ସରକାରୀ ମେଡିକାଲ କଲେଜରେ ୧୦୨ ନୂଆ ସହକାରୀ ପ୍ରଫେସରଙ୍କୁ ନିଯୁକ୍ତି ଦେଲେ ମୁଖ୍ୟମନ୍ତ୍ରୀ

1 min read

ଭୁବନେଶ୍ୱର: ଚିକିତ୍ସାରେ ରହୁ ମାନବିକତାର ସ୍ପର୍ଶ। ସରକାରୀ ମେଡିକାଲ କଲେଜରେ ୧୦୨ ନୂଆ ସହକାରୀ ପ୍ରଫେସରଙ୍କୁ ନିଯୁକ୍ତି ଦେବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଛନ୍ତି ମନ୍ତ୍ର। ଡାକ୍ତରମାନେ ବୃତ୍ତିଗତ ଦକ୍ଷତା ପ୍ରତିପାଦନ କରିବା ସହ ଚିକିତ୍ସା ସମୟରେ ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟଙ୍କୁ ମାନବିକତା ପରଷି ଦେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

ଡାକ୍ତର ଏମିତି ଏକ ପେଶା ଯେଉଁଥିରେ ନିଜ ବୃତ୍ତି ପ୍ରତି ସମ୍ପୂର୍ଣ୍ଣ ପ୍ରତିବଦ୍ଧତା ଆବଶ୍ୟକ। ସେହିପରି ରୋଗୀ ଓ ସମ୍ପର୍କୀୟଙ୍କ ମନରେ ଆତ୍ମବିଶ୍ବାସ ସୃଷ୍ଟି କରିବା ଉଚିତ୍ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସୁସ୍ଥ ଓଡିଶା, ସୁଖୀ ଓଡିଶା ଗଠନରେ ପ୍ରତିଟି ଜୀବନ ମୂଲ୍ୟବାନ ଆଭିମୁଖ୍ୟକୁ କାର୍ଯ୍ୟକାରୀ କରିବାକୁ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଦେଇଛନ୍ତି। ରାଜ୍ୟରେ ଚିକିତ୍ସା ଭିତ୍ତିଭୂମିରେ ଉଲ୍ଲେଖନୀୟ ସଫଳତା ମିଳିବା ସହ କମ ମୂଲ୍ୟରେ ବିଶ୍ବସ୍ତରୀୟ ସ୍ବାସ୍ଥ୍ୟସେବା ଯୋଗାଇ ଦିଆଯାଉଛି।

ବିଏସକେୱାଇ ଯୋଜନାରେ ସରକାରୀ ଡାକ୍ତରଖାନାରେ ସମସ୍ତଙ୍କୁ ମାଗଣା ଚିକିତ୍ସା ମିଳୁଛି। ସରକାରୀ ମେଡିକାଲ କଲେଜ ଓ ଡାକ୍ତରଖାନାରେ ଉନ୍ନତମାନର ସ୍ବାସ୍ଥ୍ୟସେବା ଯୋଗାଇଦେବା ସମସ୍ତଙ୍କ ଦାୟିତ୍ବ। ଏଥିପାଇଁ ନୂଆ ଡାକ୍ତରଖାନା ଓ ଆଧୁନିକ ଚିକିତ୍ସା ଭିତ୍ତିଭୂମି ଯୋଗାଇ ଦିଆଯାଉଛି। ଆମ ହସ୍ପିଟାଲ ଯୋଜନାରେ ଜନସ୍ବାସ୍ଥ୍ୟ ସୁବିଧା, ନୂଆ ମେଡିକାଲ କଲେଜ ନିର୍ମାଣ କାମ ଜୋର ଧରିଛି। ସ୍ବାସ୍ଥ୍ୟସେବାରେ ଫାଇଭ-ଟି ଇନିସିଏଟିଭ ଏକ ନୂଆ ଓ ସଶକ୍ତ ଓଡିଶା ଗଠନରେ ସହାୟକ ହୋଇଛି।

ଗତ ୬ବର୍ଷ ମଧ୍ୟରେ ରାଜ୍ୟରେ ୮ଟି ନୂଆ ମେଡିକାଲ କଲେଜ ଓ ଦୁଇଟି ପିଜି ଇନଷ୍ଟିଚ୍ୟୁଟ ପ୍ରତିଷ୍ଠା ହୋଇଛି। ଯାଜପୁରର ଯଯାତିକେଶରୀ ମେଡିକାଲ କଲେଜକୁ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନିଆଯାଇଛି। ପରେ ଫୁଲବାଣୀ ଓ ତାଳଚେରରେ ମଧ୍ୟ ମେଡିକାଲ କଲେଜ ସ୍ଥାପନ ପାଇଁ ପଦକ୍ଷେପ ନିଆଯାଉଛି। ପୂର୍ବରୁ ଓଡିଶାରୁ ବର୍ଷକୁ ୩୨୧ ଏମବିବିଏସ ଡାକ୍ତର ଓ ୨୫୪ ସ୍ପେଶାଲିଷ୍ଟ ବାହାରୁଥିବା ବେଳେ ଏବେ ୨୫୨୫ ଜଣ ଏମବିବିଏସ ଡାକ୍ତର ଓ ୮୫୬ ସ୍ପେଶାଲିଷ୍ଟ ଡାକ୍ତର ବାହାରୁଛନ୍ତି। ଏହି ସଂଖ୍ୟାକୁ ପ୍ରତିବର୍ଷ ବଢାଯାଉଛି।

ଏହି ଅବସରରେ ସ୍ବାସ୍ଥ୍ୟମନ୍ତ୍ରୀ ନିରଂଜନ ପୂଜାରୀ ବିଗତ ବର୍ଷରେ ୩୦୦ ସହକାରୀ ପ୍ରଫେସର ନିଯୁକ୍ତି ପାଇଥିବା କହିଛନ୍ତି। ଏହି ଅବସରରେ ନୂତନ ଭାବେ ନିଯୁକ୍ତି ପାଇଥିବା ଡାକ୍ତର ଭାଗ୍ୟଶ୍ରୀ ପଣ୍ଡା, ଡାକ୍ତର ରୁଚିତ ମହାନ୍ତି ଓ ଡାକ୍ତର ପ୍ରାଚୀ ପ୍ରତିଚି ଦାଶ ନିଜର ଅନୁଭୁତିକୁ ବାଣ୍ଟିବାକୁ ଯାଇ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଟି ଜୀବନ ମୁଲ୍ୟବାନ ଆଭିମୁଖ୍ୟକୁ ପାଳନ କରିବାକୁ କହିଛନ୍ତି। ନୂଆ ମେଡିକାଲ କଲେଜ ପ୍ରତିଷ୍ଠା କରି ନିଯୁକ୍ତି ସୁଯୋଗ ବଢାଇଥିବାରୁ ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।