ସ୍ବର୍ଗଦ୍ବାର ନିକଟରେ ଖୋଲିଲା ଶୁଦ୍ଧ ନିରାମିଷ କାଫଟେରିଆ

ପୁରୀ: ସ୍ବର୍ଗଦ୍ବାର ନିକଟରେ ଖୋଲିଲା ଶୁଦ୍ଧ ନିରାମିଷ କାଫଟେରିଆ । ଜିଲ୍ଲା ପ୍ରଶାସନ ସହଯୋଗରେ ଓଟିଡିସି ଖୋଲିଛି କାଫେଟେରିଆ । ଆଜି ଉତ୍କଳ ଦିବସ ଅବସରରେ ଏହାକୁ ଲୋକାର୍ପଣ କରିଛନ୍ତି ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର । ପୁରୀ ହେଉଛି ଆଧ୍ୟାତ୍ମିକତାର ପ୍ରାଣକେନ୍ଦ୍ର । ସ୍ବର୍ଗଦ୍ବାରରେ ଅନ୍ତିମ ସଂସ୍କାର ହେଲେ ମୋକ୍ଷ ପ୍ରାପ୍ତି ହେବାର ବିଶ୍ବାସ ରହିଛି । ଆତ୍ମୀୟଙ୍କ ଅନ୍ତିମ ସଂସ୍କାର ପାଇଁ ଏଠାକୁ ଆସୁଥିବା ପରିଜନ ଅନେକ ସମୟରେ ଖାଦ୍ୟ ସମସ୍ଯା ସାମ୍ନା କରିଥାନ୍ତି ।

ଏହାକୁ ଦୃଷ୍ଟିରେ ରଖି ଓଟିଡିସି ଦ୍ବାରା ଶୁଦ୍ଧ ନିରାମିଷ କାଫେଟେରିଆ ଖୋଲା ଯାଇଛି । ପ୍ରଶାସନର ଏଭଳି କାର୍ଯ୍ୟକୁ ସମସ୍ତେ ସ୍ବାଗତ କରିଛନ୍ତି । ପୁରୀ ଭଳି ପବିତ୍ର ସ୍ଥାନକୁ ପରିଦର୍ଶନରେ ଆସୁଥିବା ଭକ୍ତ ଓ ଶ୍ରଦ୍ଧାଳୁଙ୍କ ନିମନ୍ତେ ମଧ୍ୟ ଏହା ସହାୟକ ହେବ  । ସ୍ୱର୍ଗଦ୍ୱାରରେ ଶେଷକୃତ୍ୟ ସମ୍ପନ୍ନ କରିବାକୁ ଆସୁଥିବା ଆତ୍ମୀୟ ପରିଜନ ଏହି ସ୍ଥାନରେ ଖାଇପାରିବେ  ।