ବିକାଶ ଦିଗରେ ସ୍ୱାଭିମାନ ଅଞ୍ଚଳ, ବିଚ୍ଛିନ୍ନାଞ୍ଚଳରେ ଆରମ୍ଭ ହେଲା ଆମ୍ବୁଲାନ୍ସ ସେବା

ଚିତ୍ରକୋଣ୍ଡା: ସ୍ୱାଭିମାନ ଅଞ୍ଚଳରେ ଗଡ଼ିଲା ଆମ୍ବୁଲାନ୍ସ । ଆମ୍ବୁଲାନ୍ସ ସେବାକୁ ଉଦ୍‌ଘାଟନ କଲେ ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା । ଦୀର୍ଘଦିନର ଦାବି ପରେ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାର ସ୍ୱାଭିମାନ ଅଞ୍ଚଳରେ ଆରମ୍ଭ ହେଲା ଆମ୍ବୁଲାନ୍ସ ସେବା । ଏହି ଆମ୍ବୁଲାନ୍ସ ଯୋଡ଼ାଆମ୍ବ ହସ୍ପିଟାଲରେ ରହି ସ୍ଥାନୀୟ ଅଞ୍ଚଳର ରୋଗୀଙ୍କୁ ସେବା ଯୋଗାଇବ । ପୂର୍ବରୁ ଏହି ଅଞ୍ଚଳରେ ରୋଗୀମାନଙ୍କୁ ଖଟିଆ ଓ ବାଉଁଶ ଭାରରେ ମେଡିକାଲ ନିଆଯାଉଥିଲା । ଫଳରେ ଅଧିକାଂଶ ସମୟରେ ଚିକିତ୍ସା ବିନା ପ୍ରାଣ ହରାଉଥିଲେ ରୋଗୀ । ତେବେ ଆମ୍ବୁଲାନ୍ସ ସେବା ଆରମ୍ଭ ହେବା ଦ୍ୱାରା ରୋଗୀ କମ ସମୟରେ ହସ୍ପିଟାଲ ପହଞ୍ଚି ନିଜର ଚିକିତ୍ସା କରାଇ ପାରିବ ।

ସୂଚନାଯୋଗ୍ୟ ଏହା ପୂର୍ବରୁ ୨୦୧୯ ଡିସେମ୍ବର ୧୯ରେ ସ୍ୱାଭିମାନ ଅଞ୍ଚଳରେ ଆରମ୍ଭ ହୋଇଥିଲା ୧୦୮ ବୋଟ ଆମ୍ବୁଲାନ୍ସ ସେବା । ରାଜ୍ୟ ସରକାରଙ୍କ ତରଫରୁ ଏହି ସେବାକୁ ଉଦଘାଟନ କରିଥିଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । ଏହି ବୋଟ ଚାଲିବା ଦ୍ୱାରା ୫ଟି ପଞ୍ଚାୟତର ପାଖାପାଖି ୨୦ ହଜାର ଲୋକଙ୍କୁ ସେବା ଯୋଗାଉଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱାଭିମାନ ଅଞ୍ଚଳର ଉନ୍ନତି ପାଇଁ ବିଶେଷ ଗୁରୁତ୍ୱ ଦେଉଛନ୍ତି । ସ୍ୱାଭିମାନ ଅଞ୍ଚଳ ସହ ଯୋଗାଯୋଗ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗୁରୁପ୍ରିୟା ସେତୁ ନିର୍ମାଣ କରାଯାଇଛି । ସ୍ୱାଧୀନତାର ଦୀର୍ଘ ୭ ଦଶନ୍ଧି ବିତିଯାଇଥିଲେ ମଧ୍ୟ ଦୁଃଖକଷ୍ଟରେ ଜୀବନ ବିତାଉଥିଲେ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାର ବିଚ୍ଛିନ୍ନାଞ୍ଚଳବାସୀ । ପ୍ରାୟ ୭୦ ବର୍ଷ ହେବ ଭୋଗୁଥିଲେ ଜଳବନ୍ଦୀ କଷ୍ଟ । ମାଓ ଭୟ କାରଣରୁ ନାଁ ପହଞ୍ଚିପାରୁଥିଲା ସରକାରୀ ସେବା ନାଁ ମିଳିପାରୁଥିଲା ମୌଳିକ ସୁବିଧା । ସାଧାରଣ ସୁବିଧାରୁ ବଞ୍ଚିତ ହେଉଥିଲେ ବିଚ୍ଛିନ୍ନାଞ୍ଚଳର ୧୫୧ଟି ଗାଁର ବାସିନ୍ଦା । ହେଲେ ୨୦୧୮ ମସିହା ସେମାନଙ୍କ ପାଇଁ ପାଲଟିଲା ବିକାଶର ବର୍ଷ । ୨୦୧୮ ମସିହାରେ ଗୁରୁପ୍ରିୟା ସେତୁ ଉଦଘାଟନ ପରେ ବିଚ୍ଛିନ୍ନାଞ୍ଚଳକୁ ସ୍ଵାଭିମାନ ଅଞ୍ଚଳ ଭାବେ ଗଢି ତଳିବାକୁ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Leave a Reply