ଯୋଗୀଙ୍କ ଚରମବାଣୀ: ଲଭ୍‌ ଜିହାଦ୍‌ ନାଁରେ ଅପରାଧ ବନ୍ଦ କର, ନଚେତ୍‌ ‘ରାମ ନାମ ସତ୍ୟ ହେ’ ଯାତ୍ରା ପାଇଁ ପ୍ରସ୍ତୁତ ରୁହ

Why CM Yogi Adityanath Is Getting Fail To Manage Uttar Pradesh Law And Order

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶରେ ‘ଲଭ୍ ଜିହାଦ୍’ ମାମଲା ଦିନକୁ ଦିନ ବଢ଼ୁଥିବା ବେଳେ ଜୋନପୁରରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଚରମ ବାଣୀ ଶୁଣାଇଛନ୍ତି । ଜୋନପୁରରେ ଏପରି ଅପରାଧ ସହ ଜଡିତ ଲୋକଙ୍କୁ ସେ ଚେତାବନୀ ଦେଇଛନ୍ତି । ସେ କହିଛନ୍ତି ଯେଉଁମାନେ ଲଭ୍‌ ଜିହାଦ୍‌ ନାଁରେ ଅପରାଧ କରୁଛନ୍ତି ବା କରିବାକୁ ଚେଷ୍ଟା କରୁଛନ୍ତି ସେମାନେ ସେଥିରୁ ନିବୃତ ରୁହନ୍ତୁ । ନଚେତ୍‌ ‘ରାମ ନାମ ସତ୍ୟ ହେ’ ଯାତ୍ରା ପାଇଁ ପ୍ରସ୍ତୁତ ରୁହନ୍ତୁ । କୌଣସି ବି ପରିସ୍ଥିତିରେ ସେମାନଙ୍କୁ ରକ୍ଷା କରାଯିବ ନାହିଁ ।

ଯୋଗୀ ଆଦିତ୍ୟନାଥ କହିଛନ୍ତି, ‘ଶୁକ୍ରବାର ଆହ୍ଲାବାଦ ହାଇକୋର୍ଟ ଏକ ଆଦେଶ ଦେଇଛନ୍ତି, ଯେଉଁଥିରେ କୁହାଯାଇଛି ଯେ, ବିବାହ ପାଇଁ ଧର୍ମ ପରିବର୍ତ୍ତନକୁ କରିବାକୁ ଅନୁମତିମ ଦିଆଯିବା ଉଚିତ୍‌ ନୁହେଁ । ଏହି କାରଣରୁ, ସରକାର ମଧ୍ୟ ନିଷ୍ପତ୍ତି ନେଇଛନ୍ତି ଯେ, ଲଭ୍‌ ଜିହାଦକୁ ରୋକିବା ପାଇଁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏଥିପାଇଁ ଏକ କଡ଼ା କାନୁନ୍‌ ବ୍ୟବସ୍ଥା କରାଯିବ ।

‘ରାମ ନାମ ସତ୍ୟ ହେ ଯାତ୍ର ଆରମ୍ଭ ହେବାକୁ ଯାଉଛି’

ସିଏମ୍ ଯୋଗୀ କହିଛନ୍ତି, ‘ଛଦ୍ମ ବେଶରେ, ଯେଉଁମାନେ ନିଜ ନାମ ଗୋପନ ରଖି ଝିଅମାନଙ୍କ ଇଜ୍ଜତ ସହିତ ଖେଳ ଖେଳୁଛନ୍ତି, ମୁଁ ସେମାନଙ୍କୁ ଚେତାବନୀ ଦେଉଛି ଯେ ସେମାନଙ୍କର ‘ରାମ ନାମ ସତ୍ୟ ହେ’ ଯାତ୍ରା ଆରମ୍ଭ ହେବାକୁ ଯାଉଛି । ସେଥିପାଇଁ ଆମେ ମିଶନ୍ ଶକ୍ତି କାର୍ଯ୍ୟକ୍ରମ ଚଳାଉଛି । ମିଶନ୍ ଶକ୍ତି କାର୍ଯ୍ୟକ୍ରମର ଅର୍ଥ ହେଉଛି, ଆମେ ପ୍ରତ୍ୟେକ ମା ଏବଂ ଭଉଣୀଙ୍କ ସୁରକ୍ଷାର ଗ୍ୟାରେଣ୍ଟି ଦେବୁ । ଏହା ସତ୍ତ୍ୱେ ଯଦି ସେମାନେ ନସୁଧୁରନ୍ତି ତେବେ ଅପରେସନ୍ ଶକ୍ତି ପ୍ରସ୍ତୁତ ରହିଛି । ଏହାର ଉଦ୍ଦେଶ୍ୟ ହେଉଛି ଯେ, ଆମେ ଯେକୌଣସି ପରିସ୍ଥିତିରେ ମହିଳାମାନଙ୍କୁ ସୁରକ୍ଷା ଦେବୁ ଏବଂ ସେମାନଙ୍କର ସମ୍ମାନ ରକ୍ଷା କରିବୁ । କୋର୍ଟଙ୍କ ନିର୍ଦ୍ଦେଶ ପାଳନ କରାଯିବ ମା’ ଭଉଣୀ ମାନଙ୍କୁ ସମ୍ମାନ ଦିଆଯିବ ।’

ହାଇକୋର୍ଟ କ’ଣ କହିଛନ୍ତି ?

ଆହ୍ଲାବାଦ ହାଇକୋର୍ଟ କହିଛନ୍ତି ଯେ କେବଳ ବିବାହ ପାଇଁ ଧର୍ମ ପରିବର୍ତ୍ତନ କରିବା ବୈଧ ନୁହେଁ । ବିପରୀତ ଧର୍ମର ଦମ୍ପତିଙ୍କ ଆବେଦନକୁ ଅଗ୍ରାହ୍ୟ କରି କୋର୍ଟ ଆବେଦନକାରୀଙ୍କୁ ସମ୍ପୃକ୍ତ ମାଜିଷ୍ଟ୍ରେଟଙ୍କ ନିକଟରେ ହାଜର ହେବା ଏବଂ ସେମାନଙ୍କ ବିବୃତ୍ତି ରେକର୍ଡ କରିବାକୁ ଅନୁମତି ଦେଇଛନ୍ତି । ତେବେ ଆବେଦନକାରୀ ହାଇକୋର୍ଟଙ୍କ ନିକଟରେ ଆବେଦନ କରିଥିଲେ ଯେ, ତାଙ୍କ ଶାନ୍ତିପୂର୍ଣ୍ଣ ବୈବାହିକ ଜୀବନରେ ପରିବାର ହସ୍ତକ୍ଷେପ ନକରୁ । ତେବେ କୋର୍ଟ ଏହି ମାମଲାରେ ହସ୍ତକ୍ଷେପ କରିବାକୁ ମନା କରିଦେଇଛନ୍ତି । ଜଷ୍ଟିସ ଏମସି ତ୍ରିପାଠୀ ଏହି ଆବେଦନର ଶୁଣାଣି କରି ଏଭଳି ନିର୍ଦ୍ଦେଶ ଦେଇଛନ୍ତି ।

ସମଗ୍ର ବିଷୟ କ’ଣ ଥିଲା ?

କୋର୍ଟ କହିଛନ୍ତି ଯେ ଆବେଦନକାରୀଙ୍କ ମଧ୍ୟରୁ ଜଣେ ମୁସଲମାନ ଏବଂ ଅନ୍ୟ ଜଣେ ହିନ୍ଦୁ । ୨୦୨୦ ଜୁନ୍ ୨୯ରେ ମହିଳା ଜଣକ ହିନ୍ଦୁ ଧର୍ମ ଗ୍ରହଣ କରିଥିଲେ । ଏହାର ଏକ ମାସ ପରେ ଅର୍ଥାତ୍‌ ୩୧ ଜୁଲାଇରେ ସେ ବିବାହ କରିଥିଲେ । କୋର୍ଟ କହିଛନ୍ତି, ରେକର୍ଡରୁ ଏହା ସ୍ପଷ୍ଟ ହୋଇଛି ଯେ ବିବାହ ପାଇଁ ଧର୍ମ ପରିବର୍ତ୍ତନ କରାଯାଇଛି । କୋର୍ଟ ନୁର ଜାହାଁ ବେଗମ୍‌ ମାମଲାର ନିଷ୍ପତ୍ତିକୁ ଦର୍ଶାଇ କହିଛନ୍ତି ଯେ, ବିବାହ ପାଇଁ ଧର୍ମ ପରିବର୍ତ୍ତନ କରିବା ଗ୍ରହଣୀୟ ନୁହେଁ ।

Leave a Reply