ବିହାର ବିଧାନସଭା ନିର୍ବାଚନ: ବିହାରରେ ପ୍ରଥମ ପର୍ଯ୍ୟାୟ ଭୋଟ୍, ୧୬ ଜିଲ୍ଲାର ୭୧ଟି ଆସନରେ ଚାଲିଛି ମତଦାନ

1 min read

ବିହାର: କିଏ ମାରିବ ବିହାର ବାଜି । କରୋନା କଟକଣାରେ ଦେଶରେ ଆରମ୍ଭ ହୋଇଛି ନିର୍ବାଚନ । ବିହାର ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଛି । ସକାଳ ୭ ଟାରୁ ମତଦାନ ଆରମ୍ଭ ହୋଇଥିଲା । ୧୬ଟି ଜିଲ୍ଲାର ୭୧ଟି ଆସନରେ ପ୍ରତିନିଧି ବାଛୁଛନ୍ତି ଭୋଟର । ନିର୍ବାଚନ ପାଇଁ ସବୁଦଳ ହାଇଭୋଲଟେଜ୍ ପ୍ରଚାର କରିଥିବା ବେଳେ ବିକାଶ ଓ ରୋଜଗାର ମୁଦ୍ଦାରେ ମୁହାଁମୁହିଁ ହୋଇଛନ୍ତି ଏନଡିଏ ଓ ମହାଗଠବନ୍ଧନ ପାର୍ଟି ।

ମଇଦାନରେ ଏନଡିଏ ଓ ଆରଜେଡି ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଛି । ବିହାରରେ ମୋଟ ୨୪୩ଟି ଆସନ ପାଇଁ ୩ଟି ପର୍ଯ୍ୟାୟରେ ମତଦାନ ହେବ । ଆଜି ପ୍ରଥମ ପର୍ଯ୍ୟାୟ ମତଦାନ ହେଉଥିବା ବେଳେ ଆସନ୍ତା ୩ତାରିଖରେ ହେବ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ। ଏଥିପାଇଁ ଜୋରଦାର ଚାଲିଛି ପ୍ରଚାର । ପ୍ରଥମ ପର୍ଯ୍ୟାୟ ପାଇଁ ମୋଟ ୧୦୬୬ ଜଣ ପ୍ରାର୍ଥୀ ବୈଦାନରେ ଅଛନ୍ତି । ସେମାନଙ୍କୁ ୨.୧୪ କୋଟିରୁ ଅଧିକ ଭୋଟର ଭୋଟ୍ ଦେଉଛନ୍ତି । ମତଦାନ ଚାଲିଥିବା ୭୧ ଆସନ ମଧ୍ୟରୁ ତେଜସ୍ୱୀ ଯାଦବଙ୍କ ନେତୃତ୍ୱାଧୀନ ମହାଗଠବନ୍ଧନ ପକ୍ଷରୁ ଆରଜେଡି ୪୨ଟି ଆସନରେ ନିର୍ବାଚନ ଲଢୁଛି । କଂଗ୍ରେସ ୨୧ ଓ ସିପିଆଇ ୮ଟି ଆସନରେ ମୁକାବିଲା କରୁଛି । ସେହିପରି ନୀତୀଶଙ୍କ ନେତୃତ୍ୱାଧୀନ ଏନଡିଏ ପକ୍ଷରୁ ଜେଡିୟୁ ୩୫ଟି ଆସନରେ ପ୍ରାର୍ଥୀ ଦେଇଥିବା ବେଳେ ସହଯୋଗୀ ବିଜେପି ୨୯, ଜିତନ୍ ରାମ୍ ମାନ୍‌ଝିଙ୍କ ହିନ୍ଦୁସ୍ତାନ ଆଓ୍ୱାମ ମୋର୍ଚ୍ଚା ୬ଟି ଆସନରେ ଲଢୁଛି ।

ଭୋଟରଙ୍କୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ଏକ ସ୍ୱତନ୍ତ୍ର ଆବେଦନ କରିଛନ୍ତି । ରାହୁଲ ଗାନ୍ଧୀ ଲେଖିଛନ୍ତି ଯେ ଏଥର ଆପଣଙ୍କର ଭୋଟ୍ ନ୍ୟାୟ, ରୋଜଗାର, କୃଷକ-ଶ୍ରମିକଙ୍କ ପାଇଁ ହେବା ଉଚିତ । ବିହାର ଭୋଟିଂର ପ୍ରଥମ ପର୍ଯ୍ୟାୟରେ ଆପଣ ସମସ୍ତଙ୍କୁ ଶୁଭେଚ୍ଛା ।

ବିହାର ନିର୍ବାଚନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୋଟରଙ୍କୁ ଏକ ବିଶେଷ ଆବେଦନ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଟ୍ୱିଟରେ ଲେଖିଛନ୍ତି ଯେ ବିହାର ବିଧାନସଭା ନିର୍ବାଚନରେ ​​ଆଜି ପ୍ରଥମ ପର୍ଯ୍ୟାୟ ମତଦାନ । ମୁଁ ସମସ୍ତ ଭୋଟରଙ୍କୁ ଅନୁରୋଧ କରୁଛି ଯେ କୋଭିଡ ସହ ଜଡ଼ିତ ସତର୍କତା ଅବଲମ୍ବନ କରି ଗଣତନ୍ତ୍ରର ଏହି ପର୍ବରେ ସେମାନଙ୍କର ଅଂଶଗ୍ରହଣ ନିଶ୍ଚିତ କରନ୍ତୁ । ସାମାଜିକ ଦୂରତା ରଖନ୍ତୁ, ମାସ୍କ ପିନ୍ଧନ୍ତୁ ।

Leave a Reply