ବିଜେପି ନେତା ଅଶୋକ ସାହୁଙ୍କ ପରଲୋକ

ଭୁବନେଶ୍ୱର: ବିଜେପିର ବରିଷ୍ଠ ନେତା ତଥା ରାଜ୍ୟ ବିଜେପିର ପୂର୍ବତନ ଉପ ସଭାପତି ଅଶୋକ ସାହୁଙ୍କର ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୮ ବର୍ଷ ହୋଇଥିଲା । କଟକର ପୀଠାପୁର ସ୍ଥିତ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ପୂର୍ବତନ ଆଇପିଏସ ଅଶୋକ ସାହୁ ଚାକିରୀ ସ୍ୱେଛକୃତ ଅବସର ନେଇ ବିଜେପିରେ ଯୋଗ ଦେଇଥିଲେ । ଆସାମର ଅତିରିକ୍ତ ପୋଲିସ ଡିଜି ଭାବେ ସେ କାର୍ଯ୍ୟ କରିଥିଲେ ।
ଦଳରେ ବିଭିନ୍ନ ସାଂଗଠନକି ପଦବୀରେ ରହିବା ପରେ ସେ ରାଜ୍ୟ ଶାଖାର ଉପ ସଭାପତି ଭାବେ ଦାୟିତ୍ୱ ତୁଲାଇଥିଲେ ।

୨୦୦୯ରେ ସେ କନ୍ଧମାଳରୁ ବିଜେପି ପ୍ରାର୍ଥୀ ଭାବେ ଲୋକସଭା ନିର୍ବାଚନ ଲଢି ପରାସ୍ତ ହୋଇଥିଲେ । ୨୦୧୪ କନ୍ଧମାଳ ଲୋକସଭା ଆସନ ପାଇଁ ଅନୁଷ୍ଠିତ ହୋଇଥିବା ଉପନିର୍ବାଚନରେ ସେ ପ୍ରାର୍ଥୀ ହେବାକୁ ଇଛା ପ୍ରକାଶ କରିଥିଲେ । କିନ୍ତୁ ଦଳ ତାଙ୍କ ସ୍ଥାନରେ ରୁଦ୍ରମାଧବ ରାୟଙ୍କୁ ଟିକେଟ୍ ଦେଇଥିଲା । ତେବେ ରୁଦ୍ରମାଧବ ନିର୍ବାଚନ ଜିତି ପାରିନଥିଲେ ।ଏହା ପରେ ଅଶୋକ ସାହୁ ରାଜ୍ୟ ନେତୃତ୍ୱକୁ ସମାଲୋଚନା କରିବା ଆରମ୍ଭ କରିଥିଲେ ।

ସୋସିଆଲ ମିଡିଆରେ ସେ ମୋଦି ମ୍ୟାଜିକ୍ କାହିଁକି ଓଡ଼ିଶାରେ କାମ କରୁନାହିଁ ବୋଲି ପ୍ରଶ୍ନ ପଚାରିଥିଲେ । ଏହାକୁ ନେଇ ଦଳ ତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲା । ପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଅନ୍ତର୍ଗତରେ ତାଙ୍କୁ ଦଳରୁ ବହିଷ୍କାର କରାଯାଇଥିଲା । ବିଜେପିର ତତ୍କାଳୀନ ରାଜ୍ୟ ସଭାପତି କେ.ଭି ସିଂଦେଓଙ୍କ ସହ ଏହାକୁ ନେଇ ତାଙ୍କର ବାକଯୁଦ୍ଧ ମଧ୍ୟ ଚାଲିଥିଲା । କେଭି ବଲାଙ୍ଗିରର ରାଜା ହୋଇ ପାରନ୍ତି କିନ୍ତୁ ମୁଁ ତାଙ୍କ ସେବକ ନୁହେଁ ବୋଲି କହି ସେତେବେଳେ ଅଶୋକ ନିଜ ଦଳର ସଭାପତିଙ୍କ ଉପରେ ଆକ୍ରମଣ କରିଥିଲେ । ଏମିତିକି ସେ ଏହି ପ୍ରସଙ୍ଗକୁ ନେଇ ଜାତୀୟ ନେତୃତ୍ୱ ନିକଟରେ ଅଭିଯୋଗ ମଧ୍ୟ କରିଥିଲେ

Leave a Reply