ଏକାମ୍ର କ୍ଷେତ୍ରରେ ବିକାଶ କାର୍ଯ୍ୟର ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ

1 min read

ଭୁବନେଶ୍ୱର: ଏକାମ୍ର କ୍ଷେତ୍ର ପରିଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶ୍ରୀଲିଙ୍ଗରାଜ ମନ୍ଦରର ଚତୁପାର୍ଶ୍ୱ ବୁଲି ମୁଖ୍ୟମନ୍ତ୍ରୀ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ । ପୁରୀ ଶ୍ରୀମନ୍ଦିର ଆଇନ୍ ଢାଞ୍ଚାରେ ଶ୍ରୀ ଲିଙ୍ଗରାଜ ମନ୍ଦିର ପାଇଁ ଖୁବଶୀଘ୍ର ଏକ ସ୍ୱତନ୍ତ୍ର ଆଇନ୍ ପ୍ରଣୟନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ବୁଧବାର ଅପରାହ୍ଣରେ ଏକାମ୍ର କ୍ଷେତ୍ର ବିକାଶ ପ୍ରକଳ୍ପ ବୁଲି ଦେଖିବା ଅବସରରେ ମୁଖ୍ୟମନ୍ତ୍ରୀ ଲିଙ୍ଗରାଜ ମନ୍ଦିର ସିଂହଦ୍ୱାରକୁ ଯାଇ ସେଠାରୁ ମହାପଭୁଙ୍କୁ ପ୍ରଣାମ ଜଣାଇଥିଲେ ଏବଂ ସେବାୟତ ମାନଙ୍କ ସହିତ ଆଲୋଚନା କରିଥିଲେ । ବର୍ତ୍ତମାନ ସରକାର ଅମଳରେ ବିନ୍ଦୁସାଗର ଠାରୁ ଆରମ୍ଭ କରି ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ଅନେକ ବିକାଶ କାର୍ଯ୍ୟ ହୋଇଥିବାରୁ ସେବାୟତମାନେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିଥିଲେ ।

CM Naveen Patnaik Visits Ekarma kshetra

ପରେ ମୁଖ୍ୟମନ୍ତ୍ରୀ ଦେବୀ ପାଦହରା ପୁଷ୍କରଣୀ ବୁଲି ଦେଖିବା ସହ ବିନ୍ଦୁସାଗର ମଠଘାଟ ଠାରେ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିଥିଲେ । ଏକାମ୍ର କ୍ଷେତ୍ର ପ୍ରକଳ୍ପ ପାଇଁ ଜମି ଦାନ କରିଥିବା ବ୍ୟକ୍ତି ମାନଙ୍କୁ ମୁଖ୍ୟମନ୍ତ୍ରୀ ସାଧୁବାଦ ଜଣାଇଥିଲେ ଏବଂ ପ୍ରକଳ୍ପ କାର୍ଯ୍ୟ ଆଗକୁ ନେବା ପାଇଁ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତିରେ ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକାଶ କରିବା ସହିତ ଅଧିକ ପର୍ଯ୍ୟଟକଙ୍କୁ ସେଠାକୁ ଆକର୍ଷିତ କରିବାରେ ଏହି ଯୋଜନା ଏକ ସଫଳ ଉଦ୍ୟମ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

Special Act To Be Formed For Lingaraj Temple Like Jagannath Temple

ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀଙ୍କ 5T କାର୍ଯ୍ୟକ୍ରମ ଅଧୀନରେ ଏହି ପ୍ରକଳ୍ପ କାର୍ଯ୍ୟ ଚାଲୁ ରହିଛି । ଐତିହ୍ୟ ନଗରୀ ଭୁବନେଶ୍ୱରର ଗରିମାକୁ ଆହୁରି ବୃଦ୍ଧି କରିବା ସହିତ ଏହାକୁ ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଭାବରେ ବିକଶିତ କରିବା ଏବଂ ଭକ୍ତ ଓ ପର୍ଯ୍ୟଟକ ମାନଙ୍କ ପାଇଁ ଏକ ଅନନ୍ୟ ଆଧ୍ୟାତ୍ମିକ ଅନୁଭବ ପ୍ରଦାନ କରିବା ଏହି ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ । ମୁଖ୍ୟମନ୍ତ୍ରୀଙ୍କ ପରିଦର୍ଶନ ସମୟରେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ଅନନ୍ତ ନାରାୟଣ ଜେନା, ବିଧାୟକ ସୁଶାନ୍ତ ରାଉତ, ଉନ୍ନୟନ କମିଶନର ସୁରେଶ ମହାପାତ୍ର, ମୁଖ୍ୟମନ୍ତ୍ରୀଙ୍କ ସଚିବ (5T) ଭି.କେ. ପାଣ୍ଡିଆନ, ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ, ପୂର୍ତ୍ତ ସଚିବ କିଷନ କୁମାର, ବିଏମ୍‌ସି କମିଶନର ପ୍ରେମଚାନ୍ଦ ଚୌଧୁରୀ ଏବଂ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ଏକ୍ରାମ କ୍ଷେତ୍ର ପରିଦର୍ଶନ ପରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଛନ୍ତି- ଉନ୍ନୟନ ଦେଖି ମୁଖ୍ୟମନ୍ତ୍ରୀ ଖୁସିବ୍ୟକ୍ତ କରିଛନ୍ତି । ଲିଙ୍ଗରାଜ ପ୍ରକଳ୍ପ ମୁଖ୍ୟମନ୍ତ୍ରୀଙ୍କ ବହୁଦିନର ପରିକଳ୍ପନା । ଯାହା ଆଜି ବାସ୍ତବ ରୂପ ନେଉଛି । ଖୁବଶୀଘ୍ର ଲିଙ୍ଗରାଜ ମନ୍ଦିର ପାଇଁ ପୁରୀ ଶ୍ରୀମନ୍ଦିର ଭଳି ସ୍ୱତନ୍ତ୍ର ଆଇନ୍ ଆସିବ । ଆଇନରେ ମନ୍ଦିରର ଐତିହ୍ୟ, ସେବାୟତ, ରୀତିନୀତି ସବୁକିଛି ରହିବ । ୧୯୫୪ ମସିହା ଜଗନ୍ନାଥ ମନ୍ଦିର ଆଇନ୍ ପ୍ରକାରେ ଲିଙ୍ଗରାଜ ମନ୍ଦିର ପାଇଁ ଆଇନ୍ ଆସିବ ।

CM Naveen Patnaik Visits Ekarma Kshetra

ପ୍ରାୟ ଏକ ହଜାର ବର୍ଷ ପୂରୁଣା ଲିଙ୍ଗରାଜ ମନ୍ଦିର ଲକ୍ଷ ଲକ୍ଷ ଶିବ ଭକ୍ତମାନଙ୍କର ଶ୍ରଦ୍ଧା ଓ ବିଶ୍ୱାସର ପ୍ରତୀକ । ଏହାକୁ ସୁରକ୍ଷା ସହିତ ଆମର ଭବିଷ୍ୟତ ପିଢି ପାଇଁ ଏହାକୁ ଉପଯୁକ୍ତ ସଂରକ୍ଷଣ ନିମନ୍ତେ କିଛି ତ୍ୟାଗର ଆବଶ୍ୟକତା ରହିଥିଲା । ଏହାକୁ ଉପଲବ୍ଧି କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ୨୦୧୯ ଡିସେମ୍ବର ୧୨ ତାରିଖରେ ଲିଙ୍ଗରାଜ ମନ୍ଦିର ଚତୁପାର୍ଶ୍ୱର ବିକାଶ ଯୋଜନା ପ୍ରସ୍ତୁତ କରିଥିଲେ । ରାଜ୍ୟର ଏହି ଗୌରବମୟ ଐତିହ୍ୟର ସୁରକ୍ଷା ଓ ଉପଯୁକ୍ତ ସଂରକ୍ଷଣ ପାଇଁ ରାଜ୍ୟ ସରକାର ୬୬ ଏକର ପରିବ୍ୟାପ୍ତ ଏହି ଏକାମ୍ର କ୍ଷେତ୍ର ଯୋଜନା ଆରମ୍ଭ କରିଛନ୍ତି ।

CM Naveen Patnaik Visits Ekarma Kshetra

ଏହା ଅଧିନରେ ସୁଦୃଶ୍ୟ ପ୍ରବେଶ ପଥ, ବିନ୍ଦୁ ସାଗର ପୁନରୁଦ୍ଧାର ଯୋଜନାରେ ରହିଛି ବିଭିନ୍ନ ଐତିହ୍ୟ ପୁଷ୍କରିଣୀର ପୁନଃରୁଦ୍ଧାର, ଅତ୍ୟାଧୁନିକ ପାର୍କିଂ, ଲିଙ୍ଗରାଜ ଐତିହ୍ୟ ପ୍ରକଳ୍ପ, କେଦାରଗୌରୀ ଓ ମୁକ୍ତେଶ୍ୱର ପରିସରର ବିକାଶ ଓ ବିଭିନ୍ନ ସୁବିଧା ସୁଯୋଗ । ଇ-ଅଟୋ କାର୍ଯ୍ୟକ୍ରମ, ଐତିହ୍ୟ ବ୍ୟାଖ୍ୟାୟନ କେନ୍ଦ୍ର ଏବଂ ଥଇଥାନ ଭଳି ପ୍ରସ୍ତୁତ ହୋଇଛି ୯ଟି ପ୍ରକଳ୍ପ । ଏହି ଯୋଜନାରେ ଲିଙ୍ଗରାଜ ଥାନା ଓ ଶ୍ରୀ ଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ବୋର୍ଡ ଅଫିସ ଅନ୍ୟତ୍ର ସ୍ଥାନାନ୍ତର କରାଯାଉଛି । ଟ୍ରାଫିକ ହ୍ରାସ  ଓ ଯାତାୟତର ସୁବିଧା ପାଇଁ ତାଳେଶ୍ୱର ଛକ ଠାରୁ ବଢେଇବାଙ୍କ ଛକ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କରାଯାଇଛି ।

CM Naveen Patnaik Visits Ekarma Kshetra

ଚାରିଗୋଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା ମଧ୍ୟ କରାଯାଇଛି । ଶ୍ରୀ ଲିଙ୍ଗରାଜ ମନ୍ଦିର ସମ୍ମୁଖ ଭାଗରେ ଉଦ୍ୟାନ ନିର୍ମାଣ ସହିତ ଏହାର ସୌନ୍ଦର୍ଯ୍ୟକରଣ କରାଯାଇଛି ଏବଂ ମନ୍ଦିର ଚାରି ପାଖରେ ପରିକ୍ରମା ପଥ ନିର୍ମାଣ ହୋଇଛି । ବିନ୍ଦୁସାଗର ସହିତ ରହିଛି ମହାପ୍ରଭୁଙ୍କର ଅନନ୍ୟ ସଂପର୍କ ଏବଂ ଏହା ଶ୍ରୀଲିଙ୍ଗରାଜ ମନ୍ଦିର ପରେ ଏକାମ୍ର କ୍ଷେତ୍ରର ଦ୍ୱିତୀୟ ଆକର୍ଷଣ କେନ୍ଦ୍ର । ବିନ୍ଦୁ ବିନ୍ଦୁ ତୀର୍ଥରୁ ସୃଷ୍ଟି ହୋଇଥିବା ଏହି ପବିତ୍ର ପୁଷ୍କରିଣୀ ଏକାମ୍ରକ୍ଷେତ୍ରର ଆଧ୍ୟାତ୍ମିକ ଜୀବନର ଅନନ୍ୟ ଅଙ୍ଗ ହୋଇଥିବାରୁ ଏହାର ମଧ୍ୟ ବିକାଶ କରାଯାଉଛି । ପୂର୍ବରୁ ୧୦ରୁ ୧୫ ହଜାର ଲୋକ ମନ୍ଦିର ସାମନାରେ ସମବେତ ହେବାରେ ଅସୁବିଧା ହେଉଥିବା ବେଳେ ଏହି ନୂଆ ଯୋଜନା ପରେ ଦୁଇ ଲକ୍ଷରୁ ଅଧିକ ଲୋକ ମନ୍ଦିର ସମ୍ମୁଖରେ ସମବେତ ହୋଇ ମହାପ୍ରଭୁଙ୍କର ଶିବରାତ୍ରି ଉତ୍ସବରେ ସାମିଲ ହୋଇ ମହାଦୀପ ଦର୍ଶନର ଆଧ୍ୟାତ୍ମିକ ଅନୁଭବ ଲାଭ କରିପାରିବେ ।

CM Naveen Patnaik Visits Ekarma Kshetra

ବିକାଶ ଯୋଜନାରେ ଜୀବିକା ହରାଉଥିବା ସବୁ ବର୍ଗର ଲୋକ ଓ ବ୍ୟବସାୟୀଙ୍କ ପାଇଁ ଥଇଥାନ ପ୍ୟାକେଜ ମଧ୍ୟ ଘୋଷଣା ହୋଇଛି । ଉଠାଦୋକାନୀ ମାନଙ୍କୁ ଦୁଇଟି କିସ୍ତିରେ ୩୦ ହଜାର ଟଙ୍କା ଏକକାଳୀନ ସହାୟତା ଦିଆଯିବ ଏବଂ ଭେଣ୍ଡିଂ ଜୋନ୍ କରାଯାଇ ସେମାନଙ୍କୁ ଥଇଥାନ କରାଯିବ । ପକ୍କା ଘରେ ଥିବା ଦୋକାନ ଘର ଉଚ୍ଛେଦ ନିମନ୍ତେ ବ୍ୟବସାୟୀଙ୍କୁ ୧୨ ମାସ ନିମନ୍ତେ ମାସିକ ୧୦ ହଜାର ଟଙ୍କା ଲେଖାଏଁ ସହାୟତା ଦିଆଯିବ ଏବଂ ପରବର୍ତ୍ତୀ ସମୟରେ  ବି.ଏମ.ସି ପର୍ଯ୍ୟଟନ ବିଭାଗ ଦ୍ୱାରା ନିର୍ମିତ ମାର୍କେଟରେ ଅଥବା ନୂତନ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ କରାଯାଇ ସେମାନଙ୍କୁ ଥଇଥାନ କରାଯିବଷ ସ୍ଥିତିବାନ ଆବାସିକ ଗୃହ/ବ୍ୟବସାୟିକ ଗୃହ ଉଚ୍ଛେଦ କ୍ଷେତ୍ରରେ କ୍ଷତିଗ୍ରସ୍ତଙ୍କ ସହିତ ଆଲୋଚନା କରାଯାଇ ନିୟମ ଅନୁସାରେ କ୍ଷତିପୂରଣ ଦିଆଯାଉଛି ।

Leave a Reply