ପ୍ରଦୀପ ମହାରଥୀଙ୍କ ପରଲୋକ ନେଇ ଗୃହକୁ ଅବଗତ କରାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

1 min read

ଭୁବନେଶ୍ୱର: ପିପିଲି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀ ଆଉନାହାନ୍ତି । ଏ ନେଇ ଆଜି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କୁ ଚିଠି ଲେଖି ଗୃହକୁ ଅବଗତ କରାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଗଭୀର ଦୁଃଖ ବ୍ୟକ୍ତ କରିବା ସହ  ତାଙ୍କ ରାଜନୈତିକ ଜୀବନୀ ଓ ଉପଲବ୍ଧି ସମ୍ପର୍କରେ ସୂଚିତ କରିଛନ୍ତି ।

            ମାନ୍ୟବର ବାଚସ୍ପତିଙ୍କୁ ନିକଟକୁ ଲେଖିଥିବା ଚିଠିରେ ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ, ସ୍ୱର୍ଗତ ମହାରଥୀ ୪ ଜୁଲାଇ ୧୯୫୫ ମସିହାରେ ପୁରୀ ଜିଲ୍ଲା ଖୋରାପଦାରେ ଜନ୍ମଗ୍ରହଣ କରିଥିଲେ । ସେ ଓଡ଼ିଶା ବିଧାନସଭାକୁ ୨୦୦୦ ମସିହା ଠାରୁ ଲଗାତାର ନିର୍ବାଚିତ ହୋଇଆସିଥିବା ବେଳେ ୧୯୮୫, ୧୯୯୦, ୨୦୦୦, ୨୦୦୪, ୨୦୦୯, ୨୦୧୪ ଓ ୨୦୧୯ ମସିହାକୁ ମିଶାଇ ମୋଟ ୭ ଥର ସେ ରାଜ୍ୟ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି । ସେ ୧୯୯୦ ମସିହାରେ ସରକାରୀ ଉପ ମୁଖ୍ୟ ସଚେତକ ଏବଂ ୨୦୦୦ ମସିହାରେ ସରକାରୀ ମୁଖ୍ୟ ସଚେତକ ଭାବେ ଦାୟିତ୍ୱ ତୁଲାଇଥିଲେ । ଏଥିସହିତ ସେ ୨୦୧୧-୧୨ ମସିହା ଯାଏଁ ରାଜ୍ୟ କୃଷି ମନ୍ତ୍ରୀ, କୃଷି, ୨୦୧୪-୨୦୧୭ ଯାଏଁ ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ, ୨୦୧୭-୧୯ ଯାଏଁ କୃଷି ଓ କୃଷକ ସଶକ୍ତିକରଣ ଏବଂ ପଞ୍ଚାୟତିରାଜ, ପାନୀୟ ଜଳ, ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ମନ୍ତ୍ରାଳୟର ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ ।

 ରବିବାର ୬୬ ବର୍ଷ ବୟସରେ ତାଙ୍କ ଦେହାନ୍ତ ହୋଇଛି । ଏହା ରାଜ୍ୟ ତଥା ତାଙ୍କ ପରିବାରବର୍ଗଙ୍କ ନିମନ୍ତେ ଅପୂରଣୀୟ କ୍ଷତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ରାଜନୀତିର ମହାରଥୀଙ୍କୁ କେବେ ଭୁଲି ହେବ ନାହିଁ, ମନେ ରହିବ ସେ ଅନ୍ଦାଜ

Leave a Reply