କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦରୁ ଖୁବ୍ ଶୀଘ୍ର ବିଦା ହେବେ ୟେଦୁରପ୍ପା! ଜାଣନ୍ତୁ କାହିଁକି ….

ବେଙ୍ଗଲୁରୁ : କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦୁରପ୍ପା ଖୁବ୍ ଶୀଘ୍ର ବିଦା ହେଉଛନ୍ତି । କର୍ଣ୍ଣାଟକର ସଂଖ୍ୟାଧିକ ବିଧାୟକ ଏବଂ ଶୀର୍ଷ ଭାଜପା ନେତୃତ୍ୱ ତାଙ୍କ ଉପରେ ଖୁସି ନାହାନ୍ତି । ତେଣୁ କିଛିମାସ ମଧ୍ୟରେ ବି.ଏସ୍ ୟେଦୁରପ୍ପାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ଅପସାରିତ କରାଯିବ । ଆଉ ଜଣେ ଉତ୍ତର କର୍ଣ୍ଣାଟକ ବରିଷ୍ଠ ନେତାଙ୍କୁ ନୂଆ ମୁଖ୍ୟମନ୍ତ୍ରୀ କରାଯିବ ବୋଲି ଖୋଦ୍ ଭାଜପା ନେତା କହି ବୁଲିଲେଣି ।  ଏହି କାରଣରୁ ନିକଟରେ ୟେଦୁରପ୍ପା ନୂଆଦିଲ୍ଲୀ ଗସ୍ତ କରିବା ସହ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କୁ ଭେଟିଥିଲେ । ପରୋକ୍ଷରେ ଏ ନେଇ ନଡ୍ଡା ତାଙ୍କୁ ପରବର୍ତ୍ତୀ ରାଜନୈତିକ ପଦକ୍ଷେପର ସୂଚନା ଦେଇଥିବା ବିଜେପି ସୂତ୍ରରୁ ଖବର ମିଳିଛି ।

ଭାଜପା ବିଧାୟକ ବସନଗୌଡ଼ ୟାଟନାଲ ଖୋଲାଖୋଲି ଏହି କଥା ଗଣମାଧ୍ୟମରେ କହି ବୁଲୁଛନ୍ତି । ଏପରିକି ଆସନ୍ତା ବର୍ଷ ମାର୍ଚ୍ଚମାସ ପୂର୍ବରୁ ୟେଦୁରପ୍ପା ମୁଖ୍ୟମନ୍ତ୍ରୀ ପଦରୁ ବିଦା ହେବେ ବୋଲି ସେ କହିଛନ୍ତି । ବିଜେପି ସାଧାରଣତଃ ୭୫ ବର୍ଷ ଯାଏ ଲୋକଙ୍କୁ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ରଖିଥାଏ । ଏହି ନିୟମ ଆଧାରରେ ଅତୀତରେ କେତେକ କେନ୍ଦ୍ରମନ୍ତ୍ରୀଙ୍କୁ ମଧ୍ୟ କ୍ୟାବିନେଟରୁ ଅପସାରିତ କରାଯାଇଛି । ସେହି ଦୃଷ୍ଟିରୁ ଦେଖିଲେ ୟେଦୁରପ୍ପାଙ୍କ ବୟସ ୭୭ ଛୁଇଁଲାଣି । ତେଣୁ ତାଙ୍କୁ ସମ୍ମାନପୂର୍ବକ ମୁଖ୍ୟମନ୍ତ୍ରୀ ଗାଦି ଛାଡିବାକୁ କୁହାଯିବ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଲାଣି ।  କେବଳବସନଗୌଡ଼ ନୁହଁନ୍ତି  ଉମେଶ କଟି ମଧ୍ୟ ସମାନ ମନ୍ତବ୍ୟ ରଖିଛନ୍ତି । ଏ ସମ୍ପର୍କିତ ବସନଗୌଡ଼ଙ୍କ ଏକ ଭିଡ଼ିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି ।

କେତେକ କୁହନ୍ତି ଯେ, କର୍ଣ୍ଣାଟକରେ ଭାଜପାର ଅଭ୍ୟୁଦୟ ପଛରେ ୟେଦୁରପ୍ପାଙ୍କ ଭୂମିକା ରହିଛି । ତେଣୁ ତାଙ୍କୁ କୌଣସି ରାଜ୍ୟର ରାଜ୍ୟପାଳ ଭାବେ ମଧ୍ୟ ନିୟୋଜିତ କରାଯାଇପାରେ । ସେହିପରି ତାଙ୍କ ପୁଅ ବି.ୱାଇ ବିଜେନ୍ଦ୍ରଙ୍କୁ ମଧ୍ୟ ରାଜ୍ୟରେ ଗୁରୁତ୍ୱପୂର୍ଣ୍ଣ ପଦ ଦିଆଯାଇପାରେ ବୋଲି ଆଲୋଚନା ହେଉଛି ।

Leave a Reply