ଜେଲରୁ ଚାର୍ଲସ ଶୋଭରାଜ ବାହାରିବା ନେଇ ଅନିଶ୍ଚିତତା; ଜାଣନ୍ତୁ କାର ଚୋର କେମିତି ପାଲଟିଥିଲା ବିକିନି କିଲର?

କାଠମାଣ୍ଡୁ: ନେପାଳ କୋର୍ଟଙ୍କ ରାଏ ପରେ ପୁଣିଥରେ ଚର୍ଚ୍ଚା ପରିସରକୁ ଆସିଛନ୍ତି ବିକିନି କିଲର ଚାର୍ଲସ ଶୋଭରାଜ । ନେପାଳ ସୁପ୍ରିମକୋର୍ଟ ଆଜି ଅର୍ଥାତ ଗୁରୁବାର ନିଜ ରାଏରେ ତାଙ୍କୁ ଜେଲରୁ ମୁକ୍ତି କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ହେଲେ  ଜେଲ ପ୍ରଶାସନ ଶୋଭରାଜଙ୍କୁ ମୁକ୍ତି ପାଇଁ ମନା କରିଛନ୍ତି । ବିକିନି କିଲର ଚାର୍ଲସ ଶୋଭରାଜଙ୍କୁ ତାଙ୍କ ଓକିଲଙ୍କ ସହ ସାକ୍ଷାତ ପାଇଁ ବି ମନା କରାଯାଇଛି । ଜେଲ ପ୍ରଶାସନ କହିଛନ୍ତି ସୁପ୍ରିମକୋର୍ଟଙ୍କ ରାୟ ଅସ୍ଫଷ୍ଟ ରହିଛି । କୋର୍ଟ ନିର୍ଦ୍ଦିଷ୍ଟ ଭାବେ କହିନାହାନ୍ତି ଶୋଭରାଜଙ୍କୁ କେଉଁ କେସରେ ମୁକ୍ତ କରାଯାଉଛି ।

ଚାର୍ଲସକୁ ଜେଲ୍ରୁ ମୁକ୍ତି ପାଇଁ କୋର୍ଟରେ ହୋଇଥିଲା ଆବେଦନ  । ନିର୍ଦ୍ଧାରିତ ସମୟଠାରୁ ଅଧିକ ସମୟ ବନ୍ଦୀ ଥିବାରୁ ମୁକ୍ତି ଆବେଦନ କରାଯାଇଥିଲା । ୨ ଆମେରିକୀୟ ପର୍ଯ୍ୟଟକଙ୍କୁ ହତ୍ୟା ମାମଲାରେ ୨୦୦୩ରେ ଗିରଫ ହୋଇଥିଲେ ଚାର୍ଲସ ଶୋଭରାଜ । ଶୋଭରାଜଙ୍କ ବିରୋଧରେ ୨୦ରୁ ଅଧିକ ହତ୍ୟା ମାମଲା ରହିଛି । ଭାରତ, ଥାଇଲାଣ୍ଡ, ତୁର୍କୀ, ଇରାନରେ ଗଡୁଛି ହତ୍ୟା ମାମଲା  । ଭିଏତନାମର ମୂଳ ବାସିନ୍ଦା ହେଉଛନ୍ତି ଶୋଭରାଜ । ଆଜି ସୁପ୍ରିମକୋର୍ଟ ନିଜ ରାଏରେ ମୁକ୍ତ କରିବା ପାଇଁ ନିର୍ଦ୍ଦେଶ ଦେବା ପରେ ସାଧାରଣ ଜନତାଙ୍କ ମନରେ ଅନେକ ପ୍ରଶ୍ନ ନିଶ୍ଚୟ ଉଙ୍କି ମାରୁଥିବ ।

ଶୋବରାଜଙ୍କୁ କାହିଁକି ମୁକ୍ତ କରାଯାଉଛି? ତାଙ୍କର ଅପରାଧର ସୂଚୀ କେତେ ଲମ୍ବା? କଣ ଭାରତରେ ମଧ୍ୟ ଇଏ ହତ୍ୟା କରିଛି? ଏହି ସିରିଏଲ କିଲରକୁ ବିକିନି କିଲର କାହିଁକି କୁହାଯାଉଛି ? ହତ୍ୟା ବ୍ୟତୀତ ମଧ୍ୟ କଣ ଅନ୍ୟ ମାମଲାରେ ଏହାର ନାଁ ଆସିଛି? ଅପରାଧର ଦୁନିଆରେ ଶୋଭରାଜ କିପରି ପାଦ ଥାପିଥିଲା? ଶୋଭରାଜଙ୍କ ଅପରାଧ ଉପରେ ଫିଲ୍ମ ଜଗତରେ କଣ କିଛି ହେଇଛି? ଏମିତି ଅନେକ ପ୍ରଶ୍ନ ।

ତେବେ ଚାର୍ଲସ ଶୋଭରାଜଙ୍କ ଜନ୍ମ ଜାପାନର ନିୟନ୍ତ୍ରଣରେ ଥିବା ସାଇଙ୍ଗନରେ ଏପ୍ରିଲ ୧୯୪୪ରେ ଜଣେ ଅବିବାହିତ ଭିଏତନାମୀ ଯୁବତୀ ଏବଂ ଜଣେ ଭାରତୀୟ ବ୍ୟବସାୟୀଙ୍କ ଘରେ ହୋଇଥିଲା । ତାଙ୍କର ଜନ୍ମସ୍ଥାନ ତାଙ୍କୁ ଫ୍ରାନ୍ସୀୟ  ନାଗରିକତାର ଯୋଗ୍ୟ ବନାଇଥିଲା । ଶୋଭରାଜଙ୍କୁ ତାର ମାଆଙ୍କ ନୂଆ ସ୍ୱାମୀ ଆପଣାଇଥିଲେ, ଯିଏ କି ଫ୍ରାନ୍ସିସୀ ଇଣ୍ଡୋଚାଇନାରେ ନିୟୋଜିତ ଏକ ଫ୍ରାନ୍ସିସି ସେନାର ଲେଫ୍ଟନାଣ୍ଟ ଥିଲେ । ଶୋଭରାଜ ନିଜ ପ୍ରାରମ୍ଭିକ ଦିନ ପରିବାର ସହ ଦକ୍ଷିଣ ପୂର୍ବ ଏସିଆ ଏବଂ ଫ୍ରାନ୍ସର ଆଖପାଖରେ ବିତାଇଥିଲେ ।

ଶୋଭରାଜଙ୍କ ମୁକ୍ତି ପଛରେ ନେପାଳର ବରିଷ୍ଠ ନାଗରିକ ଅଧିନିୟମ ମୁଖ୍ୟ କାରଣ ବୋଲି କୁହାଯାଉଛି । ଏହାର ଉଲ୍ଲେଖ ରାଏରେ କରାଯାଇଛି । ଶୋଭରାଜଙ୍କ ଓକିଲ ଦୀର୍ଘ ବର୍ଷ ହେବ କ୍ଷମାଦାନ ପାଇଁ କୋର୍ଟଙ୍କ ହସ୍ତକ୍ଷେପର ଦାବି କରିଆସୁଥିଲେ । ବିଭିନ୍ନ ଯାଚିକାରେ ସେ ବରିଷ୍ଠ ନାଗରିକ ଅଧିନିୟମ ୨୦୬୩ର ଖଣ୍ଡ ୧୨(୧) ପ୍ରାବଧାନର ଉଲ୍ଲେଖ କରି ଜେଲଦଣ୍ଡରେ ରିହାତି ପାଇଁ ଦାବି କରିଥିଲେ । ଯାହା ଆଜୀବନ କାରାଦଣ୍ଡ କଏଦୀଙ୍କ ଦଣ୍ଡରେ ଛାଡ଼ର ଅନୁମତି ଦେଇଥାଏ । ଶୋଭରାଜଙ୍କ ବୟସ ଏବେ ୭୮ ବର୍ଷ । ଏହି ଅଧିନିୟମ ତାଙ୍କର ମୁକ୍ତିର ବଡ଼ କାରଣ ପାଲଟିଛି ।

୧୯୭୫ ମସିହାରେ ଆମେରିକୀୟ ନାଗରିକ କୋନି ଜୋ ବୋରୋନଜିଚ (୨୯ ବର୍ଷ) ଏବଂ ତାଙ୍କ କାନାଡୀୟ ପ୍ରେମିକା ୨୬ ବର୍ଷୀୟା ଲରେଣ୍ଟଙ୍କ ହତ୍ୟା ମାମଲାରେ ଶୋଭରାଜଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା । ୧୯ ସେପ୍ଟେମ୍ବର ୨୦୦୩ରେ ଗିରଫ ହୋଇଥିବା ଶୋଭରାଜଙ୍କ ଆଜୀବନ କାରାବାସର ଦଣ୍ଡ ଆଗାମୀ ବର୍ଷ ୧୮ ସେପ୍ଟେମ୍ବରରେ ସମାପ୍ତ ହେବାର ଥିଲା । ସେ ହତ୍ୟା ଅଭିଯୋଗରେ ଭକ୍ତପୁରର କାଠମାଣ୍ଡୁ ଉପନଗରର ଏକ ଜେଲରେ ସଶ୍ରମ କାରାବାସର ଦଣ୍ଡ ଭୋଗୁଥିଲେ ।

ଶୋଭରାଜଙ୍କୁ ମୁକ୍ତ କରିବା ପାଇଁ ଅବଶ୍ୟ ନେପାଳ କୋର୍ଟ ଆଦେଶ ଦେଇଛନ୍ତି କିନ୍ତୁ ଏମିତି ଏକ ସମୟ ଥିଲା ଯେବେ ତାଙ୍କ ପଛରେ ୯ ଦେଶର ପୋଲିସ ପଡ଼ିଥିଲା । ସେ ନିଜର ଅପରାଧର ସାମ୍ରାଜ୍ୟ କୌଣସି ଗୋଟିଏ ଦେଶ ପର୍ଯ୍ୟନ୍ତ ସୀମିତ ରଖିନଥିଲେ । ଶୋଭରାଜ ୨୦ରୁ ଅଧିକ ହତ୍ୟା କରିଛନ୍ତି । ସେ ଫ୍ରାନ୍ସ, ଭାରତ ଏବଂ ନେପାଳର ଜେଲରେ ଅନେକ ବର୍ଷ ଦଣ୍ଡ ମଧ୍ୟ ଭୋଗି ସାରିଛନ୍ତି । ଗୋଟିଏ ସମୟରେ ଶୋଭରାଜଙ୍କର ଅପରାଧର ଦୁନିଆରେ ଏପରି ନାଁ ଥିଲା ଯାହାର ଚର୍ଚ୍ଚା ରାସ୍ତାରୁ ଆରମ୍ଭ କରି ସିନେମା ହଲ୍ ପର୍ଯ୍ୟନ୍ତ ସବୁଠି ହେଉଥିଲା ।

ଚାର୍ଲସ ଶୋଭରାଜ ଏବଂ ତାଙ୍କର ପତ୍ନୀ ଚନ୍ତଲ ୧୯୭୦ରେ ମୁମ୍ବାଇରେ ପହଞ୍ଚିଥିଲେ । ମୁମ୍ବାଇରେ ଚନ୍ତଲ ଏକ ଶିଶୁ କନ୍ୟାଙ୍କୁ ଜନ୍ମ ଦେଇଥିଲେ । ଏହି ସମୟରେ ଶୋଭରାଜ ଜୁଆ ଖେଳିବା ଆରମ୍ଭ କରିଦେଇଥିଲେ । ଏବଂ ଏହା ହିଁ ସେଇ ସମୟ ଥିଲା ଯେବେ ଶୋଭରାଜ ଡକାୟତି ଏବଂ ଠକରୁ ଆଗକୁ ବଢ଼ି ବିକିନି କିଲର ରୂପରେ କୁଖ୍ୟାତ ହୋଇଥିଲା । ସେ ବିଦେଶୀ ପର୍ଯ୍ୟଟକଙ୍କ ବନ୍ଧୁ ହୋଇ ସେମାନଙ୍କୁ ନିଶା ଔଷଧ ଦେଉଥିଲା । ଏହାପରେ ସେମାନଙ୍କ ହତ୍ୟା କରିଦେଉଥିଲା । ବିଦେଶୀ ମହିଳା ତାର ମୁଖ୍ୟ ଶିକାର ବନୁଥିଲେ ।

କୁହାଯାଏ ଯେ ଏହି ଅବଧିରେ ସେ ଭାରତରେ ୪ ବର୍ଷ ଭିତରେ ପ୍ରାୟ ୨୪ ଜଣଙ୍କ ହତ୍ୟା କରିଥିଲା । ୧୯୭୬ ମସିହାରେ ସେ ଭାରତରେ ଗିରଫ ହୋଇଥିଲେ । କିନ୍ତୁ ୧୯୮୬ରେ ସେ ଜେଲରୁ ଚମ୍ପଟ ମାରିବାରେ ସଫଳ ହୋଇଥିଲା । ପ୍ରକାଶଯୋଗ୍ୟ, ଶୋଭରାଜ ଦିଲ୍ଲୀର ତିହାର ଜେଲରେ ଦଣ୍ଡ ଭୋଗୁଥିଲେ । ଏଠାରେ ସେ ନିଜର ଜନ୍ମଦିନ ପାଳିବା ବାହାନାରେ ସୁରକ୍ଷାକର୍ମୀଙ୍କୁ ନିଶା ଔଷଧ ମିଶା ମିଠା ଖୁଆଇଥିଲେ ଏବଂ ଜେଲରୁ ଚମ୍ପଟ ମାରିଥିଲେ । ଏହାର ଏକ ମାସେ ପରେ ତାଙ୍କୁ ପୁଣିଥରେ ଗିରଫ କରାଯାଇଥିଲା । ୧୯୯୭ରେ ଦଣ୍ଡ ପୁରା ହେବା ପରେ ସେ ଫ୍ରାନ୍ସ ଚାଲି ଯାଇଥିଲା ।

ବାପାଙ୍କ ମୃତ୍ୟୁ ପରେ ଶୋଭରାଜଙ୍କ ମାଆ ଦ୍ୱିତୀୟ ବିବାହ କରିଥିଲେ । ଏହି ସମୟରେ ଶୋଭରାଜ ପ୍ୟାରିସର ରାସ୍ତାରୁ ଗାଡ଼ି ଚୋରି କରିବା ଆରମ୍ଭ କରିଥିଲେ । ୧୯୬୩ରେ ପ୍ୟାରିସରେ ଚୋରି ମାମଲାରେ ତାଙ୍କୁ ପୋଇସି ଜେଲକୁ ପଠାଯାଇଥିଲା । ଜେଲରେ ରହିବା ସମୟରେ ଶୋଭରାଜଙ୍କୁ ଜେଲକର୍ମୀଙ୍କ ଦ୍ୱାରା ଅନୈତିକ ସ୍ୱତନ୍ତ୍ର ସୁବିଧା ଦିଯାଇଥିଲା । ତାଙ୍କୁ ନିଜ କୋଠରୀରେ ବହି ରଖିବା ପାଇଁ ଅନୁମତି ଦିଆଯାଇଥିଲା । ପ୍ରାୟ ସେହି ସମୟରେ ସେ ଜେଲ ଭଲିଣ୍ଟିୟର (ସ୍ୱୟଂସେବକ) ଫେଲିକ୍ସ ଡି ସ୍କୋଗ୍ନେଙ୍କୁ ଭେଟିଥିଲେ । ପାରୋଲ ମିଳିବା ପରେ ଶୋଭରାଜ ଡି ଏକ୍ସୋଗ୍ନେଙ୍କ ସହ ମିଶି ପ୍ୟାରିସର ଅଣ୍ଡରୱାର୍ଲଡରେ ଅନୁପ୍ରବେଶ କରିଥିଲେ । ସମୟ ସହ ତାଙ୍କର ଅପରାଧ ବଢ଼ିବାରେ ଲାଗିଥିଲା ।

ଶୋଭରାଜଙ୍କ ଅପରାଧର କାହାଣୀ ସିନେମା ଏବଂ ସାହିତ୍ୟ ଜଗତକୁ ମଧ୍ୟ ନିଜ ଆଡ଼କୁ ଆକର୍ଷିତ କରିଥିଲା । ତାଙ୍କ ଉପରେ ଅନେକ ଫିଲ୍ମ ଏବଂ ପୁସ୍ତକ ବନିଥିଲା । ଥୋମାସ ଥମ୍ପସନଙ୍କ ସର୍ପେଣ୍ଟାଇନ (୧୯୭୯), ରିଚାର୍ଡ ନୋବିଲ ଏବଂ ଜୁଲି କ୍ଲାର୍କଙ୍କ ଦ ଲାଇଫ ଆଣ୍ଡ କ୍ରାଇମ୍ସ ଅଫ୍ ଚାର୍ଲସ ଶୋଭରାଜ (୧୯୮୦) ଏବଂ ନୋଏଲ ବାର୍ବରଙ୍କ ଦ ବିକିନି ମର୍ଡର୍ସ ଶୋଭରାଜଙ୍କ ଉପରେ ଲେଖାଯାଇଥିଲା । ୨୦୧୫ର ହିନ୍ଦି ଫିଲ୍ମ ମେଁ ଔର ଚାର୍ଲସ ଯାହାକୁ ପ୍ରଭାଳ ରମନ ଏବଂ ସିଜ୍ନୁର ନେଟୱାର୍କ ଦ୍ୱାରା ନିର୍ଦ୍ଦେଶିତ କରାଯାଇଥିଲା ।

ଏହି ଫିଲ୍ମଟି ନୂଆଦିଲ୍ଲୀରେ ତିହାର ଜେଲରୁ ଶୋଭରାଜ ପଳାୟନ କରିବା ଉପରେ ଆଧାରିତ ରହିଛି । ମିନି ୱେବସିରିଜ୍ ଦ ସର୍ପେଣ୍ଟ ମଧ୍ୟ ଶୋଭରାଜଙ୍କ ଉପରେ ନିର୍ମିତ ହୋଇଥିଲା । ଏପ୍ରିଲ ୨୦୨୧ରେ ନେଟଫ୍ଲିକ୍ସରେ ଷ୍ଟ୍ରିମ ହେବା ପୂର୍ବରୁ ବିବିସି ଦ୍ୱାରା କମିଶନ କରାଯାଇଥିବା ଏହି ସିରିଜକୁ ଜାନୁଆରୀ ୨୦୨୧ରେ ୟୁକେରେ ପ୍ରସାରିତ କରାଯାଇଥିଲା । ଏଥିରେ ତାହିର ରହିମ ଶୋଭରଜାଙ୍କ ଭୂମିକା ନିର୍ବାହ କରିଥିଲେ । ଏବେ ଜେଲ ପ୍ରଶାସନ ତାଙ୍କୁ ମୁକ୍ତ କରିବାକୁ ମନା କରିବା ପରେ ଆଗକୁ କଣ ହେବ ତା ଉପରେ ସମସ୍ତଙ୍କ ନଜର ରହିଛି । ଯେହେତୁ ସର୍ବୋଚ୍ଚ ଅଦାଲତ ତାଙ୍କୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ତେବେ ପ୍ରଶାସନକୁ ମଧ୍ୟ ଦିନେ ନା ଦିନେ ତାଙ୍କୁ ଛାଡ଼ିବାକୁ ପଡ଼ିବ ।