ରାଜନୀତିର ମହାରଥୀଙ୍କୁ କେବେ ଭୁଲି ହେବ ନାହିଁ, ମନେ ରହିବ ସେ ଅନ୍ଦାଜ

1 min read

ଭୁବନେଶ୍ୱର: ବିବାଦୀୟ,ବିତର୍କିତ କିନ୍ତୁ ଲୋକପ୍ରିୟ । ରାଜନୀତିର ମାହିର ଖେଳାଳି କିନ୍ତୁ ବେପରବାୟ । ୪୦ ବର୍ଷର ରାଜନୈତିକ କ୍ୟାରିୟର ଭିତରେ ଅନେକ ସଂକଟ ଆସିଥିଲା କିନ୍ତୁ ତାକୁ ମହାମେରୁ ଭଳି ସାମ୍ନା କରିଥିଲେ ମହାରଥୀ । ବିବାଦ ଓ ରାଜନୈତିକ ସଂକଟକୁ ନେଇ ମହାରଥୀଙ୍କ ଅଲଗା ଅନ୍ଦାଜ ଥିଲା । ବିଲକୁଲ ବେପରବାୟ । ଲୋକଙ୍କ ଭିତରୁ ଆସିଥିବା ମାଟିର ନେତା । ଲୋକଙ୍କ ସମର୍ଥନ ଥିଲା ତେଣୁ ଏହା କହିବାକୁ ସାହସ କରୁଥିଲେ,ସରି ନାହିଁ ଯୁଦ୍ଧ ହାରି ନାହିଁ ମହାରଥୀ ।

ଅଣକଂଗ୍ରେସ ରାଜନୀତିରୁ ନିଜ ରାଜନୈତିକ ଜୀବନ ଆରମ୍ଭ କରିଥିବା ମହାରଥୀ ଶେଷ ପର୍ଯ୍ୟନ୍ତ ସେହି ଅଣ କଂଗ୍ରେସ ରାଜନୈତିକ ମତବାଦର ସମର୍ଥକ ଥିଲେ । ଅନେକ ବିବାଦରେ ନାଁ ଉଠିଛି କିନ୍ତୁ ଲୋକପ୍ରିୟତା ଊଣା ହୋଇନି । ୧୯୮୦ ଦଶକରେ ଯେତେବେଳେ ସେ ରାଜନୀତିକୁ ଆସିଲେ ସେତେବେଳେ ସେ ଓଡ଼ିଶା ରାଜନୀତିର ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସହ ଥିଲେ । ଜନତା ପାର୍ଟିରୁ ଜନତା ଦଳ ପୁଣି ବିଜୁ ଜନତା ଦଳ । ପିପିଲିର ରାଜନୀତି ଗଲା ୪ ଦଶକ ଧରି ତାଙ୍କ ଚାରିପଟେ ହିଁ ଘୁରି ବୁଲୁଥିଲା । ୧୯୯୦ ମସିହାରେ ଯେତେବେଳ ଲମ୍ବା ରାଜନୈତିକ ବନବାସ ପରେ ବିଜୁ ପଟ୍ଟନାୟକ ପୁଣି କ୍ଷମତାକୁ ଫେରିଥିଲେ,ସେତେବେଳେ ପ୍ରଦୀପ ମହାରଥୀଙ୍କ ଭଳି ଯୁବ ଚେହେରା ତାଙ୍କ ସହିତ ଥିଲେ ।

୧୯୮୫ ମସିହାରେ ଜନତା ଦଳରେ ଯୋଗ ଦେବା ପୂର୍ବରୁ ସେ ପୁରୀର ଏସସିଏସ କଲେଜରୁ ହିଁ ନିଜ ରାଜନୈତିକ ଜୀବନ ଆରମ୍ଭ କରି ସାରିଥିଲେ । ୧୯୮୫ରେ ସେ ଜନତା ଦଳରେ ଯୋଗ ଦେବା ସହ ପିପିଲି ପାଇଁ ଟିକେଟ୍ ମଧ୍ୟ ପାଇଥିଲେ । ପିପିଲି ବିଧାନସଭା କ୍ଷେତ୍ରରୁ ପ୍ରଥମଥର ପ୍ରତିଦ୍ୱନ୍ଦ୍ୱିତା କରି ସେ ବିଜୟୀ ହୋଇଥିଲେ । ବିଜୟର ଏହି ଧାରା ଅନେକ ଅନ୍ତିମ ସମୟ ପର୍ଯ୍ୟନ୍ତ ଜାରି ରହିଥିଲା । ୧୯୮୫ ପରେ ୧୯୯୦ ନିର୍ବାଚନରେ ମଧ୍ୟ ପିପିଲି ବିଧାନସଭା କ୍ଷେତ୍ରରୁ ସେ ବିଜୟୀ ହୋଇଥିଲେ । ବିଜୁ ପଟ୍ଟନାୟକଙ୍କ ଦେହାବସାନ ପରେ  ବିଜୁ ଜନତା ଦଳ ଗଠିତ ହୋଇଥିଲା । ୨୦୦୦ ମସିହାରେ ସେ ବିଜୁ ଜନତା ଦଳରେ ସାମିଲ ହୋଇଥିଲେ । ୨୦୦୦ ମସିହା ପରଠାରୁ ସବୁ ବିଧାନସଭା ନିର୍ବାଚନରେ ସେ ବିଜୟୀ ହୋଇଥିଲେ । କହିବାକୁ ଗଲେ ପିପିଲିରେ ତାଙ୍କ ଲୋକ ପ୍ରିୟତା ଚରମରେ ଥିଲା । ଏମିତି ମଧ୍ୟ କୁହାଯାଇପାରେ ପିପିଲି ତାଙ୍କର ଥିଲା ଓ ସେ ପିପିଲିର ଥିଲେ ।

କୃଷି ଓ ମତ୍ସ୍ୟ ସଂପଦ ମନ୍ତ୍ରୀ ମନ୍ତ୍ରୀ ଭାବେ ତାଙ୍କ କାର୍ଯ୍ୟ ଉଲ୍ଲେଖନୀୟ ଥିଲା । ତାଙ୍କରି କାର୍ଯ୍ୟକାଳରେ ଓଡ଼ିଶା କୃଷି କର୍ମଣ ସମ୍ମାନ ପାଇଥିଲା । ତା’ପୁଣି କ୍ରମାଗତ ଭାବେ ଚାରି-ଚାରି ଥର । ନିଜକୁ ଚଷା ପୁଅ କହିବାକୁ ଭଲ ପାଉଥିବା ମହାରଥୀ ମାଟି ସହ ତାଙ୍କ ସଂପର୍କକୁ କାଟିନଥିଲେ । ନିଜ ନିର୍ବାଚନ ମଣ୍ଡଳୀ ସହ ଥିଲା ତାଙ୍କର ଅନ୍ତରଙ୍ଗ ସଂପର୍କ । ଚାଷ ସହ ଯଦି ତାଙ୍କର ଥିଲା ନିବିଡ ସଂପର୍କ ତେବେ ଓଡ଼ିଶାର ଲୋକ ସଂସ୍କୃତି ସହ ମଧ୍ୟ ମହାରଥୀଙ୍କର ଥିଲା ଆତ୍ମିୟତା । ଯାତ୍ରା ଜଗତ ସହିତ ମହାରଥୀଙ୍କ ସଂପର୍କ ବାବଦରେ ଉଣାଅଧିକେ ସମସ୍ତେ ଜାଣନ୍ତି । ନିଜ ଯାତ୍ରା ପାର୍ଟି ଜରିଆରେ ସେ କେବଳ କଳାକାରଙ୍କୁ ଜୀବିକା ଯୋଗାଉ ନଥିଲେ ଅଧିକନ୍ତୁ ଯାତ୍ରାକୁ ଏକ ଶିଳ୍ପରେ ପରିଣତ କରିବାରେ ତାଙ୍କର ଉଲ୍ଲେଖନୀୟ ଭୂମିକା ଥିଲା । ଯାତ୍ରା ଜଗତ ସହିତ ଜଡିତ ମହାରଥୀଙ୍କ କଥା କହିବା ଶୈଳୀକୁ ଆଗକୁ ଲୋକ ନିଶ୍ଚୟ ଝୁରିବେ । ସେ କହୁଥିଲେ ସରି ନାହିଁ ଯୁଦ୍ଧ ହାରି ନାହିଁ ମହାରାଥୀ । ମହାରଥୀ ଜୀବନ ଯୁଦ୍ଧରେ ହାରି ଯାଇ ପାରନ୍ତି କିନ୍ତୁ ନିଜ ଲୋକଙ୍କ ମନରୁ କେବେ ମଧ୍ୟ ହଜିଯିବେ ନାହିଁ ଏହା ନିଶ୍ଚିତ ।

Leave a Reply