ବିଧାନସଭାରେ ଉଠିଲା ଚାଷୀଙ୍କୁ ଟୋକନ୍ ପ୍ରସଙ୍ଗ । ମନ୍ତ୍ରୀ କହିଲେ, ବ୍ୟବସ୍ଥାରେ ହେବନି ପରିବର୍ତ୍ତନ

ଭୁବନେଶ୍ୱର : ରାଜ୍ୟରେ ନୂଆକରି ଲାଗୁହୋଇଥିବା କଂପ୍ୟୁଟରୀକୃତ ଟୋକନ୍ ବ୍ୟବସ୍ଥାକୁ ପଶ୍ଚିମ ଓଡ଼ିଶାରେ ଜୋରଦାର ବିରୋଧ ପରେ ବିଧାନସଭାରେ ଏ ପ୍ରସଙ୍ଗ ଉଠିଛି । ଏ ନେଇ ଗୃହରେ ଉତ୍ତର ରଖିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ମନ୍ତ୍ରୀ କହିଛନ୍ତି ଯେ, ଟୋକନ ବ୍ୟବସ୍ଥା ପ୍ରତ୍ୟାହର ହେବନି, ଏହା ଅଛି ଓ ରହିବ। ଚାଷୀଙ୍କୁ ଅନୁରୋଧ କରାଯାଉଛି ଯେ, ଏହି ସ୍ଵଚ୍ଛ, ନିର୍ମଳ ଓ ନୂଆ ପଦ୍ଧତିକୁ ସମସ୍ତେ ଆପଣାନ୍ତୁ । ଉଚିତ ମୂଲ୍ୟ ପାଇବେ ଓ ଅଧିକାର ପାଇବେ ବୋଲି ଶ୍ରୀ ସ୍ୱାଇଁ କହିଛନ୍ତି । ଯଦି ଏହାକୁ ଆହୁରି ଭଲ କରିବା ପାଇଁ ଚାଷୀ କିଛି ନୂଆ ମତାମତ ଦେବେ ତେବେ ସରକାର ଏହାକୁ ଗ୍ରହଣ କରିବାକୁ ପ୍ରସ୍ତୁତ ଅଛନ୍ତି ।

ରାଜ୍ୟର ବିଭିନ୍ନ ସ୍ଥାନରେ ଚାଷୀ ଆନ୍ଦୋଳନ ବଢ଼ୁଥିବା ବେଳେ ସରକାର ଚାଷୀଙ୍କୁ ନୂଆ ବ୍ୟବସ୍ଥାରେ ସହଯୋଗ କରିବାକୁ କହିଛନ୍ତି । ଟୋକନ୍ ବ୍ୟବସ୍ଥା ଗତ କିିଛି ବର୍ଷ ଧରି ରାଜ୍ୟରେ ଆରମ୍ଭ ହୋଇଥିବା ବେଳେ ଏଥର ପ୍ରଥମ କରି କଂପ୍ୟୁଟରୀକୃତ ବ୍ୟବସ୍ଥା ମାଧ୍ୟମରେ ଟୋକନ୍ ଦେବାକୁ ନିଷ୍ପତ୍ତି ହୋଇଛି । ସେହି ଅନୁସାରେ ରାଜ୍ୟର ଚାଷୀଙ୍କୁ ଧାନବିକ୍ରୀ ପାଇଁ ଟୋକନ୍ ପ୍ରଦାନ କରାଯାଉଛି ।

ଆଜି ବିଧାନସଭାରେ ଆଉ କିଛି ଗୁରୁତ୍ନପୂର୍ଣ୍ଣ ପ୍ରସଙ୍ଗରେ ମଧ୍ୟ ଆଲୋଚନା ହୋଇଛି । ରାଜ୍ୟରେ କୃଷିଫାର୍ମର ସ୍ଥିତି ନେଇ ଗୃହରେ ଆଲୋଚନା ବେଳେ ଉତ୍ତର ରଖିଥିଲେ କୃଷି ମନ୍ତ୍ରୀ ଅରୁଣ ସାହୁ । ରାଜ୍ୟରେ ୬୩ଟି କୃଷି ଫାର୍ମ ଅଛି, ସେଥିରୁ ୪ଟି ପୁନରୁଦ୍ଧାର ଅବସ୍ଥାରେ ନାହିଁ । ୮୫ଟି ଉଦ୍ୟାନ କୃଷି ଫାର୍ମ ଅଛି ସେଥିରୁ ୫ଟି ପୁନରୁଦ୍ଧାର ସ୍ଥିତିରେ ନାହିଁ । ଲାଭଦାୟକ ନଥିବାରୁ ଅଚଳ ଫାର୍ମ ପୁନରୁଦ୍ଧାର କରାଯାଉନି ବୋଲି କହିଥିଲେ ।

ଏହାସହ ୨ ଜଣ ମନ୍ତ୍ରୀଙ୍କ ବିରୋଧରେ ଆସିଥିଲା ସ୍ୱାଧିକାର ଭଙ୍ଗ ନୋଟିସ୍ । ଗୋଟିଏ ଦିନରେ ସମାନ ପ୍ରଶ୍ନରେ ଦୁଇଟି ଭିନ୍ନ ଉତ୍ତରକୁ ନେଇ ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ନୋଟିସ ଆଣିଲେ କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା । ଵଲାଙ୍ଗୀର ଜିଲ୍ଲା ତୁରେଇକେଲା ବ୍ଲକରେ ଗଲା ୧୪ ତାରିଖରେ ମନ୍ତ୍ରୀ ଦେଇଥିବା ଉତ୍ତରରେ ପଏଣ୍ଟ ୭ର ଫରକକୁ ନେଇ ପ୍ରଶ୍ନ ଉଠିଥିଲା। କାଳିଆ ଯୋଜନାରେ କୃଷି ମନ୍ତ୍ରୀ ଭୁଲ୍ ତଥ୍ୟ ଦେଇଥିବା ନେଇ ସ୍ୱାଧିକାର ଭଙ୍ଗ ନୋଟିସ ଆଣିଥିଲା କଂଗ୍ରେସ । ବିଜେପି ମୁଖପାତ୍ରଙ୍କ ବିରୋଧରେ ସ୍ୱାଧୀକାର ଭଙ୍ଗ ନୋଟିସ ଆଣିଥିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ।ସଂଙ୍କରାଚାର୍ଯ୍ୟଙ୍କ ପ୍ରସଙ୍ଗରେ ନରସିଂହଙ୍କ ମନ୍ତବ୍ୟକୁ ନେଇ ବିଜେପି ମୁଖପାତ୍ର ଭୂଲ ତଥ୍ୟ ଦେଇଥିବା କହିଥିଲେ ।

ଶୂନ୍ୟକାଳରେ ଆଲୋଚନାବେଳେ ମନ୍ତ୍ରୀମାନେ ଉପସ୍ଥିତ ନଥିବାରୁ ଉଦବେଗ ପ୍ରକାଶ କରିଥିଲେ ବିରୋଧୀ ବିଜେପି ଓ କଂଗ୍ରେସ। ଏହା ବିରୋଧରେ ଗୃହର ମଧ୍ୟ ଭାଗରେ ବିରୋଧ କରିଥିଲେ । ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ରୁଲିଂ ଦେଇ କହିଥିଲେ ଯେ,  ଆଲୋଚନାବେଳେ ମନ୍ତ୍ରୀ ଉପସ୍ଥିତ ରହିବେ। ବିଭାଗୀୟ ମନ୍ତ୍ରୀ ନଥିଲେ ତାଙ୍କ ତରଫରୁ ଜଣେ ଉପସ୍ଥିତ ରହିବେ ।

Leave a Reply