ମାନହାନି ମାମଲାରେ ଆଶ୍ୱସ୍ତି ପାଇଁ ଗୁଜରାଟ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ରାହୁଲ

ନୂଆଦିଲ୍ଲୀ: ମୋଦି ସରନେମ ମାମଲାରେ ଦଣ୍ଡ ଉପରେ ରୋକ୍ ଲଗାଇବା ପାଇଁ ଗୁଜରାଟ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି । ଏହି ମାମଲାରେ ନିମ୍ନ ଅଦାଲତରୁ ଆବେଦନ ଖାରଜ ପରେ ରାହୁଲ ହାଇକୋର୍ଟରେ ଆବେଦନ କରିଛନ୍ତି । ନିକଟରେ ସୁରଟର ସେଶନ କୋର୍ଟର ଅତିରିକ୍ତି ସେଶନ ଜଜ ଆର୍ ପି ମୋଗେରା ଦଣ୍ଡବିଧାନ ବିରୋଧରେ ଦାଖଲ ରାହୁଲଙ୍କ ଆବେଦନ ଖାରଜ କରିଦେଇଥିଲେ । ଯଦି ରାହୁଲଙ୍କ ଦଣ୍ଡବିଧାନ ଉପରେ ରୋକ ସମ୍ବନ୍ଧିତ ଆବେଦନ ମଞ୍ଜୁର ହୋଇଯାଏ ତେବେ ତାଙ୍କ ଲୋକସଭା ସଦସ୍ୟତା ଫେରିଆସିବା ନେଇ ରାସ୍ତା ଫିଟିଯିବ ।

ଗୁଜରାଟ ହାଇକୋର୍ଟରେ ଏହି ମାମଲାର ଶୁଣାଣି ଗୁରୁବାର ହେବା ନେଇ ସମ୍ଭାବନା ରହିଛି । ରାହୁଲ ଗାନ୍ଧି ନିମ୍ନ ଅଦାଲତଙ୍କ ଆଦେଶ ବିରୋଧରେ ୩ ଏପ୍ରିଲରେ ସେଶନ କୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ତାଙ୍କ ଓକିଲ ଦଣ୍ଡବିଧାନ ଉପରେ ରୋକ୍ ସହ ଆଉ ଏକ ଆବେଦନ କରିଥିଲେ । ଏଥିରେ ଗୋଟିଏ ଆବେଦନ ଜାମିନ ପାଇଁ ଥିଲା ଯେତବେଳେ କି ଦ୍ୱିତୀୟ ଆବେଦନ ମୁଖ୍ୟ ଅପିଲ ସମାଧାନ ହେବା ପର୍ଯ୍ୟନ୍ତ ଦଣ୍ଡବିଧାନ ଉପରେ ରୋକ୍ ପାଇଁ ଥିଲା । ଅନ୍ୟପକ୍ଷରେ ସୋମବାର ପାଟନା ହାଇକୋର୍ଟରୁ ରାହୁଲ ଗାନ୍ଧିଙ୍କୁ ଏହି ମାମଲାରେ ଆଶ୍ୱସ୍ତି ମିଳିଥିଲା ।

ହାଇକୋର୍ଟ ଏହାକୁ ନେଇ ରାହୁଲଙ୍କ ବିରୋଧରେ ଏକ ନିମ୍ନ କୋର୍ଟରେ ଚାଲିଥିବା ମକଦ୍ଦମାର ଶୁଣାଣି ଉପରେ ରୋକ୍ ଲଗାଇ ଦେଇଥିଲେ । ୨୦୧୯ ଲୋକସଭା ନିର୍ବାଚନରେ କେରଳର ୱାୟନାଡରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ରାହୁଲ । ଗତ ମାର୍ଚ୍ଚ ୨୩ ତାରିଖରେ ସୁରଟର ଏକ କୋର୍ଟ ମୋଦି ସରନେମ ମାନହାନୀ ମାମଲାରେ ରାହୁଲଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ଏଥିସହିତ ତାଙ୍କୁ ୨ ବର୍ଷର ଜେଲଦଣ୍ଡାଦେଶ ଶୁଣାଇଥିଲେ । ଏହାର ଗୋଟେ ଦିନ ପରେ ତାଙ୍କର ଲୋକସଭା ସଦସ୍ୟତା ଅଯୋଗ୍ୟ ହୋଇଯାଇଥିଲା ।