ବିଶାଖାପାଟଣାରେ ଚାଞ୍ଚଲ୍ୟ: ପ୍ଲାଷ୍ଟିକ ଡ୍ରମରୁ ମହିଳାଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର

ବିଶାଖାପାଟଣା: ଦିଲ୍ଲୀରେ ଶ୍ରଦ୍ଧା ହତ୍ୟା ଘଟଣା ପରେ ବିଶାଖାପାଟଣାରେ ଚାଞ୍ଚଲ୍ୟ । ଜଣେ ମହିଳାଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ପୁଲିସ ଗୋଟିଏ ପ୍ଲାଷ୍ଟିକ ଡ୍ରମ୍ ଭିତରୁ ଉଦ୍ଧାର କରିଛି। ମୃତ ମହିଳାଙ୍କ ବୟସ ପ୍ରାୟ ୩୫ ବର୍ଷ ହେବ । ହତ୍ୟା ପରେ ମହିଳାଙ୍କ ମୃତଦେହକୁ ଖଣ୍ଡଖଣ୍ଡ କରି କାଟି ଦିଆଯାଇଥିଲା । ପରେ କଟା ଶରୀରକୁ ପ୍ଲାଷ୍ଟିକ ଡ୍ରମ୍ରେ ଭର୍ତ୍ତି କରି ଗୋଟିଏ ଘର ଭିତରେ ସିଲ୍‌ କରିଦିଆଯାଇଥିଲା । ଏଭଳି ଘଟଣା ଘଟିଛି ବିଶାଖାପଟନମର ମଧୁରାୱାଡାର ବିକାଲାଙ୍ଗୁଲା କଲୋନୀରେ ।

ପ୍ଲାଷ୍ଟିକ ଡ୍ରମରେ ଥିବା ଖଣ୍ଡବିଖଣ୍ଡିତ ମୃତଦେହଟି ସଂପୂର୍ଣ୍ଣ ଭାବେ ନଷ୍ଟ ଯାଇଛି । ସେଗୁଡିକ ଜବତ କରି ପୁଲିସ୍ ତଦନ୍ତ ଆରମ୍ଭ କରିଛି । ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଏହି ହତ୍ୟାକାଣ୍ଡଟି ୨୦୨୧ ମସିହା ମେ ମାସରେ ଘଟିଥିଲା । ଘଟଣାର ପ୍ରାୟ ୧୮ ମାସ ପରେ ପୋଲିସ ଖଣ୍ଡବିଖଣ୍ଡିତ ମୃତଦେହକୁ ଜବତ କରିବାକୁ ସକ୍ଷମ ହୋଇଛି । ଘଟଣା ସମ୍ପର୍କରେ ଜାଣି ସ୍ଥାନୀୟ ଲୋକେ ପୂରା ସ୍ତବ୍ଧ ହୋଇଯାଇଛନ୍ତି ।

ପୋଲିସ ଅନୁମାନ କରିଛି ଯେ ମୃତ ମହିଳା ଜଣେ ସେକ୍ସ ୱାର୍କର ଭାବେ କାମ କରୁଥିଲେ । ତେବେ ମହିଳାଙ୍କ ପରିଚୟ ଓ ତାଙ୍କ ହତ୍ୟା ପଛର କାରଣ ଏଯାଏ ଜଣାପଡ଼ିନି। ଘଟଣା ଧରାପଡିବା ପରେ ମଧୁରାୱାଡାରେ ୱେଲଡିଂ ଦୋକାନରେ କାମ କରୁଥିବା ୩୩ ବର୍ଷୀୟ ଋଷିଙ୍କୁ ପୋଲିସ ଗିରଫ କରିଛି । ଯେଉଁ ଘରେ ମୃତଦେହ ଜବତ ହୋଇଛି ସେ ସେହି ଘରେ ରହୁଥିଲା ବୋଲି ଜଣାପଡିଛି ।