କେହି ବି ଭୋକିଲା ନଶୁଅନ୍ତୁ, ଶେଷ ବ୍ୟକ୍ତି ପର୍ଯ୍ୟନ୍ତ ଖାଦ୍ୟଶସ୍ୟ ପହଞ୍ଚାଇବା ସରକାରଙ୍କ ଦାୟିତ୍ୱ

ନୂଆଦିଲ୍ଲୀ: କରୋନା ମହାମାରୀ ପରେ ସାଧାରଣ ଜନତାଙ୍କ ଦୈନଦିନ ଜୀବନ ଉପରେ ଗଭୀର ପ୍ରଭାବ ପଡ଼ିଛି । କିଛି ଉଦ୍ୟୋଗ ଏବେ ବି କରୋନାରେ ଲାଗିଥିବା ଝଟକାରୁ ବାହାରକୁ ବାହାରି ପାରିନାହିଁ । ସେହିପରି ସୁପ୍ରିମକୋର୍ଟ ଏକ ଆବେଦନର ଶୁଣାଣି କରି କହିଛନ୍ତି କେହି ବି ଖାଲି ପେଟରେ ନଶୁଅନ୍ତୁ ଏହା ସୁନିଶ୍ଚିତ କରିବା ଆମର ସଂସ୍କୃତି ଅଟେ ଏବଂ ଶେଷ ଲୋକ ପର୍ଯ୍ୟନ୍ତ ଖାଦ୍ୟ ଶସ୍ୟ ପହଞ୍ଚାଇବାର ଦାୟିତ୍ୱ ହେଉଛି ସରକାରଙ୍କର ।

ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ଏହା ତଦାରଖ କରିବାକୁ କହିଛନ୍ତି ଯେ ରାଷ୍ଟ୍ରୀୟ ଖାଦ୍ୟ ସୁରକ୍ଷା ଅଧିନିୟମ (ଏନଏଫଏସଏ) ଆଧାରରେ ଖାଦ୍ୟଶସ୍ୟ ଶେଷ ବ୍ୟକ୍ତି ପର୍ଯ୍ୟନ୍ତ ପହଞ୍ଚାଯାଉ । ଆମେ ଏହା କହୁନୁ ଯେ କେନ୍ଦ୍ର କିଛି କରୁନାହିଁ, ଭାରତ ସରକାର କୋଭିଡ ସମୟରେ ଲୋକମାନଙ୍କ ପାଖରେ ଖାଦ୍ୟ ଶସ୍ୟ ପହଞ୍ଚାଇଥିଲେ । ଆମକୁ ଏହା ମଧ୍ୟ ଦେଖିବାକୁ ହେବ ଯେ ଏହା ଆଗକୁ ମଧ୍ୟ ଜାରି ରହୁ ।

ଆମର ସଂସ୍କୃତି ରହିଛି ଯେ କେହି ବି ଭୋକିଲା ନଶୁଏ । ଜଷ୍ଟିସ ଏମ ଆର ଶାହ ଏବଂ ହିମା କୋହଲିଙ୍କ ଖଣ୍ଡପୀଠ କେନ୍ଦ୍ର ସରକାରଙ୍କୁ ଇଶ୍ରମ ପୋର୍ଟାଲରେ ପଞ୍ଜିକୃତ ପ୍ରବାସୀ ଏବଂ ଅସଂଗଠିତ କ୍ଷେତ୍ରର ଶ୍ରମିକଙ୍କ ସଂଖ୍ୟା ସହ ଏକ ତାଜା ଚାର୍ଟ ପ୍ରସ୍ତୁତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ତିନି ସାମାଜିକ କାର୍ଯ୍ୟକର୍ତ୍ତା ଅଞ୍ଜଳି ଭରଦ୍ୱାଜ, ହର୍ଷ ମନ୍ଦର ଏବଂ ଜଗଦୀପ ଛୋକରଙ୍କ ପକ୍ଷରୁ ଓକିଲ ପ୍ରଶାନ୍ତ ଭୂଷଣ କହିଛନ୍ତି ଯେ ୨୦୧୧ ଜନଗଣନା ପରେ ଦେଶର ଜନସଂଖ୍ୟାରେ ବୃଦ୍ଧି ଘଟିଛି । ଏନଏଫଏସଏ ଆଧାରରେ ଲାଭାର୍ଥୀଙ୍କ ସଂଖ୍ୟା ମଧ୍ୟ ବଢ଼ିଛି ।

ସେମାନେ କହିଛନ୍ତି ଯେ, ଯଦି ଏହାକୁ ଯଥାଶୀଘ୍ର ଲାଗୁ ନକରାଗଲା ତେବେ ଅନେକ ଯୋଗ୍ୟ ହିତାଧିକାରୀ ଆଇନ ଅନୁଯାୟୀ ଲାଭରୁ ବଞ୍ଚିତ ହୋଇଯିବେ । ଓକିଲ ପ୍ରଶାନ୍ତ ଭୂଷଣ କହିଛନ୍ତି ଯେ ସରକାର ଦାବି କରୁଛନ୍ତି ଯେ ନିକଟ ବର୍ଷରେ ଲୋକମାନଙ୍କ ପ୍ରତି ବ୍ୟକ୍ତି ଆୟରେ ବୃଦ୍ଧି ଘଟିଛି, କିନ୍ତୁ ଭାରତ ବିଶ୍ୱ କ୍ଷୁଧା ତାଲିକାରେ ଦ୍ରୁତତାର ସହ ତଳକୁ ଖସୁଛି । କେନ୍ଦ୍ର ପକ୍ଷରୁ ଉପସ୍ଥିତ ଅତିରିକ୍ତ ସଲିସିଟର ଜେନେରାଲ ଐଶ୍ୱର୍ଯ୍ୟା ଭାଟି କହିଛନ୍ତି ଯେ ଏନଏଫଏସଏ  ଆଧାରରେ ୮୧.୩୫ କୋଟି ଲାଭାର୍ଥୀ ରହିଛନ୍ତି, ଭାରତୀୟଙ୍କ ସନ୍ଦର୍ଭରେ ଏହା ବହୁତ ବଡ଼ ସଂଖ୍ୟା ଅଟେ ।