ଗୋଟିଏ ରାତିରେ ଋଷ ମରାମତି କରି ଦେଲେ କ୍ରିମିଆ ବ୍ରିଜ୍

1 min read

ମସ୍କୋ: ଗତକାଲି କ୍ରିମିଆ ବ୍ରିଜରେ ବିସ୍ଫୋରଣ । ଋଷ-ୟୁକ୍ରେନ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ । ହେଲେ ରାତାରାତି ବ୍ରଜକୁ ମରାମତି କରି ଦେଲା ଋଷ । ଏପରିକି ଗାଡ଼ି ଚଳାଚଳ ମଧ୍ୟ ଆରମ୍ଭ ହୋଇଯାଇଛି । ବ୍ରିଜ୍ ବିସ୍ଫୋରଣ ପରେ ଋଷକୁ ୟୁକ୍ରେନ ଯୁଦ୍ଧ ଭାରି ପଡ଼ିବା ନେଇ ଲଗାଯାଉଥିବା ଅଟକଳରେ ପଡିଛି ପୂର୍ଣ୍ଣେଚ୍ଛଦ ।

ଭାରତରେ ଅବସ୍ଥାପିତ ଋଷ ଦୂତାବାସ କର୍ତ୍ତୃପକ୍ଷ ଏନେଇ ସ୍ପଷ୍ଟ କରିବା ସହ କହିଛନ୍ତି, ଯୁଦ୍ଧକାଳୀନ ଭିତ୍ତିରେ ବ୍ରିଜର ମରାମତି କରାଯାଇଛି । ସେହି ରାସ୍ତାରେ ଚଳାଚଳ ପୁଣି ଆରମ୍ଭ ହୋଇଛି । ମସ୍କୋ ଓ ସେଣ୍ଟ ପିଟସବର୍ଗକୁ ୨ଟି ଟ୍ରେନ ଯାଇଛି ।

ଗତକାଲି ବ୍ରିଜରେ ବିସ୍ଫୋରଣ ଘଟି ୩ ଜଣ ପ୍ରାଣ ହରାଇଥିବା ବେଳେ ବ୍ରିଜର ଦୁଇଟି ସ୍ପାନ ଧସିଯାଇଥିଲା । ସେପଟେ ବ୍ରିଜର ସୁରକ୍ଷାକୁ ବଢାଇ ଦେଇଛନ୍ତି ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ଏନେଇ ସେ ଏକ ଆଦେଶନାମାରେ ସ୍ବାକ୍ଷର କରିଛନ୍ତି । ଏହାସହ କ୍ରାସନୋଦାର ଓ କ୍ରିମିଆ ଅଞ୍ଚଳରେ ଥିବା ଗ୍ୟାସ ପାଇପ ଲାଇନର ସୁରକ୍ଷା ମଧ୍ୟ ବଢାଇ ଦିଆଯାଇଛି ।

ସେପଟେ ଋଷର ମିସାଇଲ ହାମଲାରେ ଜେପୋରିଜିୟାରେ ପ୍ରାଣ ହରାଇଛନ୍ତି ୧୭ ଜଣ ଲୋକ । ୟୁକ୍ରେନ ଷ୍ଟେଟ ଏମର୍ଜେନସି ସର୍ଭିସ ପକ୍ଷରୁ କୁହାଯାଇଛି, ଋଷ ପୁଣି ଥରେ ରକ୍ତମୁଖା ହୋଇ ଜନବସତି ଅଞ୍ଚଳରେ ମିସାଇଲ ଆଟାକ୍ କରିଛି । ଏଥିରେ ଜଣେ ଶିଶୁ ସମେତ ୧୭ ଜଣ ପ୍ରାଣ ହରାଇଛନ୍ତି । କ୍ଷେପଣାସ୍ତ୍ର ମାଡରେ କେତେକ କୋଠା କ୍ଷତିଗ୍ରସ୍ତ ହୋଇଛି । ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି କହିଛନ୍ତି, ପ୍ରତିଦିନ ଜେପୋରିଜିୟାକୁ ଋଷ ଟାର୍ଗେଟ କରୁଛି ଏବଂ ଆକ୍ରମଣରେ ଅନେକ ଧନଜୀବନ କ୍ଷତିଗ୍ରସ୍ତ ହେଲାଣି । ଗତ ସପ୍ତାହରେ ଏହି ଅଞ୍ଚଳରେ ପ୍ରାଣ ହରାଇଥିଲେ ୩୦ ନାଗରିକ ।

ତେଣେ ୟୁକ୍ରେନ ନିକଟରୁ ବାରମ୍ବାର ପରାଜୟ ପରେ ବଦଳିଛନ୍ତି, ମସ୍କୋ ସେନାର ନେତୃତ୍ବ ନେଉଥିବା କମାଣ୍ଡର । ଜେନେରାଲ ସର୍ଗେଇ ସୁରୋଭିକିନଥେ ହୋଇଛନ୍ତି ନୂଆ କମାଣ୍ଡର ।