ଫ୍ରିଜରେ ଶବ, ସିସିଟିଭିରେ କଏଦ ହେଲା ଭିଡିଓ

ନନ୍ଦିଘୋଷ ବ୍ୟୁରୋ: ଦିନକୁ ଦିନ ଦେଶରେ କମିବାର ନାଁ ନେଉନି ଅପରାଧର ସଂଖ୍ୟା । ଜବଲପୁର ଡବଲ ମିଷ୍ଟ୍ରି ଘଟଣାରେ ସାମନାକୁ ଆସିଛି ନୂଆ ଘଟଣା । ୧୬ ବର୍ଷୀୟା ନାବାଳିକା ଜଣକ ଜବଲପୁର ରେଲଓ୍ବେ କଲୋନୀରେ ରହୁଥିବାବେଳେ ଜଣେ ୨୦ ବର୍ଷର ଯୁବକ ତାଙ୍କ ପଡ଼ୋଶୀ ଥିଲେ । ତେବେ ଯୁବକ ଜଣକ ହିନ୍ଦୀରେ ଡବିଂ ହେଉଥିବା ଥ୍ରିଲର ହିନ୍ଦୀ କ୍ରାଇମ୍ ସିରିଏଲ ଦେଖେ । ୧୫ ମାର୍ଚ୍ଚରେ ଝିଅଟି ପୁଅଟିକୁ ଏକ ଅଡିଓ ମେସେଜ ପଠାଇଥିଲା । ଏହାପରେ ପୁଅଟି ହଠାତ ପୋଲିସ ନେଇ ଘରେ ପହଞ୍ଚିଥିଲା । ଆଉ ସେଠାରେ  ରୋଷେଇ ଘର ଫ୍ରିଜରୁ ଝିଅର ବାପାଙ୍କ ଶବ ମିଳିଥିଲା । କେବଳ ଏତିକି ନୁହେଁ ଝିଅର ୮ ବର୍ଷ ଭାଇର ଶବ ମଧ୍ୟ ମିଳିଥିଲା ।

ସେହି କଲୋନୀରେ କେବଳ ରେଲଓ୍ବେ ଷ୍ଟାଫ୍ ରହିଥାନ୍ତି । ମୃତ ବ୍ୟକ୍ତି ଜଣକ ହେଲେ ରାଜ କୁମାର ବିଶ୍ବକର୍ମା । ଯିଏକି ଡିଆରଏମ ଭାବେ କାମ କରନ୍ତି । ଅଫତାବ ପୁନାଓ୍ବାଲାଙ୍କ ଶବ ଫ୍ରିଜରେ ରହିଥିବା ପ୍ରଥମେ ଦେଶରେ ଖବର ଦେଖିବାକୁ ମିଳିଥିଲା । ଏହାପରଠାରୁ ଏଭଳି ବହୁ ଖବର ନଜରକୁ ଆସିଛି । ମାତ୍ର ଏହି ଘଟଣାରେ ପ୍ରଥମଥର ପାଇଁ ଫ୍ରିଜ୍ ଭିତରେ ରହିଥିବା ଶବର ଫଟୋ ଦେଖିବାକୁ ମିଳିଥିଲା । ଫ୍ରିଜରେ ୮ ବର୍ଷ ବାଳକର ଶବ ରହିଥିବାବେଳେ ରୋଷେଇ ଘରେ ରାଜ କୁମାରଙ୍କ ଶବକୁ ଉଦ୍ଧାର କରିଥିଲା ପୋଲିସ । ବାପ ପୁଅଙ୍କ ହତ୍ୟା ପଛରେ ଜଣେ ଯୁବକ ଏବଂ ଝିଅ ରହିଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି । ସହରରର ୫ଟି ସ୍ଥାନରେ ଲାଗିଥିବା ସିସିଟିଭିକୁ ଯାଞ୍ଚ କରାଯିବା ପରେ ଏହା ଜଣାପଡ଼ିଛି ।

ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି କି, ରାଜକୁମାରଙ୍କ ଝିଅ ଭଏସ ମେସେଜ ପଠାଇଥିବାବେଳେ ସେ ଘରେ ନଥିଲେ । ପୋଲିସ ସନ୍ଦେହ କରିଥିଲା କି, ସେ ତାଙ୍କୁ ଉଠାଇ ନେଇଥିବ । ଘରର ପଛ ଝରକା ଗ୍ୟାସ୍ କଟରରେ କଟା ଯାଇଥିଲା । ଏହାପରେ ପୋଲିସ ଯାଞ୍ଚ କରିବା ପରେ ଜଣାପଡ଼ିଥିଲା କି, ସେହି ୨୦ ବର୍ଷର ଯୁବକ ସହ ଝିଅ ଫେରାର ହୋଇଯାଇଛି । ପୂର୍ବରୁ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଥିବାବେଳେ ଝିଅର  ପରିବାର ଲୋକେ ଏହାକୁ ବିରୋଧ କରୁଥିଲେ । ଏଣୁ ଝିଅଟି ପ୍ରେମିକ ସହ ମିଶି ନିଜ ଭାଇ ଏବଂ ବାପାଙ୍କ ହତ୍ୟା କରିଥିବା ସନ୍ଦେହ କରାଯାଉଛି । ଉଭୟ ଏକ ସ୍କୁଟିରେ ଘରୁ ଫେରାର ହୋଇଥିବାବେଳେ ପରେ ବସ ବଦଳାଇଥିବା ଜଣାପଡ଼ିଛି । ପୋଲିସ ଏହି ଘଟଣାର ତଦନ୍ତ ଜାରି ରଖିଥିବାବେଳେ ସ୍ଥାନୀୟ ଅଞ୍ଚଳରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି ।