କରୋନାକୁ ହରାଇଲେ ୮୧ ବର୍ଷୀୟ ବ୍ୟକ୍ତି, ୧୫ ଦିନର ଚିକିତ୍ସା ପରେ ସୁସ୍ଥ

ଭୁବନେଶ୍ୱର: କୋଭିଡ ମହାମାରୀରେ ସାରା ବିଶ୍ୱ ଆତଙ୍କିତ ଅବସ୍ଥାରେ ଥିବା ବେଳେ ଜଣେ ୮୧ ବର୍ଷ ବୟଷ୍କ ବ୍ୟକ୍ତି ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସାଧାରଣତଃ ୬୦ ବର୍ଷରୁ ଊର୍ଦ୍ଧ୍ୱ ବୟସର ବ୍ୟକ୍ତିମାନଙ୍କ ପାଇଁ କରୋନା ସଂକ୍ରମଣ  ସମ୍ବେଦନଶୀଳ । ଏଭଳିସ୍ଥିତିରେ କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକର ତଳଇନ୍ଦ୍ରଗଡା ଗ୍ରାମର ଗୋପୀନାଥ ଡାକୁଆ ସମସ୍ତଙ୍କ ପାଇଁ ଆଶାର କିରଣ ସାଜିଛନ୍ତି । ୧୫ ଦିନର ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଗୋପୀନାଥ ।

ଥଣ୍ଡା ଓ କାଶ ଯୋଗୁଁ ସେ ପ୍ରଥମେ ଇନ୍ଦ୍ରଗୁଡ଼ା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଥିଲେ । ପରେ କୋଭିଡ ଲକ୍ଷଣ ଦେଖାଯିବାରୁ ତାଙ୍କୁ କଳିଙ୍ଗ ମଡେଲ ଆବାସିକ ସ୍କୁଲରେ ଥିବା ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିଲା । ସ୍ୱାବ୍ ଟେଷ୍ଟରେ ପଜିଟିଭ ଆସିବାରୁ ତାଙ୍କୁ ଗତ ୪ ତାରିଖରେ ଫୁଲବାଣୀ କୋଭିଡ ହସ୍ପିଟାଲକୁ ନିଆଯାଇଥିଲା । ଆଜି ସେ ସମ୍ପୁର୍ଣ୍ଣ ସୁସ୍ଧ ହୋଇ କୋଭିଡ ହସ୍ପିଟାଲରୁ ଘରକୁ ଫେରିଛନ୍ତି ।

ତାଙ୍କର କୋଭିଡ୍ ଚିକିତ୍ସା ସମ୍ପୂର୍ଣ୍ଣ ମାଗଣା ହୋଇଥିବାରୁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି । କରୋନା ସଂକ୍ରମିତଙ୍କ ପାଇଁ ଗୋପୀନାଥ ଆଶା ଓ ସାହସିକତାର ଜ୍ୱଳନ୍ତ ଉଦାହାରଣ । ବାର୍ଦ୍ଧକ୍ୟ ଓ ଅନ୍ୟ ଅସୁସ୍ଥତା ସତ୍ତ୍ୱେ ସେ କରୋନା ଭୂତାଣୁକୁ ପରାସ୍ତ କରିଛନ୍ତି ।

Leave a Reply