କାହିଁକି ପ୍ରତିବର୍ଷ ଅଗଷ୍ଟରେ ବଢ଼େ ପିଆଜ ଦର? କ’ଣ ରହିଛି ଏହା ପଛର କାରଣ?

ଭୁବନେଶ୍ବର: ଟମାଟୋ ପରେ ଏବେ ପିଆଜ ଦର ବଢ଼ିବାରେ ଲାଗିଛି । ଲାଗୁଛି କିଛି ଦିନ ପରେ ଦର ଶହେ ଛୁଇଁବ । ହେଲେ ସବୁ ବର୍ଷ ଏହି ସମୟରେ ପିଆଜ ଦରରେ କାହିଁକି ନିଆଁ ଲାଗେ? ଏହି ଦର ବଢ଼ି ନଭେମ୍ବରରେ ଆକାଶ ଛୁଆଁ ହୋଇଥାଏ । ଏବେ ପିଆଜ ଦର ପ୍ରତି କେଜି ପିଛା ୧୦ ଟଙ୍କା ବଢ଼ିଛି । ପିଆଜ ମୂଲ୍ୟକୁ ନିୟନ୍ତ୍ରଣ କରିବା ପାଇଁ ସରକାର ଏହାର ରପ୍ତାନି ଉପରେ ୪୦ ପ୍ରତିଶତ ଶୁଳ୍କ ଲଗାଇଛନ୍ତି । ଟମାଟୋ ଚିନ୍ତା ଗଲା ପରେ ଏବେ ପିଆଜ ପୁଣି ଚିନ୍ତା ବଢ଼ାଇଛି । ଏବେ ଧୀରେ ଧୀରେ ପିଆଜ ଦର ବଢ଼ିବା ସହ ଏହାକୁ ନେଇ ରାଜନୀତି ବି ଆରମ୍ଭ ହେଇ ଗଲାଣି ।

କାହିଁକି ବଢ଼ୁଛି ଦର?

ପ୍ରତିବର୍ଷ ପିଆଜ ଦର ବଢ଼ିବାକୁ ରୋକିବା ପାଇଁ ପଦକ୍ଷେପ ବି ନିଆଯାଏ । ପିଆଜର ରପ୍ତାନୀ ଉପରେ ବି ବ୍ୟାନ୍ ଲଗାଇବା ସହ ଷ୍ଟକ୍ ଉପରେ ବି ରୋକ ଲଗାଯାଏ । ସରକାର ଏଜେନ୍ସି ବି ପିଆଜ ବିକ୍ରି ଆରମ୍ଭ କରି ଦେଇଛନ୍ତି । ଚଳିତ ବର୍ଷ ପିଆଜର ରପ୍ତାନୀ ଶୁଳ୍କ ୪୦ ପ୍ରତିଶତ ବଢ଼ାଇ ଦିଆଯାଇଛି । ଯାହାକୁ ନେଇ ଏବେ ବଡ଼ ବେପାରୀ ଏବଂ ଚାଷୀ ଦୁହେଁ ନାରାଜ ଅଛନ୍ତି । ସେମାନେ ପିଆର କାରବାର ନ କରିବାକକୁ ନିଷ୍ପତ୍ତି ନେଇଛନ୍ତି । ଯାହାର ଫଳ ଏବେ ବଜାର ଉପରେ ପଡ଼ିଛି ।

ଏହା ଛଡ଼ା କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ମଧ୍ୟପ୍ରଦେଶ ଏବଂ ମହାରାଷ୍ଟ୍ରରୁ ଏହି ସମୟରେ ଖରିଫ ପିଆଜ ବଜାରକୁ ଆସିଥାଏ । ଚଳିତ ଥର ମହାରାଷ୍ଟ୍ର ଏବଂ ମଧ୍ୟପ୍ରଦେଶରେ ହୋଇଥିବା ବର୍ଷା ଫସଲକୁ ଖରାପ କରିଦେଇଛି । ପ୍ରବଳ ବର୍ଷା ଷ୍ଟକ୍ ଉପରେ ବି ପ୍ରଭାବ ପକାଇଛି । ଯାହା ଫଳରେ ବଢ଼ୁଛି ଦର । ଏବେ ନୂଆ ଫସଲ ବଜାରକୁ ଆସିବା ବେଳକୁ ନଭେମ୍ବର ହୋଇଯିବ । ସେତେବେଳ ଯାଏ ପିଆଜ ଦର ଚଢ଼ା ରହିବା ଆଶଙ୍କା କରାଯାଉଛି ।