ଜଳବାୟୁ ବଜେଟ ନେଇ ସାଂସଦଙ୍କ ପ୍ରଶ୍ନ, କେନ୍ଦ୍ରମନ୍ତ୍ରୀ କହିଲେ NAPCCର କାର୍ଯ୍ୟକାରିତା ରାଜ୍ୟମାନଙ୍କ ଦାୟିତ୍ବ

1 min read

ନୂଆଦିଲ୍ଲୀ: ଓଡ଼ିଶା ସରକାର ନିଜସ୍ବ ଜଳବାୟୁ ବଜେଟ ପ୍ରସ୍ତୁତ କରିଛନ୍ତି । ଏନଏପିସିସି ଅନୁସାରେ ଓଡ଼ିଶା ସମେତ ୩୪ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସେମାନଙ୍କର ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତ ରାଜ୍ୟ ଆକ୍ସନ ପ୍ଲାନ ପ୍ରସ୍ତୁତ କରିଛନ୍ତି ବୋଲି କହିଛନ୍ତି ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ରାଷ୍ଟ୍ରମନ୍ତ୍ରୀ ଅଶ୍ବିନୀ କୁମାର ଚୌବେ । ସେ କହିଛନ୍ତି- ଜଳବାୟୁ ପରିବର୍ତ୍ତନ ସଂପର୍କରେ ଭାରତର ପଦକ୍ଷେପ ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତ ଜାତୀୟ ଆକ୍ସନ ପ୍ଲାନ- ଏନଏପିସିସି ଉପରେ ପର୍ଯ୍ୟବେଷିତ ।

ସୌର ଶକ୍ତି, ପରିବର୍ଦ୍ଧିତ ଶକ୍ତି ସାମର୍ଥ୍ୟ, ଜଳ, କୃଷି, ହିମାଳୟ ପରିବେଶ ବ୍ୟବସ୍ଥା, ସହନଶୀଳ ପରିବେଶ, ଗ୍ରୀନ ଇଣ୍ଡିଆ, ମାନବ ସ୍ବାର୍ଥ ଓ କୌଶଳଗତ ଜ୍ଞାନ ଆଦି କ୍ଷେତ୍ର ସଂକ୍ରାନ୍ତ ଜାତୀୟ ମିଶନ ଉପରେ ଏନଏପିସିସି ଆଧାରିତ । ଜଳବାୟୁ ପରିବର୍ତ୍ତନ ମୁକାବିଲାରେ ଓଡ଼ିଶା ସରକାରଙ୍କ ଉତ୍ସର୍ଗୀକୃତ ଜଳବାୟୁ ବଜେଟ ଏବଂ ଜାତୀୟ ସ୍ତରରେ ଏକ ଜଳବାୟୁ ବଜେଟ ପ୍ରସ୍ତାବ ସମ୍ପର୍କିତ ସାଂସଦ ମାନସ ରଞ୍ଜନ ମଙ୍ଗରାଜ ଓ ସୁଲତା ଦେଓଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି- ଏନଏପିସିସି ଅନୁସାରେ ଓଡ଼ିଶା ସମେତ ୩୪ଟି ରାଜ୍ୟ ଓ କେନ୍ଦ୍ରଶାସିତ ଏନଏପିସିସି ପ୍ରସ୍ତୁତ କରିଛନ୍ତି । ଏନଏପିସିସିର କାର୍ଯ୍ୟକାରିତା ଦାୟିତ୍ବ ସମ୍ପୃକ୍ତ ରାଜ୍ୟମାନଙ୍କର ।

ଜଳବାୟୁ ପରିବର୍ତ୍ତନ ସମ୍ପର୍କରେ ଓଡିଶା ନିଜର ଯୋଜନା ଓ ନୀତିରେ ପ୍ରତିଫଳିତ କରିଛି । ରାଜ୍ୟରେ ବୃହତ ଧରଣର ନିବେଶ ହେଉଥିବାରୁ ସାମଗ୍ରିକ ବିକାଶ ସମ୍ପର୍କିତ ସୁବିଧା ହାସଲ ଦିଗରେ ଓଡିଶାର ଜଳବାୟୁ ବଜେଟ ସହାୟକ ହୋଇଛି । ଏହା ଓଡିଶାର ଜଳବାୟୁ ସମ୍ପର୍କିତ ଦାୟିତ୍ବବୋଧ କାର୍ଯ୍ୟକ୍ରମ ଓ ଜଳବାୟୁ ସମ୍ପର୍କିତ ସାଧାରଣ ବ୍ୟୟ ଦିଗରେ ଗୁରୁତ୍ବପୂର୍ଣ୍ଣ ଭୂମିକା ବହନ କରୁଛି ବୋଲି ମନ୍ତ୍ରୀ କହିଛନ୍ତି ।

ସଂଲଗ୍ନ ବିଭାଗ ବା ମନ୍ତ୍ରାଳୟ ଜରିଆରେ ଭାରତର ଜଳବାୟୁ ସଂକ୍ରାନ୍ତ ପଦକ୍ଷେପ ଲାଗି ୨୦୨୦-୨୧ ବଜେଟରେ ବ୍ୟବସ୍ଥା ରହିଥିଲା । ପରେ କେନ୍ଦ୍ର ବଜେଟ ଗୁଡିକରେ ଜଳବାୟୁ କାର୍ଯ୍ୟକ୍ରମ ସମ୍ପର୍କରେ ପାଣ୍ଠିର ବ୍ୟବସ୍ଥା କରାଯାଇଆସିଛି । ୨୦୨୩-୨୪ ବଜେଟରେ ମୁଖ୍ୟ ସାତଟି ଅଗ୍ରାଧିକାର ମଧ୍ୟରୁ ସବୁଜ ଅର୍ଥନୀତିକୁ ପ୍ରାଥମିକତା ଦିଆଯାଇଛି । ବଜେଟରେ ସବୁଜ ଇନ୍ଧନ, ସବୁଜ ଫାର୍ମିଂ, ଗ୍ରୀନ ମୋବିଲିଟି, ଗ୍ରୀନ ବିଲଡିଂ, ଗ୍ରୀନ ଇକ୍ବିପମେଣ୍ଟ ଆଦି କାର୍ଯ୍ୟକ୍ରମକୁ ଫୋକସ କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି ।