୪ କରୋନା ଆକ୍ରାନ୍ତଙ୍କ ଯାତ୍ରା ବିବରଣୀ ଜାରି: ଚାଲି ଚାଲି ଭଦ୍ରକରେ ପହଞ୍ଚିଥିଲେ ୯୪ ନମ୍ୱର ଆକ୍ରାନ୍ତ

ଭୁବନେଶ୍ୱର: ୯୨, ୯୩, ୯୪ ଓ ୯୫ ନମ୍ୱର କରୋନା ଆକ୍ରାନ୍ତଙ୍କ ଯାତ୍ରା ବିବରଣୀ ପ୍ରକାଶ କଲା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ସେମାନଙ୍କ ମଧ୍ୟରୁ ୩ ଜଣ ଭଦ୍ରକର ହୋଇଥିବା ବେଳେ ଅନ୍ୟ ଜଣେ ଯାଜପୁର ଅଞ୍ଚଳର ।

୯୨ ନମ୍ୱର ରୋଗୀ: କରୋନା ଆକ୍ରାନ୍ତ ଜଣଙ୍କ ୪୧ ବର୍ଷୀୟ ପୁରୁଷ । ଭଦ୍ରକ ଜିଲ୍ଲା ତିହିଡ଼ି ଅଞ୍ଚଳର । ସେ ଯାଜପୁରର ଏକ ଇଟାଭାଟିରୁ ଅନ୍ୟ ୧୦ ଜଣ ଯାତ୍ରାଙ୍କ ଗୋଟିଏ ଅଟୋରେ ଯାଜପୁର ଟାଉନ୍‌ରେ ପହଞ୍ଚିଥିଲେ । ପରେ ସେ ଚାଲି ଚାଲି ୧୨ ଏପ୍ରିଲରେ ନିଜ ଘରେ ପହଞ୍ଚିଥିଲେ । ୧୩ ଏପ୍ରିଲରୁ ୨୩ ଏପ୍ରିଲ ଯାଏ ସରକାରୀ କ୍ୱାରେଣ୍ଟାଇନ୍‌ରେ ରହିଥିଲେ । କ୍ୱାରେଣ୍ଟାଇନ୍‌ ପିରିୟଡ୍ ସରିବା ପରେ କୌଣସି ଲକ୍ଷଣ ନଥିବା ସତ୍ତ୍ୱେ ୨୪ ଏପ୍ରିଲରେ ନମୁନା ପରୀକ୍ଷା କରାଯାଇଥିଲା । ପଜିଟିଭ୍‌ ଚିହ୍ନଟ ହେବା ପରେ ୨୪ ଏପ୍ରିଲରେ ହିଁ କଟକ ଅଶ୍ୱିନୀ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

୯୩ ନମ୍ୱର ରୋଗୀ: ୨୯ ବର୍ଷୀୟ ଏହି ଆକ୍ରାନ୍ତ ଜଣଙ୍କ ଭଦ୍ରକ ଜିଲ୍ଲା ଧାମନଗର ଅଞ୍ଚଳର । ସେ କୋଲକାତାର ବହୁବଜାର ଠାରୁ ଏକ ଗାଡ଼ି ଭଡ଼ା କରି ନିଜ ବାପା ଓ ଅନ୍ୟ ୬ ଜଣ ଯାତ୍ରୀଙ୍କ ସହ ମିଶି ୨୭ ମାର୍ଚ୍ଚରେ ଧାମନଗରରେ ପହଞ୍ଚିଥିଲେ । ପରେ ସେ ୨୮ ମାର୍ଚ୍ଚରେ ନିଜ ବାପାଙ୍କ ସହ ବାଇକ୍‌ ଯୋଗେ ଘରେ ପହଞ୍ଚିଥିଲେ । ୨୮ ମାର୍ଚ୍ଚଠାରୁ ୨୪ ଏପ୍ରିଲ ଯାଏଁ ହୋମ କ୍ୱାରେଣ୍ଟାଇନ୍‌ରେ ରହିଥିଲେ । ପରେ କୌଣସି ଲକ୍ଷଣ ନଥିବା ସତ୍ତ୍ୱେ ତାଙ୍କ ନମୁନା ପରୀକ୍ଷା ହୋଇଥିଲା ଏବଂ ସେହିଦିନ କଟକସ୍ଥିତି ଅଶ୍ୱିନୀ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

୯୪ ନମ୍ୱର ରୋଗୀ: ଆକ୍ରାନ୍ତ ଜଣଙ୍କ ୨୪ ବର୍ଷୀୟ ଯୁବକ ଜଣଙ୍କ ଭ୍ରଦକ ଜିଲ୍ଲା କଲ୍ୟାଣୀ ଗ୍ରାମପଞ୍ଚାୟତ ଅଞ୍ଚଳର । ସେ ମଧ୍ୟ ପଶ୍ଚିମବଙ୍ଗ ଫେରନ୍ତା । ସେ ଏପ୍ରିଲ ୧୬ରୁ ୨୦ ତାରିଖ ମଧ୍ୟରେ କୋଲକାତାର ବହୁବଜାରରୁ ଚାଲି ଚାଲି ଆସି କଲ୍ୟାଣୀରେ ପହଞ୍ଚିଥିଲେ । ପରେ ତାଙ୍କୁ ୨୧ ଏପ୍ରିଲଠାରୁ ସରକାରୀ କ୍ୱାରେଣ୍ଟାଇନ୍‌ ରଖାଯାଇଥିଲା । ୨୪ ଏପ୍ରିଲରେ କୌଣସି ଲକ୍ଷଣ ନଥିବା ସତ୍ତ୍ୱେ ଟ୍ରାଭେଲ ହିଷ୍ଟ୍ରୀକୁ ନଜରରେ ରଖି ନମୁନା ପରୀକ୍ଷା ହୋଇଥିଲା ଏବଂ ପଜିଟିଭ୍‌ ଚିହ୍ନଟ ହୋଇଥିଲା । ପରେ ତାଙ୍କୁ କଟକ ଅଶ୍ୱିନୀ ହସ୍ପିଟାଲରେ ଏପ୍ରିଲ ୨୪ରେ ଭର୍ତ୍ତି କରାଯାଇଥିଲା ।

୯୫ ନମ୍ୱର ରୋଗୀ: ଆକ୍ରାନ୍ତ ଜଣଙ୍କ ୨୩ ବର୍ଷୀୟ ଯୁବକ । ସେ ଯାଜପୁର ଜିଲ୍ଲା ଦଶରଥପୁର କଟିକଟା ଅଞ୍ଚଳର । ସେ ମଧ୍ୟ ଜଣେ ପଶ୍ଚିମବଙ୍ଗ ଫେରନ୍ତା । ସେ ପଶ୍ଚିମବଙ୍ଗ ମାଲ୍ଲିକ ଷ୍ଟ୍ରିଟ୍‌ରୁ ବୋଲେରୋ ଯୋଗେ ଅନ୍ୟ ୬ ଜଣ ସହଯାତ୍ରୀଙ୍କ ସହ ୨୯ ମାର୍ଚ୍ଚରେ କଟିକଟାରେ ପହଞ୍ଚିଥିଲେ । ପରେ ସେ ୩୦ ମାର୍ଚ୍ଚ ଠାରୁ ୧୨ ଏପ୍ରିଲ ଯାଏଁ ସରକାରୀ କ୍ୱାରେଣ୍ଟାଇନ୍‌ରେ ରହିଥିଲେ । ଏହାପରେ ସେ ୧୩ ଏପ୍ରିଲ ଠାରୁ ୨୫ ଏପ୍ରିଲ ଯାଏଁ ଘରେ ରହିଥିଲେ । କୌଣସି ଲକ୍ଷଣ ନଥିବା ସତ୍ତ୍ୱେ ବାହାର ରାଜ୍ୟର ଟ୍ରାଭେଲ ହିଷ୍ଟ୍ରୀ ଥିବାରୁ ନମୁନା ପରୀକ୍ଷା କରାଯାଇଥିଲା ଏବଂ ପଜିଟିଭ୍‌ ଚିହ୍ନଟ ହୋଇଥିଲେ । ଏବଂ ୨୬ ଏପ୍ରିଲରେ କଳିଙ୍ଗନଗର ସ୍ଥିତ କୋଭିଡ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।

 

 

Leave a Reply