ପୁଣି ବିତ୍ତୀୟ ପରିଚାଳନାରେ ଓଡ଼ିଶା ଏକ ନମ୍ବର

1 min read

ଭୁବନେଶ୍ବର: ବିତ୍ତୀୟ ପରିଚାଳନାରେ ଓଡ଼ିଶା ପୁଣି ଏକ ନମ୍ବର । ବଡ଼ ବଡ଼ ରାଜ୍ୟ ପାଇଁ ଆର୍ଥିକ ଶୃଙ୍ଖଳାରେ ଓଡ଼ିଶା ଏବେ ରୋଲ ମଡ଼େଲ ସାଜିଛି । ରିଜର୍ଭ ବ୍ୟାଙ୍କର ନୂଆ ରିପୋର୍ଟରେ ଓଡ଼ିଶା ଅଣଟିକସ ରାଜସ୍ବ ଆଦାୟରେ ଦେଶର ପ୍ରଥମ ସ୍ଥାନ ବଜାୟ ରଖିଛି ବୋଲି କୁହାଯାଇଛି । ସେହିପରି ଋଣହାର ଦେଶରେ ସବୁଠୁ କମ୍ ଥିବା ବେଳେ ଚଳିତ ଆର୍ଥିକ ବର୍ଷରେ ଓଡ଼ିଶାର ଋଣଭାର ଜିଏସଡିପି ମାତ୍ର ୧୩.୯ ପ୍ରତିଶତ ରହିବ ବୋଲି ଆକଳନ କରିଛି  ରିଜର୍ଭ ବ୍ୟାଙ୍କ । ରାଜ୍ୟରେ 5T ସଂସ୍କାର ପାଇଁ ଆର୍ଥିକ ପରିଚାଳନା ଶୃଙ୍ଖଳିତ ହେବା ସହ ସବୁ କ୍ଷେତ୍ରରେ ଓଡ଼ିଶା ବିକାଶ ପଥରେ ଆଗେଇ ଚାଲିଛି ବୋଲି ଅର୍ଥନୈତିକ ବିଶେଷଜ୍ଞମାନେ କହିଛନ୍ତି  । ଲୋକାଭିମୁଖୀ ଯୋଜନା, ଶିକ୍ଷା, ସ୍ବାସ୍ଥ୍ୟ, କୃଷି, ଶିଳ୍ପକୁ ରାଜ୍ୟ ସରକାର ଫୋକସ ଦେଇ ପୂରା ଦେଶରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି ବୋଲି ଶାସକ ଦଳ କହିଛି ।

ବିତ୍ତୀୟ ପରିଚାଳନାରେ ଓଡ଼ିଶା ଟପର । କମିଛି ଋଣହାର,ବଢିଛି ଅଣଟିକସ ରାଜସ୍ବ ଆଦାୟ  । 5T ଉପକ୍ରମ ଆର୍ଥିକ ପରିଚାଳନାକୁ କରିଛି ଶୃଙ୍ଖଳିତ  । ବିକାଶ ସହ ଦ୍ରୁତ ଗତିରେ ଆଗେଇ ଚାଲିଛି ରାଜ୍ୟ ଅର୍ଥନୀତି ।  ଆର୍ଥିକ ପରିଚାଳନାରେ ଓଡ଼ିଶା ପୁଣି ଏକ ନମ୍ବର ପ୍ରମାଣିତ ହୋଇଛି । ଅଣଟିକସ ରାଜସ୍ବ ଆଦାୟ ଶୀର୍ଷରେ ପହଞ୍ଚିଥିବାବେଳେ  ଦ୍ରୁତ ବିକାଶ ପଥରେ ଆଗେଇ ଚାଲିଛି ରୂପାନ୍ତରଣ ଓଡ଼ିଶା । ସେହିଭଳି ଓଡ଼ିଶାର ଋଣଭାର ସାରା ଦେଶରେ ସର୍ବନିମ୍ନ ରହିଛି । ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଓଡ଼ିଶାର ଋଣଭାର ମୋଟ ଘରୋଇ ଉତ୍ପାଦର ମାତ୍ର ୧୩.୯ ପ୍ରତିଶତ ରହିବ ।

ଫଳରେ ରାଜ୍ୟ ଆହୁରି ୧୫ ପ୍ରତିଶତ ଋଣ  କରିପାରିବ । କେବଳ ଋଣ ପରିଚାଳନା ନୁହେଁ, ରାଜସ୍ବ ଆଦାୟ 5T ଉପକ୍ରମ ଯୋଗୁଁ ଶୀର୍ଷରେ ପହଞ୍ଚିଛି । ଯାହା ଦେଶପାଇଁ ରୋଲ ମଡ଼େଲ ସାଜିଛି । ଆରବିଆଇ ରିପୋର୍ଟ ଅନୁସାରେ ୨୦୨୦-୨୧ରୁ ୨୦୨୨-୨୩ ଯାଏ ଓଡ଼ିଶା ନିଜସ୍ବ ଅଣଟିକସ ଆଦାୟ ସର୍ବାଧିକ ରହିଛି । ଭିତ୍ତିଭୂମି କ୍ଷେତ୍ରରେ ଅଧିକ ପୁଞ୍ଜି, ଦ୍ରୁତ ଶିଳ୍ପାୟନ ଯୋଗୁଁ  ଗାଁରୁ ସହର ବିକାଶ ଆଗେଇଚାଲିଥିବା ବେଳେ ବ୍ୟାପକ ନିଯୁକ୍ତି ମଧ୍ୟ ସୃଷ୍ଟି ହେଉଛି । ଓଡ଼ିଶାକୁ ବଡ଼ ପୁଞ୍ଜିନିବେଶକାରୀ ଆସୁଥିବାବେଳେ ରାଜ୍ୟର ଆର୍ଥିକ ସ୍ଥିତି ମଜଭୁତ ରହୁଛି । ଆଗକୁ ଓଡ଼ିଶା ଆର୍ଥିକ ପରିଚାଳନା କ୍ଷେତ୍ରରେ ଆହୁରି ବଡ଼ ସଫଳତା ପାଇବ ବୋଲି ଅର୍ଥନୈତିକ ବିଶେଷଜ୍ଞ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ।

ଓଡ଼ିଶାର ବକେୟା ଦେୟ ସାରା ଦେଶରେ ସବୁଠୁ କମ୍ ରହିଛି । ରାଜ୍ୟ ମୋଟ ଘରୋଇ ଉତ୍ପାଦର ୧୩.୯ ପ୍ରତିଶତ ରହିଛି । ୨୦୨୨ ମାର୍ଚ୍ଚ ସୁଦ୍ଧା ଓଡ଼ିଶାର ବକେୟା ଦେୟ ୧,୩୯,୦୦୨ କୋଟି ଟଙ୍କା ଥିଲା। ୨୦୨୩ ମାର୍ଚ୍ଚ ସୁଦ୍ଧା ତାହା ୧,୨୯,୮୭୩ କୋଟି ଟଙ୍କାକୁ ବୃଦ୍ଧି ପାଇଥିଲା। ୨୦୨୪ ସୁଦ୍ଧା ତାହା ୧,୨୦,୯୮୭ କୋଟି ଟଙ୍କା ରହିବ ବୋଲି ଆକଳନ କରଛି ରିଜର୍ଭ ବ୍ୟାଙ୍କ । ରିପୋର୍ଟ ଅନୁସାରେ ଓଡ଼ିଶାର ବକେୟା ଦେୟ ହାର ୨୦୨୩ ବଜେଟ୍ ଆକଳନରେ ୧୬.୮ ପ୍ରତିଶତ ଥିଲା। ୨୦୨୨ରେ ତାହା ୨୦.୭%, ୨୦୨୧ରେ ୨୬.୧%, ୨୦୨୦ରେ ୨୬.୮ ପ୍ରତିଶତ ଓ ୨୦୧୯ରେ ୨୧.୨ ପ୍ରତିଶତ ଥିଲା। ସବୁ ଦିଗକୁ ଧ୍ୟାନ ଦେଇ ବିତ୍ତୀୟ ପରିଚାଳନା ଓଡ଼ିଶା କରୁଥିବାରୁ ପୂରା ଦେଶ ପାଇଁ ଏବେ ରୋଲ ମଡେଲ ସାଜିଛି ବୋଲି ଶାସକ ଦଳ କହିଛି ।

୨୦୦୦ ମସିହା ପୂର୍ବରୁ ଓଡ଼ିଶାରେ ଓଭର ଡ଼୍ରାଫ୍ଟ ହେଉଥିବା ବେଳେ ଦୁର୍ବଳ ଆର୍ଥିକ ସ୍ଥିତି ଦେଇ ଗତି କରୁଥିଲା ରାଜ୍ୟ  । ନବୀନଙ୍କ ଶାସନଭାରର ଦାୟିତ୍ବ ନେବା ପରେ ଓଡ଼ିଶାର ଅର୍ଥନୀତି ସ୍ପିଡ ଧରିବା ସହ ପ୍ରତିବର୍ଷ ବଜେଟର ଆକାର ୧୦ରୁ ୧୫ ପ୍ରତିଶତ ବୃଦ୍ଧି ପାଉଛି । ଖଣି ଓ ଅବକାରୀ ରାଜସ୍ବ ମଧ୍ୟ ବ୍ୟାପକ ଭାବେ ବୃଦ୍ଧି ପାଉଛି । ଯାହା ଓଡ଼ିଶାକୁ ସବୁ କ୍ଷେତ୍ରରେ ସମୃଦ୍ଧ କରିଛି । ବିତ୍ତୀୟ ପରିଚାଳନାର ଏହି ଫର୍ମୁଲା ପୂରା ଦେଶକୁ ଏବେ ବାଟ ଦେଖାଉଛି ।