ଆଦିବାସୀଙ୍କୁ ଅଧିକାର ଦେଉଛନ୍ତି ସରକାର, ଜଙ୍ଗଲ ଜମି ପଟ୍ଟା ବଣ୍ଟନରେ ଦେଶରେ ପ୍ରଥମ ଓଡ଼ିଶା

1 min read

ଭୁବନେଶ୍ୱର: ଜଳ, ଜଙ୍ଗଲ, ଜମି । ଆଦିବାସୀଙ୍କୁ ଅଧିକାର ଦେଉଛନ୍ତି ନବୀନ ସରକାର । ଜଙ୍ଗଲ ଜମି ଅଧିକାର ଦେବାରେ ନବୀନ ସରକାରଙ୍କ ରେକର୍ଡ । ୨୦୨୩ ଫେବ୍ରୁଆରୀ ସୁଦ୍ଧା ୪ ଲକ୍ଷ ୬୩ ହଜାର ୭୨୩ଟି ପଟ୍ଟା ବଣ୍ଟନ । ଆଦିବାସୀଙ୍କୁ ବ୍ୟକ୍ତିଗତ, ଗୋଷ୍ଠୀଗତ ଓ ଗୋଷ୍ଠୀଗତ ଜଙ୍ଗଲ ସମ୍ବଳ ଅଧିକାର ନେଇ ୪ ଲକ୍ଷ ୬୩ ହଜାର ୭୨୩ଟି ପଟ୍ଟା ବଣ୍ଟନ କରାଯାଇଛି । ସେଥିରୁ ବ୍ୟକ୍ତିଗତ ଅଧିକାର ବାବଦରେ ପଟ୍ଟା ବଣ୍ଟନ ହୋଇଛି ୪ ଲକ୍ଷ ୫୫ ହଜାର ୯୧୩ । ଗୋଷ୍ଠୀଗତ ବାବଦରେ ୪ ହଜାର ୩୩୦ ଓ ଗୋଷ୍ଠୀଗତ ଜଙ୍ଗଲ ସମ୍ବଳ ଅଧିକାର ବାବଦରେ ପଟ୍ଟା ବଣ୍ଟନ ହୋଇଛି ୩ ହଜାର ୪୮୦ ଖଣ୍ଡ ଜମି ପଟ୍ଟା । ଏ ବାବଦରେ ଆଦିବାସୀଙ୍କୁ ବଣ୍ଟନ ହୋଇଛି ୧୦ ଲକ୍ଷ ୪୨ ହଜାର ୩୨୦ ଏକର ଜଙ୍ଗଲ ଜମି । ରାଜ୍ୟର ମୋଟ ଜନସଂଖ୍ୟାର ୨୨ ପ୍ରତିଶତ ଆଦିବାସୀ ସମ୍ପ୍ରଦାୟ । ୨୦୦୮ ମସିହାରୁ ରାଜ୍ୟ ସରକାର ଆଦିବାସୀଙ୍କୁ ଜଙ୍ଗଲ ଜମି ଅଧିକାର ଦେବା ପାଇଁ କାର୍ଯ୍ୟ ଆରମ୍ଭ କରିଥିଲେ । ସେବେଠାରୁ ଆଜି ପର୍ଯ୍ୟନ୍ତ ଖାଲି ଆଦିବାସୀଙ୍କୁ ରେକର୍ଡ ଅଫ୍ ରାଇଟ୍ସ ମିଳିନି । ମାପଚୁପ କରି ଜମି ଚିହ୍ନଟ କରିବା ସହିତ ଆଦିବାସୀଙ୍କୁ ଜଙ୍ଗଲ ଜମିର ଦଖଲ ଦେବାରେ ସମର୍ଥ ହୋଇଛନ୍ତି ରାଜ୍ୟ ସରକାର । ଗତ ଫେବ୍ରୁଆରୀ ସୁଦ୍ଧା ୪ ଲକ୍ଷ ୨୨ ହଜାର ୨୪୪ଟି ଜମିର ଡିମାର୍କେସନ୍ ସମ୍ପୂର୍ଣ୍ଣ ହୋଇଛି । ଆଦିବାସୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଏଭଳି ଆନ୍ତରିକତାକୁ ପ୍ରଶଂସା କରିଛନ୍ତି ଜନ ପ୍ରତିନିଧି ।

ଖାଲି ଜଙ୍ଗଲ ଜମି ଅଧିକାର ନୁହେଁ । ଆଦିବାସୀଙ୍କ ଜୀବିକା ନିର୍ବାହ ପାଇଁ ଆଇଏଓ୍ବାଇ, ମୋ କୁଡ଼ିଆ, ମହାତ୍ମାଗାନ୍ଧୀ ନରେଗା, ମୋ ପୋଖରୀ, ଜାତୀୟ ଉଦ୍ୟାନ କୃଷି ମିଶନ, ଜାତୀୟ ବାଉଁଶ ମିଶନ ଓ ଅନ୍ୟାନ୍ୟ ଜୀବିକା ଯୋଜନାରେ ୩ ଲକ୍ଷ ୫୫ ହଜାର ୯୪୩ ଆଦିବାସୀ ପରିବାରକୁ ସାମିଲ କରାଯାଇଛି । ୨୦୨୩ ମାର୍ଚ୍ଚ ପହିଲା ସୁଦ୍ଧା ଜଙ୍ଗଲ ଜମି ସଂକ୍ରାନ୍ତ ୩୭ ହଜାର ୬୮୬ଟି ମାମଲା ବିଚାରାଧୀନ ରହିଛି । ଓଡ଼ିଶାର ଆଦିବାସୀଙ୍କୁ ସେମାନଙ୍କ ଜଙ୍ଗଲ ଅଧିକାର ଦେବାରେ ରାଜ୍ୟ ସରକାର ଯେପରି ପ୍ରୋ-ଆକ୍ଟିଭ୍ ପଦକ୍ଷେପ ନେଉଛନ୍ତି, ତାହା ଅନ୍ୟ ରାଜ୍ୟ ପାଇଁ ପାଲଟିଛି ଉଦାହରଣ । ଓଡ଼ିଶାରେ ଜନଜାତିଙ୍କ ବିକାଶ ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ ହୋଇଛି । ଆଦିବାସୀ ବହୁଳ ୯ଟି ଜିଲ୍ଲା ପାଇଁ ସ୍ବତନ୍ତ୍ର ବିକାଶ ପରିଷଦ ଗଠନ କରାଯାଇଛି । ଫଳରେ ସେସବୁ ଜିଲ୍ଲାର ଆଦିବାସୀଙ୍କ ସଂସ୍କୃତି, ଜୀବନଶୈଳୀ, ପରମ୍ପରାର ପ୍ରଚାର ଓ ପ୍ରସାର ବିଶ୍ବ ଦରବାରରେ ପହଞ୍ଚିପାରିଛି ।