ଦିନକୁ ଦିନ ବଢ଼ୁଥିବା ଜନସଂଖ୍ୟା ଓ ଜଙ୍ଗଲ କ୍ଷୟ ପ୍ରକୃତି ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଏଭଳି ସମୟରେ ନିଜର ଚାରି ଏକର ପୈତୃକ ଜମିକୁ ସବୁଜ ବନାନୀରେ ପରିଣତ କରି ଏକ ନିଆରା ଦୃଷ୍ଟାନ୍ତ ସୃଷ୍ଟି କରିଛନ୍ତି ନବରଙ୍ଗପୁରର ରବୀନ୍ଦ୍ରନାଥ ହାଲଦାର। ୧୨୦ ପ୍ରଜାତି ର ଘଞ୍ଚ ଜଙ୍ଗଲ ସହ ବିରଳ ରୁଦ୍ରାକ୍ଷ ଓ ଔଷଧୟୀ ବୃକ୍ଷରେ ଭରା ବନାନୀ ପାଇଁ ବେଶ ପରିଚିତ। ପୂରା ପରିବାର ଏହି ସବୁଜ ଅଭିଯାନରେ ସାମିଲ ହୋଇ ପରିବେଶ ସୁରକ୍ଷାର ବାର୍ତ୍ତା ଦେଉଛନ୍ତି ।ସବୁଜ ବନାନୀ ପାଇଁ ୪୫ ବର୍ଷର ସଂଘର୍ଷ । ଛୋଟ ଚାରା ରୋପଣରୁ ଆରମ୍ଭ ହୋଇଥିବା ଯାତ୍ରା ବିଶାଳ ଜଙ୍ଗଲର ରୂପ ନେଇଛି। ଏ ହେଉଛନ୍ତି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ବଡକୁମାରୀ ଗାଁର ଅବସରପ୍ରାପ୍ତ ଶିକ୍ଷକ ରବୀନ୍ଦ୍ରନାଥ ହାଲଦାର। ନିଜର ଚାରି ଏକର ପୈତୃକ ଜମିକୁ ସବୁଜ ବନାନୀରେ ପରିଣତ କରି ଏକ ନିଆରା ଦୃଷ୍ଟାନ୍ତ ସୃଷ୍ଟି କରିଛନ୍ତି। ପଞ୍ଚମ ଶ୍ରେଣୀରେ ପଢ଼ୁଥିବା ବେଳେ ଆରମ୍ଭ ହୋଇଥିଲା ରବୀନ୍ଦ୍ରନାଥଙ୍କ ସବୁଜ ସ୍ୱପ୍ନ। ଉଚ୍ଚଶିକ୍ଷା ପାଇଁ ଜୟପୁରରେ ରହିବା ସମୟରେ ବିଭିନ୍ନ ଔଷଧୀୟ ଓ ଦୁର୍ଲଭ ଗଛର ମଞ୍ଜି ସଂଗ୍ରହ କରି ନିଜ ଜମିରେ ରୋପଣ କରିଥିଲେ। ଆଜି ତାଙ୍କ ସବୁଜ ବନାନୀରେ ରହିଛି ନଡ଼ିଆ, ଗୁଆ, ରକ୍ତଚନ୍ଦନ, ଶାଗୁଆନ, ଚମ୍ପା, ହରିଡ଼ା, ବାହାଡା, କଫି, ଆମ୍ବ, ପଣସ, ଲିଚୁ, ଅଁଳା, ଅଶୋକ, ଜାମୁ, ମହାନିମ୍ବ ସମେତ ଶତାଧିକ ପ୍ରଜାତିର ଦେଶୀ ଓ ବିଦେଶୀ ଗଛ। ତାଙ୍କ ବନାନୀରେ ଦୁଇମୁଖୀ, ତିନିମୁଖୀ ଓ ଚାରିମୁଖୀ ରୁଦ୍ରାକ୍ଷ ଗଛରେ ଫଳ ଧରିବା ତାଙ୍କର ସବୁଠୁ ବଡ଼ ସଫଳତା। ଏହି ସବୁଜ ସାଧନା ପଛରେ ରହିଛି ସମଗ୍ର ପରିବାରର ଅବଦାନ। ପତ୍ନୀ, ପୁଅ ଓ ବୋହୂ ବନାନୀର ଯତ୍ନ ନିଅନ୍ତି। ଆଗାମୀ ଦିନରେ ମଧ୍ୟ ଏହି ସବୁଜ ଅଭିଯାନକୁ ଆହୁରି ବ୍ୟାପକ କରିବା ସହ ପରିବେଶ ସୁରକ୍ଷାର ବାର୍ତ୍ତା ଘରେ ଘରେ ପହଞ୍ଚାଇବାକୁ ଉଦ୍ୟମ ଜାରି ରଖିଛନ୍ତି। ରବୀନ୍ଦ୍ରନାଥ ହାଲଦାରଙ୍କ ୪୫ ବର୍ଷର ସାଧନା ଆଜି ଅନେକଙ୍କ ପାଇଁ ପ୍ରେରଣା ପାଲଟିଛି। ଏହି ନିଆରା ପ୍ରୟାସକୁ ସବୁ ମହଲରେ ପ୍ରଶଂସା କରାଯାଉଛି ।

