କୈଶୋରରୁ ଯୌବନରେ ଉପନୀତ ହେଲା ବିଜେଡି, ପଞ୍ଚମ ପାଳିରେ ଲୌକଙ୍କ ପାଇଁ ୫-ଟି ଓ ମୋ-ସରକାରର ବଡ଼ ଉପହାର

1 min read

ଭୁବନେଶ୍ୱର : ଦୀର୍ଘ ୨୨ ବର୍ଷର ଲମ୍ବା ଦୌଡ଼ । କାଲିର କିଶୋର ଆଜି ଭରା ଯୌବନରେ ଅବତୀର୍ଣ୍ଣ । ଇତି ମଧ୍ୟରେ ସାରା ଓଡ଼ିଶାବାସୀଙ୍କ ପାଖରେ ଗ୍ରହଣୀୟ ଏବଂ ନିଜର କାର୍ଯ୍ୟକ୍ରମକୁ ନେଇ ଦଳ ପରିଚିତି ହାସଲ କରିସାରିଛି । ବୟସ ବଢ଼ିବା ସହ ଦଳର କଳେବର ବଢ଼ିଛି ଏବଂ ଅଧିକରୁ ଅଧିକ ସଫଳତା ହାସଲ କରିଛି । ତେବେ ବିଗତ ୨୨ ବର୍ଷରେ ବିଜେଡି ବହୁ ଉତ୍‌ଥାନ ପତନ ଦେଇ ଗତି କରିଛି । କେତେବେଳେ ଦଳ ବିଭାଜନର ଚକ୍ରବ୍ୟୁହରେ ଘେରି ହୋଇଛି ତ କେତେବେଳେ ଦୁର୍ନୀତିର ମାୟାଜାଲରେ ଛନ୍ଦି ହେଉଥିବା ନେତା ମନ୍ତ୍ରୀଙ୍କ ପାଇଁ ନବୀନଙ୍କ ସ୍ୱଚ୍ଛ ଭାବମୂର୍ତ୍ତିରେ କାଳିମା ବୋଳିବାର ଚେଷ୍ଟା କରିଛନ୍ତି ବିରୋଧୀ ।

ରାଜନୀତିକ ପଟୁତା 

ହେଲେ ସବୁ ଘାତ ପ୍ରତିଘାତକୁ ଅତି ସତର୍କତା ଓ ସଫଳତାର ସହ ମୁକାବିଲା କରି ନବୀନ ରାଜନୈତିକ ପଟୁତାର ପ୍ରମାଣ ଦେଇଛନ୍ତି । ପ୍ରତି ନିର୍ବାଚନରେ ବିଜେଡି ପ୍ରତି ଲୋକଙ୍କ ଆସ୍ଥା ଓ ଭରସା ବଢ଼ି ବଢ଼ି ଚାଲିଥିବା ବେଳେ ନବୀନ, ଲୋକଙ୍କ ଆତ୍ମବିଶ୍ୱାସକୁ ସମ୍ମାନ ଦେଇ ପଞ୍ଚମ ପାଳିର ସରକାର ଗଠନର ପ୍ରଥମ ଦିନରୁ ହିଁ ଜନତାଙ୍କୁ ପ୍ରଶାସନର ଭାଗିଦାରୀ କରିଛନ୍ତି । ଏହା ୫-ଟି ଓ ମୋ-ସରକାର ଭଳି ଦୁଇଟି କାର୍ଯ୍ୟକ୍ରମରେ ପ୍ରତିଫଳିତ ହେଉଛି । ନିଜେ ମୁଖ୍ୟମନ୍ତ୍ରୀ ଲୋକଙ୍କ ସହ ଟେଲିଫୋନରେ କଥା ହୋଇ ବିଭିନ୍ନ ଯୋଜନା ସଂପର୍କରେ ସେମାନଙ୍କର ମତାମତ ସଂଗ୍ରହ କରିବା ତାଙ୍କ ପ୍ରଶାସନର ସ୍ୱଚ୍ଛତା ଓ ଲୋକକୈନ୍ଦ୍ରିକ ଶାସନର ଉଦ୍ଦେଶ୍ୟକୁ ପ୍ରତିପାଦିତ କରୁଛି । ଯନ୍ତ୍ରୀରୁ ଅମଲାଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ କ୍ଷେତ୍ରରେ ଏଭଳି ଏକ କାର୍ଯ୍ୟକ୍ରମ ଲାଗୁ କରି ସାରା ଦେଶରେ ନିଜର ସ୍ୱତନ୍ତ୍ରତା ସୃଷ୍ଟି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ବିଦାହୋଇଛନ୍ତି ୪୫ରୁ ଅଧିକ ମନ୍ତ୍ରୀ

ତେବେ ୫-ଟି ଓ ମୋ ସରକାର ଲାଗୁ ହେବା ପୂର୍ବରୁ ଦୁର୍ନୀତିର ଛାଇ ଏବଂ ଦକ୍ଷତା ଆଧାରରେ ୧୯ ବର୍ଷରେ ନବୀନ ୪୫ରୁ ଅଧିକ ମନ୍ତ୍ରୀଙ୍କୁ ମନ୍ତ୍ରିମଣ୍ଡଳରୁ ବିଦା କରିଛନ୍ତି । ଦଳ ବିରୋଧୀ କାର୍ଯ୍ୟ ପାଇଁ ଆଉ କେତେ ନେତା ମଧ୍ୟ ଦଳରୁ ଯାଇଛନ୍ତି । ୨୦୦୦ରୁ କ୍ରମାଗତ ୧୯ ବର୍ଷ ଥରି ଓଡ଼ିଶା ଶାସନର ମଙ୍ଗ ଧରିଥିବା ନବୀନ ପଟ୍ଟନାୟକଙ୍କ ସବୁଠାରୁ ବଡ଼ ରାଜନୈତିକ ପୁଂଜି ହେଉଛି ତାଙ୍କ ସ୍ୱଚ୍ଛ ଓ ନିର୍ମଳ ଭାବମୂର୍ତ୍ତି । ସରକାର ଓ ଦଳର ସ୍ୱଚ୍ଛତା ବଜାୟ ରଖିବାକୁ ସେ କେବେ କାହାକୁ ପ୍ରଶ୍ରୟ ଦେଇନାହାନ୍ତି । ଦଳ ବିରୋଧୀ କାର୍ଯ୍ୟ ପାଇଁ ବି ବଡ଼ବଡ଼ ନେତା ଦଳରୁ ବାହାରିଛନ୍ତି । ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଦକ୍ଷତା ଆଧାରରେ ମୃନ୍ତ୍ରୀପଦ ହରାଇଥିବା ନେତା ଆଉ ମନ୍ତ୍ରିମଣ୍ଡଳକୁ ଫେରିପାରିନଥିଲେ ବି ରାଜନୀତିରେ ବଂଚିଛନ୍ତି । ହେଲେ ନବୀନଙ୍କ ନେତୃତ୍ବ ଏବଂ ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଦା ହୋଇଥିବା ନେତାମନ୍ତ୍ରୀ ରାଜନୀତିରେ ଆଉ ଉଧେଇ ପାରିନାହାନ୍ତି । ମୋଟାମୋଟି ଭାବେ ରାଜନୀତିରେ ଅଲୋଡା ହୋଇଯାଇଛନ୍ତି ଏ ସବୁ ନେତା ।

କୁହାଯାଏ, ଦୁର୍ନୀତିର ଛାଇ ପଡ଼ିଲେ ସହ୍ୟ କରନ୍ତିନି ନବୀନ

୧୯ ବର୍ଷର ଶାସନରେ କେତେବେଳେ ସାଙ୍ଗଠନିକ ଦକ୍ଷତା ବୃଦ୍ଧି ପାଇଁ ତ କେତେବେଳେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନାଁରେ ବହୁମନ୍ତ୍ରୀ ମନ୍ତ୍ରୀପଦ ହରାଇଛନ୍ତି । ଏଥିସହିତ ବିବାଦ ଘେରରେ ଜଣେ ବାଚସ୍ପତିଙ୍କୁ ମଧ୍ୟ ପଦ ଛାଡିବାକୁ ପଡିଛି । ଏହି ପରମ୍ପରା ଆରମ୍ଭ ହୋଇଥିଲା ନଳିନୀକାନ୍ତ ମହାନ୍ତି, ପ୍ରଶାନ୍ତ ନନ୍ଦ ଓ କମଳା ଦାସଙ୍କ ଠାରୁ । ଦୁର୍ନୀତିର ଛାୟା ଅଭିଯୋଗରେ ମୃନ୍ତ୍ରୀପଦ ହରାଇଥିଲେ ଏହି ତିନି ମନ୍ତ୍ରୀ । ପରେ ନିଜର ପ୍ରଥମ ଟର୍ମରେ ଅର୍ଥାତ ୨୦୦୦ରୁ ୨୦୦୪ରେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଦେବୀ ପ୍ରସାଦ ମିଶ୍ର, ଦୁର୍ଯ୍ୟୋଧନ ମାଝୀ, ଅମର ଶତପଥୀ ଓ ରାମୃକୃଷ୍ଣ ପଟ୍ଟନାୟକ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଛନ୍ତି । ୨୦୦୦ରୁ ୨୦୦୪ ମଧ୍ୟରେ ଏଭଳି ୯ ମନ୍ତ୍ରୀଙ୍କୁ ବିଦା କରିଛନ୍ତି ନବୀନ ।

 

୨୦୦୪ରୁ ୨୦୦୯ ଯାଏଁ 

୨୦୦୪ରୁ ୨୦୦୯ ମଧ୍ୟରେ ଡାକ୍ତର ଦାମୋଦର ରାଉତ, ବିଜୟଶ୍ରୀ ରାଉତରାୟ, ବିଷ୍ଣୁ ଚରଣ ଦାସ, ପ୍ରମିଳା ମଲ୍ଲିକ, ଦେବାଶିଷ ନାୟକ, ରବି ନାରାୟଣ ନନ୍ଦ, ପଦ୍ମନାଭ ବେହେରା, ବଳଭଦ୍ର ମାଝୀ, କାଳନ୍ଦୀ ବେହେରା, ପ୍ରଦୀପ୍ତ ନାୟକ ଓ ନଗେନ୍ଦ୍ର ପ୍ରଧାନ ଏଭଳି ୧୧ ମନ୍ତ୍ରୀ ବିଭିନ୍ନ ସମୟରେ ବିଭିନ୍ନ ପ୍ରସଙ୍ଗରେ ବିଦା ହୋଇଥିଲେ । ସେହିପରି ବିବାଦ ଘେରରେ ବାଚସ୍ପତି ପଦରୁ ହଟିବାକୁ ପଡିଥଲା ମହେଶ୍ବର ମହାନ୍ତିଙ୍କୁ । ଶାସନର ତୃତୀୟ ପାଳିରେ ନବୀନ ୧୫ ମନ୍ତ୍ରୀଙ୍କୁ ବିଭିନ୍ନ କାରଣରୁ ବିଦା କରିଛନ୍ତି । ଦ୍ବିତୀୟ ପାଳିରେ ମୃନ୍ତ୍ରୀପଦ ହରାଇ ପୁଣି ଥରେ ତୃତୀୟ ପାଳିରେ ମନ୍ତ୍ରୀ ହୋଇଥିବା ପ୍ରମିଳା

ମଲ୍ଲିକ ଓ ଡାକ୍ତର ଦାମୋଦର ରାଉତଙ୍କ ସହ ବିଜୟ ରଂଜନ ସିଂହ ବରିହା, ପ୍ରବୀଣ ଚନ୍ଦ୍ର ଭଂଜଦେଓ, ପ୍ରଦୀପ ମହାରଥୀ ଓ ଅନଙ୍ଗ ଉଦୟ ସିଂହଦେଓଙ୍କୁ ବିଭିନ୍ନ କାରଣରୁ ମନ୍ତ୍ରୀପଦ ହରାଇବାକୁ ପଡିଥିଲା । ୨୦୧୨ ଜାନୁଆରୀ ୧୯ରେ ପିପିଲି ଗଣଦୁଷ୍କର୍ମ ମାମଲାରେ ପ୍ରଦୀପ ମହାରଥୀ ଏବଂ ସେହି ବର୍ଷ ଫେବୃଆରୀ ୯ ତାରିଖରେ ଖୋର୍ଦ୍ଧା-କଟକ ମୃଦ ମୃତ୍ୟୁ ଘଟଣାରେ ଅନଙ୍ଗ ଉଦୟ ସିଂହଦେଓଙ୍କୁ ମନ୍ତ୍ରୀ ପଦ ହରାଇବାକୁ ପଡିଥିଲା । ଦଳ ବିଭାଜନ ଚକ୍ରାନ୍ତ ପାଇଁ ପ୍ୟାରୀମୋହନ ମହାପାତ୍ରଙ୍କୁ ମଧ୍ୟ ଦଳରୁ ବହିଷ୍କାର କରିଥିଲେ ନବୀନ । ଏହି ଚକ୍ରାନ୍ତରେ ମନ୍ତ୍ରୀ ଅଂଜଳି ବେହେରା, ସଂଜୀବ ସାହୁ ଓ ସାରଦା ନାୟକ ଦଳରୁ ହୋଇଥିଲେ ସସ୍‌ପେଣ୍ଡ । ପରେ ମନ୍ତ୍ରୀ ପଦ ହରାଇଥିଲେ ପ୍ରଫୁଲ୍ଲ ସାମୃଲ, ପ୍ରଫୁଲ୍ଲ ଚନ୍ଦ୍ର ଘଡାଇ, ପ୍ରତାପ ଜେନା, ପୁଷ୍ପେନ୍ଦ୍ର ସିଂହଦେଓ ଓ ଅତନୁ ସବ୍ୟସାଚୀ ନାୟକ । ବୋହୂଙ୍କୁ ଯୌତୁକ ନିର୍ଯ଼ାତନା ଅଭିଯୋଗରେ ସେମିତି ମନ୍ତ୍ରୀ ପଦ ହରାଇଥିଲେ ରଘୁନାଥ ମହାନ୍ତି ।

ତୃତୀୟ ପାଳିରେ ଗଡ଼ିଥିଲା ୧୫ ମୁଣ୍ଡ

ଏମିତି ତୃତୀୟ ପାଳିରେ ନବୀନ ୧୫ ମନ୍ତ୍ରୀଙ୍କ ମୁଣ୍ଡ ଗଡାଇଥିଲେ । ଏଭିତରେ ନବୀନ ସରକାର ବିରୋଧରେ କେତେବେଳେ ଖଣି ଦୁର୍ନୀତିର ଅଭିଯୋଗ ତ କେତେବେଳେ ଚିଟ୍‌ଫଣ୍ଡ ଠକେଇ ତ କେତେବେଳେ ଜମି ଜାଲିଆଲିର ଅଭିଯ଼ୋଗ ଆସିଛି । ଏସବୁ ଦୁର୍ନୀତିକୁ ନେଇ ବହୁ ରାଜନୈତିକ ଝଡ ସୃଷ୍ଟି ହୋଇଥିଲେ ବି ନବୀନଙ୍କ ଭାବମୂର୍ତ୍ତିରେ ଦାଗ ଲାଗିପାରିନାହିଁ ।

ଦାମ ଓ ବୈଜୟନ୍ତ ବିଦା 

ଚତୁର୍ଥ ପାଳିରେ ୨୦୧୪ ପରେ ପ୍ରଥମ ଥର ପାଇଁ ଅତନୁ ସବ୍ୟସାଚୀ ନାୟକଙ୍କୁ ପଦଚ୍ୟୁତ କରିଥିଲେ ନବୀନ । ୨୦୧୭ ମେ-ରେ ଦଳ ସାଂଗଠନିକ ସ୍ଥିତି ମଜଭୁତ କରିବାକୁ ଅରୁଣ ସାହୁ, ସଂଜୟ ଦାସବର୍ମା, ପୁଷ୍ପେନ୍ଦ୍ର ସିଂହଦେଓ, ଯୋଗେନ୍ଦ୍ର ବେହେଲା, ଲାଲବିହାରି ହିମିରିକା, ଦେବୀ ମିଶ୍ର, ସୁଦାମ ମାରାଣ୍ଡି, ପ୍ରଦୀପ ପାଣିଗ୍ରାହୀ ଏବଂ ପ୍ରଣବ ପ୍ରକାଶ ଦାସ ମନ୍ତ୍ରୀପଦ ତ୍ୟାଗ କରି ବିଜେଡିର ସାଂଗଠନିକ ଦାୟିତ୍ବ ନେଇଥିଲେ। ସେହିପରି ମନ୍ତ୍ରୀପଦ ପାଇଁ ନିରଂଜନ ପୂଜାରୀ ବାଚସ୍ପତି ପଦ ଛାଡିଥିବା ବେଳେ ମନ୍ତ୍ରୀ ପଦ ଛାଡ଼ି ବାଚସ୍ପତି ହୋଇଥିଲେ ପ୍ରଦୀପ ଅମାତ । ପରବର୍ତ୍ତୀ ସମୟରେ ବୈଜୟନ୍ତ ପଣ୍ଡା ଓ ଦାମୋଦର ରାଉତଙ୍କୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ଦଳରୁ ବହିସ୍କାର ମଧ୍ୟ କରାଯାଇଥିଲା । ଗତ ୧୯ ବର୍ଷ ମଧ୍ୟରେ ବହୁ ଘାତ ପ୍ରତିଘାତ ଦେଇ ଗତିକରିଥିବା ବିଜେଡି ୨୦୧୯ ବିଧାନସଭା ନିର୍ବାଚନରେ ମଧ୍ୟ ସଫଳତା ହାସଲ କରିଥିଲା । ଜାତୀୟ ରାଜନୀତିରେ ଦଳର ପ୍ରଭାବ ଓ ମୁଖ୍ୟମନ୍ତ୍ରୀଙ୍କ ଦବଦବା ବହୁ ପ୍ରସଙ୍ଗରେ ବାରି ହୋଇ ପଡ଼ିଛି ।

Leave a Reply