ମୟୂରଭଞ୍ଜରେ ବିଜେଡିର ମହାମିଶ୍ରଣ ସମାରୋହ: ସାମିଲ ହେଲେ ଶତାଧିକ ବିଜେପି ଓ ଅନ୍ୟ ଦଳର କର୍ମୀ

ବାରିପଦା: ମୟୂରଭଞ୍ଜ ଜିଲ୍ଲାର ବହଳଦା ଠାରେ ବିଜୁ ଜନତା ଦଳ (ବିଜେଡି)ର ଏକ ମହାମିଶ୍ରଣ ସମାରୋହ ଅନୁଷ୍ଠିତ ହୋଇଛି । ମୟୂରଭଞ୍ଜ ଜିଲ୍ଲା ସଦର ବିଜେଡି ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ କିଛି ବିଜେଡି କର୍ମୀଙ୍କ ଘର ବାହୁଡ଼ା ହୋଇଥିବା ବେଳେ ଭାରତୀୟ ଜନତା ପାର୍ଟି, ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା, ଝାଡ଼ଖଣ୍ଡ ଦିଶମ ପାର୍ଟି, କୁଡୁମି ସେନା ଆଦି ବିଭିନ୍ନ ସଂଗଠନର ପ୍ରାୟ ୨୫୦ରୁ ଅଧିକ କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି । ତେବେ ରାଜ୍ୟ ସରକାରଙ୍କ ଜନ ହିତକାରୀ କାର୍ଯ୍ୟ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ସେମାନେ ଦଳରେ ସାମିଲ ହୋଇଥିବା କହିଛନ୍ତି ।

ବହଳଦା ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାଂଗଠନିକ ଜିଲ୍ଲାର ସଭାପତି କାଶୀନାଥ ହେମ୍ୱ୍ରମ୍ ଅଧ୍ୟକ୍ଷତା କରିଥିଲେ। ଏଥିରେ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ତଥା ଦଳର ସାଧାରଣ ସମ୍ପାଦକ (ସଂଗଠନ) ପ୍ରଣବ ପ୍ରକାଶ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।


ଅନ୍ୟମାନଙ୍କ ମଧ୍ୟରେ ରାଜସ୍ୱ ଏବଂ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ସୁଦାମ ମାର୍ଣ୍ଡି, ରାଜ୍ୟସଭା ସାଂସଦ ମମତା ମହାନ୍ତ, ବିଧାୟକ ରାଜକିଶୋର ଦାସ, ରାଜ୍ୟ କୃଷି ଶିଳ୍ପ ନିଗମ ର ଅଧ୍ୟକ୍ଷ ଦେବାଶିଷ ମହାନ୍ତି, ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ଉପବାଚସ୍ପତି ସାନନ୍ଦ ମାରାଣ୍ଡି, ପୂର୍ବତନ ସାଂସଦ ସରୋଜିନୀ ହେମ୍ବ୍ରମ୍, ଡ. ଦେବାଶିଷ ମାର୍ଣ୍ଡି, ସାଇବା ସୁଶୀଲ ହାଁସଦା, ସଚିନ୍ ଦାସ ଓ ଋତିକାନ୍ତ ପରିଛା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ। ମୟୂରଭଞ୍ଜ ଜିଲ୍ଲାର ସୀମାନ୍ତରୁ ଆରମ୍ଭ ହୋଇଥିଵା ଏହି ସମାବେଶରେ ବିଜେଡି ନେତା ଓ କର୍ମୀମାନଙ୍କ ମଧ୍ୟରେ ଵେଶ ଉତ୍ସାହ ଦେଖିବାକୁ ମିଳିଥିଲା।

ଅପରପକ୍ଷରେ ଅନ୍ୟ ଦଳର କର୍ମୀଙ୍କ ବିଜେଡିରେ ଯୋଗଦାନ ଦଳକୁ ଆହୁରି ମଜବୁତ କରିବାରେ ସହାୟକ ହେବ ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନାକୁ ଲୋକମାନଙ୍କ ପାଖରେ ଠିକଣା ଭାବେ ପହଞ୍ଚି ପାରିବ ବୋଲି ଦଳର ସାଧାରଣ ସମ୍ପାଦକ (ସଂଗଠନ) ତଥା ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଣବ ପ୍ରକାଶ ଦାସ ପ୍ରକାଶ କରିବା ସହିତ ନବାଗତମାନଙ୍କୁ ସ୍ୱାଗତ କରିଛନ୍ତି ।

Leave a Reply