ନାଇଜେରିଆ ଡଙ୍ଗା ଦୁର୍ଘଟଣାରେ ୭୬ ଜଣଙ୍କ ମୃତ୍ୟୁ

ନାଇଜେରିଆ: ନାଇଜେରିଆର ଏନାମ୍ବ୍ରା ସହରରେ ଡଙ୍ଗା ବୁଡ଼ି ଘଟଣାରେ ୭୬ ଜଣଙ୍କ ମୃତ୍ୟୁ ହୋଇଯାଇଛି । ତେବେ କୁହାଯାଉଛି ଯେ, ଡଙ୍ଗାରେ ୮୫ ଜଣ ଥିଲେ ଏବଂ ବନ୍ୟା କାଣରୁ ଏହି ଦୁର୍ଘଟଣା ଘଟିଛି । ନାଇଜେରିଆନ ରାଷ୍ଟ୍ରପତି ମୁହମ୍ମଦୁ ବୁହାରୀ ଟ୍ୱିଟ କରି ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି । ଏଥିସହ ସେ ଅଧିକାରୀଙ୍କୁ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରି ଚିକିତ୍ସା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଏବେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସୂଚନାନୁଯାୟୀ, ଗତ ଶୁକ୍ରବାର ୮୫ ଜଣ ଯାତ୍ରୀଙ୍କୁ ନେଇ ଏକ ଡଙ୍ଗା ନଦୀ ପାର୍ ହେଉଥିଲା । ନଦୀରେ ବନ୍ୟା ଆସିବା କାରଣରୁ ଡଙ୍ଗାଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ଦୁର୍ଘଟଣା ଖବର ପାଇ ଉଦ୍ଧାରକାରୀ ଏଜେନ୍ସି ଉଦ୍ଧାର କାର୍ଯ୍ୟରେ ଲାଗିଥିଲା । ପ୍ରଥମେ ୧୦ ଜଣଙ୍କ ମୃତ୍ୟୁ ଖବର ଆସିଥିଲା । ହେଲେ ଏବେ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇ ୭୬ ହୋଇଛି ।

ଏବେ ବି ଅନେକ ନିଖୋଜ ଅଛନ୍ତି । ସେମାନଙ୍କର ଖୋଜା ଚାଲିଛି । ରାଷ୍ଟ୍ରପତି ମୁହମ୍ମଦୁ ଟ୍ୱିଟ କରି ଉଦ୍ଧାର କାର୍ଯ୍ୟ ତ୍ୱରାନିତ କରିବା ପାଇଁ କହିବା ସହ ଡଙ୍ଗାରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ଯାଞ୍ଚ ନିର୍ଦ୍ଦେଶ ଦେଇଛନ୍ତି । ଭବିଷ୍ୟତରେ ଯେମିତି ଏପରି ଘଟଣା ନଘଟିବ ସେନେଇ ସୁରକ୍ଷା ମାନଦଣ୍ଡ ନିର୍ଦ୍ଧାରିତ କରିବା ପାଇଁ କହିଛନ୍ତି ।