ସରକାର ସାହୁକାରଙ୍କ ଭଳି ବ୍ୟବହାର କରୁଛନ୍ତି, ଲୋକଙ୍କ କରଜ ନୁହେଁ ଟଙ୍କା ଆବଶ୍ୟକ

1 min read

ନୂଆଦିଲ୍ଲୀ: କରୋନା ମୁକାବିଲା ବିଶେଷକରି ପ୍ରବାସୀ ଶ୍ରମିକଙ୍କୁ ସହାୟତା କରିବାରେ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇଛନ୍ତି ବୋଲି କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧି କହିଛନ୍ତି । ଶନିବାର ଦିନ ଭିଡିଓ କନଫରେନ୍ସିଂ ଜରିଆରେ ରାହୁଲ ଲକଡାଉନ୍ କାରଣରୁ ଦେଶର ସୃଷ୍ଟି ହୋଇଥିବା ପରିସ୍ଥିତି ବାବଦରେ ଆଲୋଚନା କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ୨୦ ଲକ୍ଷ କୋଟିର ପ୍ୟାକେଜ୍ ଘୋଷଣା ଉପରେ ପ୍ରତିକ୍ରିୟା ରଖି ରାହୁଲ କହିଥିଲେ ଯେ, ଯେତେବେଳେ ପିଲା କାନ୍ଦେ ସେତେବେଳେ ମା’ ତାକୁ କରଜ ଦିଏ ନାହିଁ, ଟ୍ରିଟ୍ ଦିଏ । ସେମିତି ସଡ଼କ ଉପରେ ଚାଲୁଥିବା ପ୍ରବାସୀ ଶ୍ରମିକ କରଜ ନୁହେଁ ଟଙ୍କା ଆବଶ୍ୟକ କରନ୍ତି । ସେଥିପାଇଁ ସରକାର ସାହୁକାରଙ୍କ ଭଳି କାମ କରନ୍ତୁ ନାହିଁ  ।

ଆପଣ ପ୍ରଧାନମନ୍ତ୍ରୀ ହୋଇଥିଲେ କ’ଣ କରିଥାନ୍ତେ ?

ଏହି ସମୟରେ ଜଣେ ସାମ୍ବାଦିକ ରାହୁଲ ଗାନ୍ଧିଙ୍କୁ ପଚାରିଥିଲେ ଯେ, ଆପଣ ଯଦି ପ୍ରଧାନମନ୍ତ୍ରୀ ହୋଇଥାନ୍ତେ ତେବେ କଣ କରିଥାନ୍ତେ ? ଉତ୍ତରରେ ରାହୁଲ ଗାନ୍ଧି ହସି କରି କହିଥିଲେ ଯେ, ମୁଁ ପ୍ରଧାନମନ୍ତ୍ରୀ ନୁହେଁ । ତେଣୁ ଏଭଳି କାଳ୍ପନିକ ସ୍ଥିତିକୁ ନେଇ ମୁଁ କଥା ହୋଇ ପାରିବି ନାହିଁ । କିନ୍ତୁ ବିରୋଧୀ ଦଳ ନେତା ହିସାବରେ ମୁଁ କହିବି ଯେ, କୌଣସି ବ୍ୟକ୍ତି କାମ ତଲାସରେ ହିଁ ନିଜ ଘର ଛାଡି ଅନ୍ୟ ରାଜ୍ୟକୁ ଯାଇଥାଏ । ଏଥିପାଇଁ ସରକାରଙ୍କୁ ରୋଜଗାର ପ୍ରସଙ୍ଗରେ ରାଷ୍ଟ୍ରୀୟ ରଣନୀତି ତିଆରି କରିବାକୁ ପଡିବ ।

ରାହୁଲ କହିଥିଲେ ଯେ, ମୋ ହିସାବରେ ସରକାରଙ୍କୁ ତିନି ଟର୍ମ-ସର୍ଟ, ମିଡ୍ ଓ ଲଙ୍ଗ ଟର୍ମରେ କାମ କରିବାକୁ ପଡିବ । ସର୍ଟ ଟର୍ମରେ ଡିମାଣ୍ଡ୍ ବଢାନ୍ତୁ । ଏହି କ୍ରମରେ ଆପଣ ଭାରତର ଛୋଟ ଓ ମଧ୍ୟମ ବ୍ୟବସାୟୀଙ୍କୁ ବଂଚାଇବେ । ସେମାନଙ୍କୁ ରୋଜଗାର ଦିଅନ୍ତୁ । ଆର୍ଥିକ ସହାୟତା ଦିଅନ୍ତୁ । ସ୍ୱାସ୍ଥ୍ୟ ଦୃଷ୍ଟିରୁ ଯେଉଁମାନଙ୍କୁ ଅଧିକ ବିପଦ ଅଛି ସେମାନଙ୍କ ଅଧିକ ଧ୍ୟାନ ରଖନ୍ତୁ । ସେହିଭଳି ମିଡ୍ ଟର୍ମରେ ଛୋଟ ଓ ମଧ୍ୟମ ବ୍ୟବସାୟୀଙ୍କୁ ସାହାଯ୍ୟ କରନ୍ତୁ । ଭାରତର ୪୦ ପ୍ରତିଶତ ରୋଜଗାର ଏହି ଲୋକଙ୍କ ଜରିଆରେ ମିଳିଥାଏ । ତେଣୁ ଏମାନଙ୍କୁ ଆର୍ଥିକ ସାହାଯ୍ୟ କରିବାକୁ ପଡିବ ।

ସରକାର ସାହୁକାର ଭଳି ବ୍ୟବହାର କରନ୍ତୁ ନାହିଁ

ଏହାପୂର୍ବରୁ ରାହୁଲ ଗାନ୍ଧି ସରକାରଙ୍କ ସାହାଯ୍ୟ ଯଥେଷ୍ଟ ନୁହେଁ ବୋଲି କହିଥିଲେ । ସେ କହିଥିଲେ ଯେ, କରଜ ଦ୍ୱାରା ସେମାନଙ୍କୁ ସାହାଯ୍ୟ କରି ହେବ ନାହିଁ । କୃଷକ,ପ୍ରବାସୀ ଓ ଶ୍ରମିକଙ୍କ ପକେଟକୁ ସିଧାସଳଖ ଟଙ୍କା ଯିବା ଆବଶ୍ୟକ । ସେ କହିଥିଲେ ଯେ, ସଡକରେ ଚାଲୁଥିବା ପ୍ରବାସୀ ଶ୍ରମିକ କରଜ ନୁହେଁ ଟଙ୍କା ଆବଶ୍ୟକ କରନ୍ତି । ପିଲା ଯେତେବେଳେ କାନ୍ଦେ ସେତେବେଳେ ମା’ ତାକୁ ଲୋନ୍ ଦିଏନା, ତାକୁ ଚୁପ୍ କରାଇବା ଉପାୟ ଖୋଜେ ।  ତାକୁ ଟ୍ରିଟ୍ ଦିଏ । ସରକାରଙ୍କୁ ସାହୁକାର ନୁହେଁ ମା’ ଭଳି ବ୍ୟବହାର କରିବାକୁ ହେବ ।

Leave a Reply