ପୁଣି ଖୋଲା ଯାଇଛି ଶ୍ରୀମନ୍ଦିର ରତ୍ନଭଣ୍ଡାର, ଆଲମିରା ସିନ୍ଦୁକ ସ୍ଥାନାନ୍ତରଣ
ପୁରୀ: ଆଜି ପୁଣି ଖୋଲା ଯାଇଛି ଶ୍ରୀମନ୍ଦିର ରତ୍ନଭଣ୍ଡାର। ରତ୍ନଭଣ୍ଡାରରେ ଥିବା ୨ ଆଲମିରା ୩ଟି ସିନ୍ଦୁକକୁ ସ୍ଥାନାନ୍ତରଣ କରାଯାଇଛି। ଶ୍ରୀମନ୍ଦିର ପରିସରରେ ଥିବା ନୀଳାଦ୍ରି ମ୍ୟୁଜିୟମ୍ ନିକଟ ଗୃହରେ ଆଲମିରା ଓ ସିନ୍ଦୁକ ରଖାଯାଇଛି । ଏହା ପରେ ରତ୍ନଭଣ୍ଡାରର ସ୍ଥିତି ଯାଞ୍ଚ କରାଯାଇ ମରାମତି କାର୍ଯ୍ୟ କରାଯିବ ।
ରାଜ୍ଯ ସରକାର ଧାର୍ଯ୍ଯ କରିଥିବା ଏସଓପି ମାଧ୍ଯମରେ ସିନ୍ଦୁକ ଓ ଆଲମିରା କରାଯାଇଛି ସ୍ଥାନାନ୍ତର। ମହାପ୍ରଭୁଙ୍କ ନୀତିକାନ୍ତିରେ ଯେପରି ବାଧା ନଉପୁଯିବ ସେଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ବିଶେଷ ନୀତିନିର୍ଘଣ୍ଟ ପ୍ରସ୍ତୁତ କରିଛି । ଦିନ ଗୋଟାଏରୁ ବନ୍ଦ ରହିଛି ସର୍ବସାଧାରଣ ଦର୍ଶନ। ତେବେ ଭକ୍ତମାନେ ମହାପ୍ରସାଦ ପାଇବାରେ କୌଣସି ସମସ୍ୟା ହେବନି ।
ଆନନ୍ଦ ବଜାରରୁ ମହାପ୍ରସାଦ କିଣିବା ପାଇଁ ଶ୍ରଦ୍ଧାଳୁମାନେ ସିଂହଦ୍ବାରରେ ପ୍ରବେଶ କରି ଉତ୍ତର ଦ୍ବାରରେ ପ୍ରସ୍ଥାନ କରିପାରିବେ। ଗତ ଜୁଲାଇ ୧୪ ତାରିଖରେ ରତ୍ନଭଣ୍ଡାର ଖୋଲାଯାଇଥିଲା। ୧୧ଜଣିଆ ପ୍ରତିନିଧି ଦଳ ଭିତରକୁ ଯାଇଥିଲେ ହେଁ ସିନ୍ଦୁକ ଓ ଆଲମିରା ଖୋଲିନଥିଲେ। ତେଣୁ ଜୁଲାଇ ୧୮ ତାରିଖରେ ପୁନର୍ବାର ଭିତର ରତ୍ନଭଣ୍ଡାର ଖୋଲାଯାଇ ୩ଟି ସିନ୍ଦୁକ ଓ ୪ଟି ଆଲମାରିରେ ଥିବା ଅଳଙ୍କାର ସ୍ଥାନାନ୍ତର କରାଯାଇଥିଲା।
ଏହା ମଧ୍ୟରେ ତିନିଟି କାଠ ଆଲମିରା, ଗୋଟିଏ ଷ୍ଟିଲ ଆଲମିରା, ୨ଟି କାଠ ସିନ୍ଦୁକ ଓ ଗୋଟିଏ ଲୁହା ସିନ୍ଦୁକ ରହିଛି। ରତ୍ନଭଣ୍ଡାରର ଅଳଙ୍କାର ଖଟଶେଜ ଘର ଅସ୍ଥାୟୀ ଷ୍ଟ୍ରଙ୍ଗରୁମକୁ ସ୍ଥାନାନ୍ତର କରାଯାଇ ସୁରକ୍ଷାବଳୟ ମଧ୍ୟରେ ରଖାଯାଇଛି।