ବଲାଙ୍ଗିରରେ ପୁଣି ଉଦ୍ଧାର ହେଲେ ୩୩ ଦାଦନ ଶ୍ରମିକ

ବଲାଙ୍ଗିର : ପୁଣି ଉଦ୍ଧାର ହେଲେ ୩୩ ଜଣ ଦାଦନ ଶ୍ରମିକ । ଜିଲ୍ଲାରେ ବେଆଇନ ଶ୍ରମିକ ଚାଲାଣ ଥମିବାର ନାଁ ଧରୁନାହିଁ । ଶ୍ରମିକ ଚାଲାଣ ରୋକିବାକୁ ସରକାରୀ ସ୍ତରରେ ଜୋରଦାର ଉଦ୍ୟମ କରାଯାଉଛି । କିନ୍ତୁ ସବୁପ୍ରକାର ପ୍ରୟାସ ଫେଲ୍ ମାରୁଛି । ଦାଦନ ଦଲାଲମାନେ ଅତି ଚତୁରତାର ସହ ବାହାର ରାଜ୍ୟକୁ ଶ୍ରମିକ ଚାଲାଣ କରିବାରେ ସଫଳ ହେଉଛନ୍ତି ।

ଗତକାଲି ବିଳମ୍ବିତ ରାତିରେ ତୁରକେଲା ପୋଲିସ ବେଆଇନ ଭାବେ କିଛି ଦଲାଲ, ଶ୍ରମିକ ଚାଲାଣ କରୁଥିବା ଖବର ପାଇ ତୁରକେଲା ରେଳଷ୍ଟେସନ ଚଢ଼ାଉ କରିଥିଲେ। ଏହାର ନେତୃତ୍ୱ ନେଇଥିଲେ ଥାନା ଅଧିକାରୀ କେ.ଏଲ ବେହେରା । ପୋଲିସର ଚଢ଼ାଉ ସମୟରେ ଦାଦନ ଦଲାଲମାନେ ଫେରାର ହୋଇଯାଇଥିବା ବେଳେ ୩୩ଜଣ ଶ୍ରମିକଙ୍କୁ ପୋଲିସ ଉଦ୍ଧାର କରି ଥାନାକୁ ଆଣିଥିଲା । ତେବେ ସମୁଦାୟ ୩୩ଜଣଙ୍କ ମଧ୍ୟରୁ ୧୦ଜଣ ପୁରୁଷ, ୯ଜଣ ମହିଳା ଓ ୧୪ଜଣ ଶିଶୁ ଶ୍ରମିକକୁ ପୋଲିସ ଉଦ୍ଧାର କରିଛି ।

ପ୍ରତିବର୍ଷ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଲକ୍ଷ ଲକ୍ଷ ଶ୍ରମିକଙ୍କୁ ଚାଲାଣ କରାଯାଉଥିବା ବେଳେ କାଁ ଭାଁ କିଛି ଶ୍ରମିକଙ୍କୁ ପୋଲିସ ଉଦ୍ଧାର କରୁଛି । ଜିଲ୍ଲାରେ ଲକ୍ଷ ଲକ୍ଷ ଦାଦନ ଶ୍ରମିକ ବେଆଇନ ଭାବେ ଚାଲାଣ ହେଉଥିବାବେଳେ ଜିଲ୍ଲା ଶ୍ରମ ବିଭାଗର କାର୍ଯ୍ୟଶୈଳୀ ନେଇ ପ୍ରଶ୍ନ ଉଠାଇଛନ୍ତି ଲୋକେ ।

Leave a Reply