ପୁଟିନଙ୍କ ସହ କଥା ହେବା ଭଳି ଆମେରିକାରେ କେହି ନାହାନ୍ତି

1 min read

ଓ୍ବାଶିଂଟନ: ଅଟକିବାକୁ ନାରାଜ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟନ । ଜିଦ୍ ଛାଡିବାକୁ ନାରାଜ ଞୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି । ନାଚାର ଆମେରିକା ଓ ନାଟୋ । ୧୮ ଦିନ ମଧ୍ୟରେ ୟୁକ୍ରେନର ଛାତି ଚିରି ଖିନଭିନ୍ କରି ସାରିଛନ୍ତି ଋଷ ସେନା । କିବ୍ ଓ ଖାର୍କିଭ ଭଳି ବଡ଼ ସହର ଧ୍ବଂସସ୍ତୁପରେ ପରିଣତ ହୋଇଛି । ଅଧିକାଂଶ ୟୁକ୍ରେନ ସହରରେ ଋଷ ରଚି ସାରିଛି ମୃତ୍ୟୁର ତାଣ୍ଡବ । ଏମିତି ସ୍ଥିତିରେ ଆମେରିକାର ନେତୃତ୍ବ ଓ ପଦକ୍ଷେପକୁ ନେଇ ପୁଣି ଥରେ ଜୋ ବାଇଡେନଙ୍କୁ ଟାର୍ଗେଟ୍ କରିଛନ୍ତି ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ବାଇଡେନଙ୍କୁ ଡରୁଆ କହିବା ସହ ଋଷ-ୟୁକ୍ରେନ ଯୁଦ୍ଧ କେମିତି ହେବ ତାହାର ବାଟ ବତାଇଛନ୍ତି ।

ଯୁଦ୍ଧ ମଧ୍ୟରେ ଆମେରିକା ଉଚିତ ପଦକ୍ଷେପ ନନେବାକୁ ନେଇ ଟ୍ରମ୍ପ, ବାଇଡେନଙ୍କୁ ଡରୁଆ ବୋଲି କହି ଦେଇଛନ୍ତି । କାରୋଲିନାରେ ଏକ ରାଲିକୁ ସମ୍ବୋଧିତ କରିବା ସମୟରେ ଟ୍ରମ୍ପ କହିଛନ୍ତି, ‘ୟୁକ୍ରେନ ଯୁଦ୍ଧ ଲମ୍ବା ସମୟ ପର୍ଯ୍ୟନ୍ତ ଚାଲିପାରେ । ଏହାର କାରଣ ଆମେରିକା ପାଖରେ ଋଷ ରାଷ୍ଟ୍ରପତି ପୁଟିନଙ୍କ ସହ କଥା ହେବାକୁ କେହି ନାହାନ୍ତି ।’

ବାଇଡେନ ଅସହାୟ

ସେ ଆହୁରି କହିଛନ୍ତି ଯେ, ‘ଦୁର୍ବଳତା, ଅକ୍ଷମତା ଓ ଅସହାୟତା ପରେ ବି ବାଇଡେନଙ୍କ ପାଖରେ ସମୟ ଅଛି ବିନା ଆମେରିକୀୟଙ୍କ ରକ୍ତପାତରେ ୟୁକ୍ରେନ ସଙ୍କଟରେ ସମାଧାନ ହୋଇପାରିବ ।’

ଋଷକୁ ଧମକାଇବା ଦରକାର

ୟୁକ୍ରେନ ଯୁଦ୍ଧ ବନ୍ଦ କରିବାକୁ ହେଲେ ଆମେରିକା ଋଷକୁ କ୍ରମାଗତ ଧମକାଇବା ଦରକାର ବୋଲି ଟ୍ରମ୍ପ କହିଛନ୍ତି । ବାଇଡେନ ଧମକାଇବା ସହ କହିବା ଶକ୍ତି କ୍ଷେତ୍ରରେ ପଶ୍ଚିମ ଦେଶ ଋଷ ଉପରେ ଆଉ ନିର୍ଭଳଶୀଳ ରହିବେ ନାହିଁ ବୋଲି କହିବା ଦରକାର । କାରଣ ୟୁରୋପୀୟ ଦେଶଗୁଡିକ ଶକ୍ତି କ୍ଷେତ୍ରରେ ବହୁଳ ଭାବେ ଋଷ ଉପରେ ନିର୍ଭର କରିଥାନ୍ତି । ଏହା ଋଷ ଅର୍ଥନୀତିର ମେରୁଦଣ୍ଡ କହିଲେ ଭୁଲ ହେବ ନାହିଁ । ଯଦି ପଶ୍ଚିମ ଦେଶ ଋଷରୁ ଶକ୍ତି ନେବାକୁ ମନା କରିବେ ହୁଏତ ପୁଟନ ନରମ ପଡ଼ିପାରନ୍ତି ।

ସୂଚନାଯୋଗ୍ୟ, ପୂର୍ବରୁ ଟ୍ରମ୍ପ ନାଟୋ ଓ ବାଇଡେନଙ୍କୁ କାଗଜବାଘ କହି ସାରିଛନ୍ତି ।