ନ ସ୍ଥାନରେ ତାଙ୍କୁ ନିରାଶ ହେବାକୁ ପଡ଼ିଛି। ଏଭଳି ପରିସ୍ଥିତିରେ ବାଧ୍ୟ ହୋଇ ଆତ୍ମହତ୍ୟା କରିବାକୁ ମନ ବଳାଇଥିଲେ। ଗତ କିଛି ଦିନ ହେଲା ଭୁବନେଶ୍ୱର ଆସି ପିଲାଛୁଆଙ୍କ ସହ ବସ୍ତିରେ ଆଶ୍ରୟ ନେଇଥିଲେ ନିରୂପମା। ଏଭଳି ଖବର ମୁଖ୍ୟମନ୍ତ୍ରୀଙ୍କ ନଜରକୁ ଆସିବା ପରେ ତୁରନ୍ତ ସେ ସହାୟତାର ହାତ ବଢ଼ାଇଛନ୍ତି । ନିରୂପମାଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ସହ ଦୁଇ ଝିଅଙ୍କୁ ଅରଫାନଏଜ ହୋମରେ ରଖିବାର ବନ୍ଦୋବସ୍ତ କରିବାକୁ ନିର୍ଦେଶ ଦେଇଛନ୍ତି। ଯାଜପୁର ବିଧାୟକ ତଥା ବିଜୁ ଜନତା ଦଳର ସାଧାରଣ ସମ୍ପାଦକ(ସଂଗଠନ) ପ୍ରଣବ ପ୍ରକାଶ ଦାସଙ୍କ ସରକାରୀ କ୍ୱାର୍ଟରରେ ରାଜ୍ୟ ଭିନ୍ନକ୍ଷମ ଆୟୋଗ ଆୟୁକ୍ତ ସୁଲୋଚନା ଦାସଙ୍କ ଉପସ୍ଥିତିରେ ନିରୂପମାଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଉଭୟ ଝିଅଙ୍କ ପାଠପଢା ଦାୟିତ୍ୱ ମଧ୍ୟ ନେବାକୁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଏଭଳି ସହାୟତା ଯୋଗୁଁ ତାଙ୍କ ପରିବାର ବଞ୍ଚି ଯାଇଥିବା ବେଳେ ପିଲାଙ୍କ ଭବିଷ୍ୟତ ଚିନ୍ତା ଦୂର ହୋଇପାରିଥିବା କହିଛନ୍ତି ନିରୂପମା। ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ।

Leave a Reply