ଟିକେଟ ବଣ୍ଟନରେ ନବୀନଙ୍କ ମାଷ୍ଟରଷ୍ଟ୍ରୋକ… ପ୍ରଥମ ରାଜନୈତିକ ଦଳ ଭାବେ ବିଧାନସଭାକୁ ଓହ୍ଲାଇଲେ ୭୨ ଯୋଦ୍ଧା

ଭୁବନେଶ୍ବର: ଟିକେଟ ବଣ୍ଟନରେ ନବୀନ ପଟ୍ଟନାୟକଙ୍କ ମାଷ୍ଟର ଷ୍ଟ୍ରୋକ । ବିଧାନସଭା ପାଇଁ ଯୋଦ୍ଧା ପ୍ରସ୍ତୁତ କଲା ବିଜେଡ଼ି । ପ୍ରଥମ ରାଜନୈତିକ ଦଳ ଭାବେ ୭୨ ବିଧାୟକ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ବିଜେଡି । ବିକଶିତ ଓଡ଼ିଶା ଗଠନ ସହ ଓଡ଼ିଶାକୁ ଦେଶର ୧ ନମ୍ବର ରାଜ୍ୟରେ ପରିଣତ କରିବାକୁ ଅଧିକାଂଶ ନେତାଙ୍କୁ ରିପିଟ କରିଛନ୍ତି ନବୀନ । ଯୁବ, ବରିଷ୍ଠ ଓ ଅଭିଜ୍ଞତା ଭିତ୍ତିରେ ଟିକେଟ ବଣ୍ଟନ କରି ଓଡ଼ିଶାବାସୀଙ୍କ ସେବାରେ ଦଳକୁ ସମର୍ପିତ କରିଛି । ଟିକେଟ ପାଇବା ପରେ ବିକାଶଧାରାକୁ ଆଗକୁ ନେବାକୁ ସଙ୍କଳ୍ପ ନେଇଛନ୍ତି ନେତା ।

୨୦୨୪ ସାଧାରଣ ନିର୍ବାଚନ ପାଇଁ ଯୋଦ୍ଧାଙ୍କୁ ମଇଦାନକୁ ଓହ୍ଲାଇଲା ବିଜେଡ଼ି । ପ୍ରଥମ ରାଜନୈତିକ ଦଳ ଭାବେ ବିଧାନସଭା ପାଇଁ ଘୋଷଣା ହୋଇଛି ପ୍ରାର୍ଥୀଙ୍କ ନାଁ । ସମସ୍ତଙ୍କୁ ଚକିତ କରି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମ ପର୍ଯ୍ୟାୟରେ ୭୨ ଜଣଙ୍କୁ ଦେଇଛନ୍ତି ବିଧାନସଭା ଟିକେଟ । ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ବିକଶିତ ଓଡ଼ିଶା ଗଠନର ଯୋଦ୍ଧାଙ୍କୁ ବିଧାୟକ ଟିକେଟ ଦେଇ ଗ୍ରାଉଣ୍ଡକୁ ପଠାଇଛି ଦଳ । ଲୋକପ୍ରିୟତା, ନୂଆ, ପୁରୁଣା ଓ ଅଭିଜ୍ଞ ନେତାଙ୍କୁ ଭରଷା କରିଛନ୍ତି ନବୀନ ପଟ୍ଟନାୟକ । ଟିକେଟ ପାଇବା ପରେ ଦଳୀୟ ପ୍ରାର୍ଥୀ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ସହ ନିଜ ଅଞ୍ଚଳରେ ବିକାଶଧାରା ବଜାୟ ରଖିବାକୁ ନେଇଛନ୍ତି ସଙ୍କଳ୍ପ ।

ଖାଲି ବିଧାନସଭା ନୁହେଁ, ୨୪ ପାଇଁ ଦୁଇଟି ପର୍ଯ୍ୟାୟରେ ୧୫ ଜଣ ଲୋକସଭା ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ବିଜେଡି । ଅଧିକାଂଶ ସଂସଦୀୟ କ୍ଷେତ୍ରରେ ନୂଆ ମୁହଁକୁ ମଇଦନାକୁ ଓହ୍ଲାଇଛି ଦଳ । ଯାଜପୁର, କନ୍ଧମାଳ, ଜଗତସିଂହପୁର ଲୋକସଭା ଆସନରେ ରିପିଟ୍ ହୋଇଛନ୍ତି ପ୍ରାର୍ଥୀ । ଦ୍ବିତୀୟ ଥର ପାଇଁ ଯାଜପୁର ସାଂସଦ ପ୍ରାର୍ଥୀ ହୋଇଛନ୍ତି ଶର୍ମିଷ୍ଠା ସେଠୀ । ମୁଖ୍ୟମନ୍ତ୍ରୀ ଆସ୍ଥା ପ୍ରକଟ କରିଥିବାରୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି ଶର୍ମିଷ୍ଠା । ଅନ୍ୟପଟେ ନବୀନ ଆଗୁଆ ବିଧାନସଭା ପ୍ରାର୍ଥୀ ନାଁ ଘୋଷଣା କରି ବିରୋଧୀଙ୍କୁ ଧରାଶାୟୀ କରିଛନ୍ତି ବୋଲି କହିଛନ୍ତି ରାଜନୈତିକ ସମୀକ୍ଷକ ।

ସାଧାରଣ ନିର୍ବାଚନରେ ବଡ଼ ବିଜୟ ପାଇଁ ଲକ୍ଷ୍ୟ ରଖିଛି ବିଜେଡି । ଉଭୟ ଲୋକସଭା ଓ ବିଧାନସଭା ଆସନରେ ଦଳ ଭଲ ପ୍ରଦର୍ଶନ କରିବ ବୋଲି ବିଭିନ୍ନ ଜାତୀୟ ସର୍ଭେରେ ପ୍ରକାଶ ପାଇଛି । ପୂର୍ବରୁ ତାରିଖ ଘୋଷଣା ହୋଇଥିବା ବେଳେ, ଏବେ ପ୍ରାର୍ଥୀଙ୍କ ନାଁରେ ମୋହର ମାରିଛନ୍ତି ନବୀନ । ଯାହାକି ଓଡିଶାବାସୀ ଓ ବିଜେଡି ନେତାଙ୍କ ଭିତରେ ଭରି ଦେଇଛି ଉତ୍ସାହ ।