ଦୁନିଆରେ ରହିଛି ୮ଟି ମହାଦେଶ, ୩୭୫ ବର୍ଷ ପରେ ମିଳିଲା ସନ୍ଧାନ

ନନ୍ଦିଘୋଷ ବ୍ୟୁରୋ: ଯଦି ଆପଣଙ୍କୁ ପଚରାଯାଏ ଦୁନିଆରେ କେତୋଟି ମହାଦେଶ ରହିଛି.. ଆପଣଙ୍କ ଉତ୍ତର ହେବ ସାତ  । କିନ୍ତୁ ବିଜ୍ଞାନ ଭାଷାରେ ଦୁନିଆରେ ରହିଛି ୮ଟି ମହାଦେଶ  । ଯାହାର ଅସ୍ତିତ୍ବ ଉପରେ ମୋହର ମାରିଛନ୍ତି ବୈଜ୍ଞାନିକ  । ପାଖାପାଖି ୩୭୫ ବର୍ଷର ଅନୁସନ୍ଧାନ ପରେ ଅଷ୍ଟମ ମହାଦେଶର ସନ୍ଧାନ ମିଳିଛି  । ଏହି ମଦାଦେଶର ନାମ ରହିଛି ଜିଲେଣ୍ଡିଆ ମହାଦ୍ବୀପ  । ଯଦି ଆପଣ ଏଠାକୁ ଯିବାକୁ ଚାହୁଁଛନ୍ତି ଏହା ଅସମ୍ଭବ  । କାରଣ ପାଣି ଭିତରେ ବୁଡି ରହିଛି ଏହି ମହାଦେଶ  । 

 

୧୮.୯ ଲକ୍ଷ ବର୍ଗ କିଲୋମିଟର ପରିମିତ ଜାଗାରେ ରହିଛି ଜିଲେଣ୍ଡିଆ ମହାଦେଶ  । ଗୋଣ୍ଡୱାନା ନାମକ ସୁପର ମହାଦେଶର ଏହା ଏକ ଅଂଶ ଥିଲା  । ଆଜିକୁ ୫୦ କୋଟି ବର୍ଷ ପୂର୍ବେ ଗୋଣ୍ଡୱାନାରେ ପଶ୍ଚିମ ଆଣ୍ଟାର୍ଟିକା ଓ ପୂର୍ବ ଅଷ୍ଟ୍ରେଲିଆ ମିଶିକି ରହିଥିଲା  । କିନ୍ତୁ ସାଢେ ଦଶ କୋଟି ବର୍ଷ ପୂର୍ବେ ଜିଲେଣ୍ଡିଆ ଗୋଣ୍ଡୱାନା ଠୁ ଅଲଗା ହୋଇଯାଇଥିଲା  । ଏହି ମହାଦ୍ବୀପ କାହିଁକି ଭାଙ୍ଗି ଯାଇଥିଲା ଭୂବିଜ୍ଞାନୀ ଏବେ ବି ଅନୁସନ୍ଧାନ ଜାରି ରଖିଛନ୍ତି  । ସମୁଦ୍ର ଲହଡି ମଧ୍ୟରେ ଲୀନ ହୋଇଯାଇଥିଲା ଏହି ମହାଦେଶ  । ମହାଦ୍ବୀପର ୯୪ ପ୍ରତିଶତରୁ ଅଧିକ ଭାଗ ପାଣି ଭିତରେ ବୁଡି ଯାଇଛି  ।

 

ଜିଲେଣ୍ଡିଆର ଅସ୍ତିତ୍ବ ସମ୍ପର୍କରେ ସର୍ବପ୍ରଥମେ ୧୬୪୨ରେ ଡଚ୍‌ ବ୍ୟବସାୟୀ ତଥା ନାବିକ ଏଭେଲ ତସମାନ ସୂଚନା ଦେଇଥିଲେ  । ମିଶନ ଦକ୍ଷିଣ ମହାଦ୍ବୀପର ସନ୍ଧାନରେ ଥିଲେ ଡଚ୍‌ ନାବିକ  ।

ହେଲେ ସମୁଦ୍ରରେ ବିଲୀନ ଏହି ଦ୍ବୀପକୁ ନ ଖୋଜି ପାରି ସେ ନ୍ୟୁଜିଲାଣ୍ଡର ଦକ୍ଷିଣ ଦ୍ବୀପରେ ପହଞ୍ଚି ଯାଇଥିଲେ  । ସେଠାରେ ସେ ସ୍ଥାନୀୟ ମାଓରୀ ସମ୍ପ୍ରଦାୟଙ୍କୁ ଭେଟିଥିଲେ  ।

ମାଓରୀ ସମୁଦାୟ ସହ ଶତ୍ରୁତା ପରେ ବି ନାବିକଙ୍କୁ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଜାଣିବାକୁ ମିଳିଥିଲା  । କିନ୍ତୁ ବୈଜ୍ଞାନିକଙ୍କୁ ଜିଲୋଣ୍ଡିଆର ଅସ୍ତିତ୍ବରେ ସହମତି ପ୍ରକାଶ କରିବା ପାଇଁ ୪୦୦ ବର୍ଷ ଲାଗିଯାଇଥିଲା  ।

 

ଟାଇମ୍ସ ନାଓର ରିପୋର୍ଟ ମୁତାବକ ୨୦୧୭ରେ ଭୁବିଜ୍ଞାନୀ ଏହି ମହାଦେଶର ଅସ୍ତିତ୍ବ ଥିବା ନେଇ ସୂଚନା ଦେଇଥିଲେ  । ନୂଆ ମହାଦେଶର ଅଧିକାଂଶ ଅଂଶ ପାଣି ତଳେ ବୁଡି ରହିଛି  । ସମୁଦ୍ରର ୨ କିଲୋମିଟର ଗଭୀରତାକୁ ଗଲେ ଆପଣଙ୍କୁ ଜିଲୋଣ୍ଡିଆ ମିଳିବ  । ତେବେ ମଧ୍ୟ ଭାରତର ଏକ ଅଂଶ ଭାବେ ପରିଚିତ ଗୋଣ୍ଡୱାନାରୁ ଜିଲେଣ୍ଡିଆ କାହିଁକି ବିଚ୍ଛିନ୍ନ ହେଲା ତାହାର କାରଣ ଏବେ ବି ଖୋଜୁଛନ୍ତି ବୈଜ୍ଞାନିକ  ।