ବିଧାନସଭାରେ କୃଷିମନ୍ତ୍ରୀଙ୍କ ଉତ୍ତର: ୩୬ ଶୀତଳଭଣ୍ଡାର କାର୍ଯ୍ୟକ୍ଷମ,୯୭ ଅଚଳ

1 min read

ଭୁବନେଶ୍ୱର: ରାଜ୍ୟରେ 36ଟି ଶୀତଳ ଭଣ୍ଡାର କାର୍ଯ୍ୟକ୍ଷମ ଅଛି । ଆଉ 97ଟି ଅଚଳ ହୋଇ ପଡିଛି । ହେଲେ ଏହି ଅଚଳ ଶୀତଳ ଭଣ୍ଡାରକୁ କାର୍ଯ୍ୟକ୍ଷମ କରିବା ପାଇଁ ଯେଉଁ ପରିମାଣର ଅର୍ଥ ଆବଶ୍ୟକ, ତାହା ନୂତନ ଶୀତଳ ଭଣ୍ଡାର ନିର୍ମାଣ ସହ ସମାନ । ତେଣୁ ଅଚଳ ଶୀତଳ ଭଣ୍ଡାରକୁ କାର୍ଯ୍ୟକ୍ଷମ କରିବା ଲାଭଦାୟକ ନୁହେଁ । ପନିପରିବା ସଂରକ୍ଷଣ ପାଇଁ ଉଦ୍ୟାନ କୃଷି ବିଭାଗ 100 କିଲୋଗ୍ରାମ ବିଶିଷ୍ଟ ହଜାରେ ସବଜି କୁଲର ନିର୍ମାଣ କରୁଛି । ଯେଉଁଥିରେ 70% ରିହାତି ବ୍ୟବସ୍ଥା ରହିଛି । ଏଥିରେ ପ୍ରୋତ୍ସାହନ ରାଶି ବି ଅଛି । ସାଧାରଣ ଅଞ୍ଚଳ ପାଇଁ 55%, ଯାହା 220 ଲକ୍ଷ ଟଙ୍କା ।

ସେହିପରି ସଂରକ୍ଷିତ ଅଞ୍ଚଳ ପାଇଁ 70%, ଯାହା 280 ଲକ୍ଷ ଟଙ୍କା ଅଟେ । ସେହିପରି ଶୀତଳିକରଣ ଗୃହ ବି ନିର୍ମାଣ କରାଯିବ । ଏଥିରେ 55ରୁ 70% ରିହାତି ମିଳିବ । ଏନେଇ ବିଧାନସଭାର ଉତ୍ତର ରଖିଛନ୍ତି କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ । ସେହିପରି ପଞ୍ଚାୟତିରାଜ ବିଭାଗ, SHG ଓ କୃଷକଙ୍କ ସହଯୋଗରେ ସୌରଚାଳିତ ଶୀତଳ ଗୃହ ନିର୍ମାଣ କରାଯାଉଛି । ଇଛୁକ ଲୋକେ ପାଖ ଉଦ୍ୟାନ କୃଷି କାର୍ଯ୍ୟାଳୟରେ ନିବେଦନ କରିପାରିବେ । 2 ଲକ୍ଷ 71 ହଜାର 155 ହେକ୍ଟର ଜମିରେ 31.25 ଲକ୍ଷ ଟନ ଆଳୁ ଉତ୍ପାଦନ ହେଉଛି । ବର୍ତ୍ତମାନ ମହଜୁଦ ଥିବା ଶୀତଳ ଭଣ୍ଡାର ଆଳୁ ରଖିବା ପାଇଁ ପର୍ଯ୍ୟାପ୍ତ । ଏପ୍ରିଲ ପହିଲାରୁ ଶୀତଳିକରଣ ଗୃହ, ପରିବହନ ଖର୍ଚ୍ଚ ଓ ସଂରକ୍ଷଣ ଉପରେ ବଡ଼ ରିହାତି ମିଳିବ ।

ରାଜ୍ୟ ସରକାର 70%ରୁ ଅଧିକ ରିହାତି ଦେବେ ବୋଲି ଗୃହରେ ଉତ୍ତର ରଖିଛନ୍ତି କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ । ଅନ୍ୟ କୌଣସି ରାଜ୍ୟ ସବସିଡ଼ି ଦେଉ ନଥିବା ବେଳେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବସିଡ଼ି ବ୍ୟବସ୍ଥା କରିଛନ୍ତି ବୋଲି କହିଛନ୍ତି କୃଷିମନ୍ତ୍ରୀ । ଚାଷୀଙ୍କ ପାଇଁ ବିଧାନସଭାରେ ହାତ ଯୋଡିଛନ୍ତି କୃଷି ମନ୍ତ୍ରୀ । ଉଦ୍ୟାନ କୃଷି ବାବଦରେ କେନ୍ଦ୍ରୀୟ ଅନୁଦାନ କମୁଛି l ତେଣୁ ବିଜେପି ବିଧାୟକ ମାନେ କେନ୍ଦ୍ରକୁ କହି ସେ ପ୍ରାପ୍ୟ ରାଜ୍ୟକୁ ଦିଅନ୍ତୁ ବୋଲି କହିଛନ୍ତି କୃଷିମନ୍ତ୍ରୀ । ରାଜ୍ୟ ସରକାରଙ୍କ କୃଷି ବଜେଟର ଆକାର ସବୁବେଳେ ବଢୁଛି ।

ହେଲେ ପ୍ରତି ବର୍ଷ କେନ୍ଦ୍ର ସରକାର ଜାତୀୟ ଉଦ୍ୟାନ କୃଷି ମିଶନରେ ଅନୁଦାନ କମାଇ ଚାଲିଛନ୍ତି । 2020-21ରେ 1363.62 କୋଟି ମିଳିଥିବା ବେଳେ, 2021-22ରେ ଏହା କମି 1335.50 କୋଟି ଟଙ୍କା ହେଲା । ଆଉ ଚଳିତ ବଜେଟରେ ଆହୁରି କମାଇ 1049.26 କୋଟି କରିଛନ୍ତି । ହେଲେ ରାଜ୍ୟ ସରକାର ଆବଶ୍ୟକତା ଭିତ୍ତିରେ ନୂତନ ବୈଷୟିକ ଜ୍ଞାନକୌଶଳ ଜରିଆରେ ଚାଷ ଓ ଚାଷୀଙ୍କ ବିକାଶ ପାଇଁ କାମ ଜାରି ରଖିଛନ୍ତି ବୋଲି କହିଛନ୍ତି କୃଷିମନ୍ତ୍ରୀ ।