ଆଗାମୀ ବର୍ଷକ ଭିତରେ ନନ୍ଦନକାନନ ହେବ ବିଶ୍ବସ୍ତରୀୟ, ବଦଳିବ ପୂରା କଳେବର

1 min read
Nandankanan Zoo Lion Shyama Dies

ଭୁବନେଶ୍ବର:  ଆଗାମୀ ବର୍ଷକ ମଧ୍ୟରେ ନନ୍ଦନକାନନ ହେବ ବିଶ୍ବସ୍ତରୀୟ । ପୂରା କଳେବର ବଦଳିବ  । ଗତ ୮-୧୦ ମାସ ମଧ୍ୟରେ ଅନେକ ରୂପରେଖ ବଦଳିଛି । ପ୍ରାଣୀ ଅଦଳବଦଳ ପ୍ରକ୍ରିୟା ଜରିଆରେ ବହୁ ନୂଆ ଜୀବଜନ୍ତୁ ଆସିଛନ୍ତି । ରୋପ ୱେ, ବୋଟିଂ ବ୍ୟବସ୍ଥା ହୋଇଛି । ଦୁବାଇରୁ ଖୁବଶୀଘ୍ର ଚିତା ବାଘ ଓ ଧଳା ସିଂହ ଶାବକ ଆସିବେ । କାଞ୍ଜିଆ ହ୍ରଦ ବିକାଶ ଲାଗି SRC ପାଣ୍ଠିରୁ ୧୭ କୋଟି ଟଙ୍କା ଦିଆଯାଇଛି । ନନ୍ଦନକାନନ ଚିଡ଼ିଆଖାନା ଚୁଡ଼ଙ୍ଗ ଯାଏଁ ବଢିବା ସହ ଖୁବଶୀଘ୍ର ନାଇଟ ସଫାରୀ ବ୍ୟବସ୍ଥା ମଧ୍ୟ ହେବ । ସେପଟେ ଆଜି ନନ୍ଦନକାନନ ପ୍ରାଣୀ ଉଦ୍ୟାନର 64ତମ ପ୍ରତିଷ୍ଠା ଉତ୍ସବ । ଏହି ଅବସରରେ ଉଦଘାଟିତ ହୋଇଯାଇଛି ବଟନିକାଲ ଗାର୍ଡେନରେ ନବନିର୍ମିତ ବାଉଁଶ ଉଦ୍ୟାନ, ମୋଗଲ ଗାର୍ଡେନ । ଏହାସହ ନନ୍ଦନକାନନର ଓ୍ବାଲିଭ ଖୁଆଡ଼ ଓ ଅଷ୍ଟ୍ରିଚ ଖୁଆଡ ମଧ୍ୟ ଉଦଘାଟନ ହୋଇଯାଇଛି  ।

କାସୁଆରୀ ପକ୍ଷୀ ପାଇଁ ସ୍ବତନ୍ତ୍ର ଏନକ୍ଲୋଜର ମଧ୍ୟ ଲୋକାର୍ପିତ କରିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ ଅମାତ  । ଏହାସହ ଗୋଟିଏ ସିଂହ ଶାବକ ଓ ୨ଟି ବାଘ ଶାବକର ନାମକରଣ କରାଯାଇଛି । ବାଘୁଣୀ ଅଙ୍କିତାର ଶାବକ ନାମ ଶ୍ରୀ, ତୃପ୍ତି, ଜୟଶ୍ରୀ, ଅମିତ୍ ରଖାଯାଇଥିବା ବେଳେ ବାଘୁଣୀ ରୂପାର ଶାବକ ନାମ ଅମୃତା, ଶିବ ରଖାଯାଇଛି । ବିଜୁଳି ସିଂହୀର ଶାବକ ନାମ ଶ୍ରଦ୍ଧା, ରିମା, ଅନାମିକା, ଯୁବରାଜ ରଖାଯାଇଥିବା ବେଳେ ରେୱା ସିଂହୀର ଶାବକ ନାମ ମାୟା, ଶିବମ ରଖାଯାଇଛି । ସେହିପରି ହାତୀ ଶାବକ ନାମ ଅଭି, ଆଶା ରଖାଯାଇଛି । ଆଗାମୀ ଦିନରେ ଜଳଜ ଉଦ୍ଭିଦର ବିଭିନ୍ନ ପ୍ରଜାତିର ଜଳଜ ଘାସ, ଜଳମଗ୍ନ, ଭାସମାନ ଗାସ ଦେଖିପାରିବେ  ।

ସେହିପରି ୪୪ପ୍ରକାର କଇଁ, ପଦ୍ମ ଆଦି ୨୨୫ପ୍ରଜାତିର ଜଲଜ ଉଦ୍ଭିଦ ମୋଗଲ ଗାର୍ଡେନରେ ଦେଖିପାରିବେ ପର୍ଯ୍ୟଟକ । ଏହାସହ ୪.୪ ଏକର ଜାଗାରେ ବାଉଁଶ ଉଦ୍ୟାନ ନିର୍ମିତ କରାଯାଇଛି । ୭୦ ପ୍ରକାରର ବାଉଁଶ ଏହି ଉଦ୍ୟାନରେ ଦେଖିବାକୁ ମିଳିବ । ଏହାସହ ହାଇଦ୍ରାବାଦର ଏକ ଘରୋଇ ଫାର୍ମରୁ ଚିଡ଼ିଆଖାନାକୁ ଆସିଥିବା ବିରଳ ପ୍ରଜାତିର ଏକହଳ ଓ୍ବାଲିବ ଓ ଏକହଳ ଲିଭିଙ୍ଗଷ୍ଟୋନ ଟୁରକେକୁ ସ୍ବତନ୍ତ୍ର ଖୁଆଡ଼ରେ ଛଡାଯିବ ।