spot_img

Latest Posts

ବନ୍ୟା ପରେ ପୁଣି ଦୁର୍ଦ୍ଦଶା ବଢ଼ାଉଛି ଲଗାଣ ବର୍ଷା

ବନ୍ୟା ପରେ ପୁଣି ଦୁର୍ଦ୍ଦଶା ବଢ଼ାଇଛି ଲଗାଣ ବର୍ଷା । ଲଘୁଚାପ ଜନିତ ବର୍ଷା ଯୋଗୁଁ ରାସ୍ତା, ଘରେ, ଜମିରେ ପଶିଛି ପାଣି । ବନ୍ୟା ପରେ ଲୋକେ ସାମାନ୍ୟ ଅଣ୍ଟା ସଳଖିଥିବାବେଳେ ଏବେ ପୁଣି ଲଗାଣ ବର୍ଷା ଦୁଃଖ ବଢ଼ାଇ ଦେଇଛି । ରାଉରକେଲାର ତଳିଆ ଅଞ୍ଚଳରେ ଘର ଭିତରେ ୪ଫୁଟ ପାଣି ଲହଡ଼ି ମାରୁଛି । ସର୍ବାଧିକ ୨୩୬ ମିଲିମିଟର ରେକର୍ଡ ବର୍ଷା ଯୋଗୁଁ ଉବୁଟୁବୁ ହୋଇଛି ବାଲେଶ୍ବରର ଭୋଗରାଇ । ବଲାଙ୍ଗୀରରେ ଜମିରେ ବାଲିଚର ମାଡ଼ି ଯାଇଥିବାରୁ ମୁଣ୍ଡରେ ହାତ ଦେଇ ବସିଛି ଚାଷୀ ।ପ୍ରଥମେ ଭସାଇଲା, ଏବେ ପୁଣି ବୁଡ଼ାଇଲା । ବନ୍ୟା ଦୁର୍ଗତି ପରେ ପୁଣି ଲଗାଣ ବର୍ଷା ବଢାଇଛି ଦୁର୍ଦ୍ଦଶା । ରାଉରକେଲା ଗାନ୍ଧୀ ରୋଡ, ତେଲଗୁ ପଡ଼ା, ଛେଣ୍ଡ କଲୋନୀ, ମହତାବ ରୋଡ଼, TCI, ପାଣ୍ଡେ କଲୋନୀ, ଦାଣ୍ଡିଆପାଲି, ମାଲଗୋଦାମ, ଗଙ୍ଗାଧରପାଲି ବସ୍ତି ଅଞ୍ଚଳର ଦୃଶ୍ୟ । ସବୁଠି ପାଣିରେ ପ୍ରବଳ ସୂଅ । ଘରେ ବାହାରେ ୩-୪ ଫୁଟ ଉଚ୍ଚର ପାଣି । ଲଘୁଚାପ ଜନିତ ଲଗାଣ ବର୍ଷାରେ ସୃଷ୍ଟି ହୋଇଛି ଏପରି ସ୍ଥିତି । ଛେଣ୍ଢ କଳିଙ୍ଗ ବିହାର ଅଞ୍ଚଳରେ କନଭର୍ଟର ବିଦ୍ୟୁତ ଆଘାତରେ ଜଣେ ମହିଳା ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଫସି ରହିଥିବା ପରିବାରକୁ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ ।ଲଗାଣ ବର୍ଷାରେ ବେହାଲ ବାଲେଶ୍ବର ଅଞ୍ଚଳ । ସହରର ୨୬ ନମ୍ବର ୱାର୍ଡ କଂଗ୍ରେସ ଅଫିସ ଲେନ୍, ଓଟି ରୋଡ୍, ଏକତା ନଗର, ଗୁଡ଼ିପଦା, ଚଡ଼ିଆ ପୋଲ ଓ ସିନେମା ରାସ୍ତା ଉପରେ ଛୁଟୁଛି ଦୁଇ ଫୁଟର ପାଣି । ସମଗ୍ର ଜିଲ୍ଲାରେ ହାରାହାରି ୧୧୨. ୧୭ ମିଲିମିଟର ବର୍ଷା ହୋଇଥିବା ବେଳେ ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ସନ୍ଧ୍ୟା ସୁଦ୍ଧା ବୁଢାବଳଙ୍ଗ ଓ ଜଳକା ନଦୀର ଜଳସ୍ତର ବଢ଼ିବା ଆଶଙ୍କା କରାଯାଉଛି । ବୈଶିଙ୍ଗା-ରୁପସା ରାସ୍ତା ବିଚ୍ଛିନ୍ନ ହୋଇଛି । ଲଗାତାର ବର୍ଷାରେ ଭୁଷୁଡ଼ିଛି ବସ୍ତା ଶମ୍ବୁନାଥ ସ୍କୁଲ ପାଚେରୀ । ତେବେ ସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ରହିଛି । ଉଦ୍ଧାର କାର୍ଯ୍ୟ ପାଇଁ ୧୨ ଟି ଅଗ୍ନିଶମ ବାହିନୀ ଓ ଗୋଟିଏ ଓଡ୍ରାଫ୍ ଟିମ୍ ମୁତୟନ ହେବା ସହ ରନ୍ଧା ଓ ଶୁଖିଲା ଖାଦ୍ୟ ଯୋଗାଇ ଦିଆଯାଉଛି । ଜୟଶ୍ରୀ ଆଚାର୍ଯ୍ୟ, ବାଲେଶ୍ବର ବାସିନ୍ଦାଲଗାଣ ବର୍ଷା ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି  । କେଉଁଠି ଚାଷ ଉଜୁଡିଛି ତ ଆଉ କେଉଁଠି ଜମି ବୁଡିକି ରହିଛି I ଅଧିକ କ୍ଷତିଗ୍ରସ୍ତ ହୋଇଛି ବଲାଙ୍ଗୀର ଜିଲ୍ଲାର ଆଗଲପୁର ବ୍ଳକ । ପାଖାପାଖି ୨୫ ଖଣ୍ଡ ଗାଁର ଚାଷ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଜିଲ୍ଲାରେ ୧୪୨ ମିଲିମିଟର ହାରାହାରି ବୃଷ୍ଟିପାତ ରେକର୍ଡ ହୋଇଥିବାବେଳେ ଆଗଲପୁରରେ ସର୍ବାଧିକ ୨୬୪ ମିଲିମିଟର ରେକର୍ଡ ହୋଇଛି । ବନ୍ୟାର ଦୁଇ ସପ୍ତାହ ପରେ ବି ଜମି ଗୁଡ଼ିକ ବାଲିଚର ସହ ନଷ୍ଟ ହୋଇଯାଇଥିବାବେଳେ କ୍ଷୟକ୍ଷତିର ଆକଳନ କରାଯାଇ ନଥିବାରୁ ପୁଣି ଚାଷ କରିବାକୁ ସାହସ ଜୁଟାଇ ପାରୁନାହାନ୍ତି ଚାଷୀ Iବନ୍ୟା ପରେ ଏବେ ଲଗାଣ ବର୍ଷା ଲୋକଙ୍କ ଦୁର୍ଦ୍ଦଶାକୁ ଦ୍ବିଗୁଣିତ କରିଛି । ଆଗକୁ ଆହୁରି ପ୍ରବଳ ବର୍ଷା ନେଇ ସୂଚନା ପରେ ବଢିଛି ଚିନ୍ତା  ।

Latest Posts

Don't Miss