ତୈଳ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ଦେଶବ୍ୟାପୀ ହଲ୍ଲାବୋଲ, ସାମିଲ ହେଲେ ଏହି ବଡ଼ ବଡ଼ ନେତା

ନୂଆଦିଲ୍ଲୀ: ତୈଳ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ଦେଶବ୍ୟାପୀ ହଲ୍ଲାବୋଲ । ବିଭିନ୍ନ ରାଜ୍ୟରେ ବିକ୍ଷୋଭ ଓ ଧାରଣା ପ୍ରଦର୍ଶନ କରିଛି କଂଗ୍ରେସ । ୧୦ଦିନରେ ୯ ଥର ପେଟ୍ରୋଲ ଡିଜେଲ ଦର ବୃଦ୍ଧିକୁ ନେଇ ଲଗାତାର କେନ୍ଦ୍ରକୁ ଟାର୍ଗେଟ କରୁଥିବା କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇଛି  ।  ଦିଲ୍ଲୀ ବିଜୟଚୌକରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ଅନ୍ୟ ବରିଷ୍ଠ ନେତାଙ୍କ ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ଗତ ୧୦ ଦିନରେ ୯ ଥର ୫ଟଙ୍କା ୬୦ ପଇସା ବଢ଼ିଛି ପେଟ୍ରୋଲ ଦାମ। ଏହାର ପ୍ରଭାବ ଗରିବ ଓ ମଧ୍ୟବିତ୍ତଙ୍କ ଉପରେ ପଡୁଛି । ତେଣୁ କେନ୍ଦ୍ର ସରକାର ପେଟ୍ରୋଲ, ଡିଜେଲ୍‌ ଦର କମାଇବାକୁ ଦାବି କରିଛନ୍ତି ରାହୁଲ ଗାନ୍ଧି । ପ୍ରାୟ ସବୁ ରାଜ୍ୟରେ ପେଟ୍ରୋଲ ଡିଜେଲ ଲିଟର ଶହେ ଟଙ୍କା ପାର କରିଛି । ସେପଟେ ଦରଦାମ ବୃଦ୍ଧି ପ୍ରତିବାଦରେ ଲୋକସଭାରେ ବିରୋଧୀ ଦଳ ୱାକ ଆଉଟ୍‌ କରିଛନ୍ତି । କଂଗ୍ରେସ ସହ ଡିଏମ୍‌କେ, ଏନ୍‌ସି, ସିପିଆଇ, ସିପିଏମ୍‌, ଏନ୍‌ସିପି, ଟିଏମ୍‌ସି ୱାକଆଉଟ୍ କରିଥିଲେ  ।

ତେବେ ଆଜି ବି ପୁଣି ବଢିଛି ତେଲ ଦର । ୧୦ ଦିନରେ ଲଗାତର ୯ ଦିନ ଧରି ବଢିଚାଲିଛି ତୈଳ ଦର । ୮୦ ପଇସା ଲେଖାଏଁ ବଢିଛି ଉଭୟ ପେଟ୍ରୋଲ ଓ ଡିଜେଲ ଦର । ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ଦର ୧୦୧.୮୧ ପଇସାରେ ପହଞ୍ଚିଥିବା ବେଳେ, ଡିଜେଲ ଦର ୯୩.୦୭ ହୋଇଛି । ସେହିପରି ମୁମ୍ବାଇରେ ପେଟ୍ରୋଲ ଓ ଡିଜେଲର ଦର ୮୪ ପଇସା ଲେଖାଏଁ ବଢିଛି ।